ଦିଲ୍ଲୀ/ଭୁବନେଶ୍ୱର, ନବନୀତା ବ୍ୟୁରୋ: ମହାରାଷ୍ଟ୍ର ପୁଣେରେ ଦୁଃଖଦାୟକ ଘଟଣା । ପାଚେରୀ ଭୁଶୁଡ଼ି ୧୫ ଜଣଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ୪ ଶିଶୁ ଓ ୨ଜଣ ମହିଳା ଥିବା ଜଣା ପଡିଛି । କୋନ୍ଧୱାରେ ଏକ ରେସିଡେନସିଆଲ କଂପ୍ଲେସରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଦୁର୍ଘଟଣା ପରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଘଟଣାସ୍ଥଳରେ ପ୍ରଶାସନିକ ଅଧିକାରୀ ମଧ୍ୟ ଉପସ୍ଥିତ ଅଛନ୍ତି । ପ୍ରବଳ ବର୍ଷା ଯୋଗୁଁ ପାଚେରି ଭୁଶୁଡି ପଡିଥିବାରୁ ତଳେ ଚାପି ହୋଇ ଲୋକଙ୍କ ଜୀବନ ଯାଇଥିବା କୁହାଯାଉଛି ।
ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ରାଜ୍ୟପାଳ ବିଦ୍ୟାସାଗର ରାଓ । ପାଚେରୀ ଭୁଶୁଡ଼ିବା ଘଟଣାରେ ମହିଳା, ଶିଶୁ ଓ ଶ୍ରମିକଙ୍କ ମୃତ୍ୟୁ ଘଟିଥିବାରୁ ସେ ଗଭୀର ଶୋକବ୍ୟକ୍ତ କରିଛନ୍ତି । ସମସ୍ତଙ୍କ ଜୀବନ ଅମୂଲ୍ୟ ଅଟେ । ତେଣୁ ଏହି ଅଘଟଣରେ ଯେଉଁ ମାନଙ୍କର ମୃତ୍ୟୁ ଘଟିଛି ସେମାନଙ୍କ ପରିବାର ବର୍ଗ ପ୍ରତି ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଏବଂ ଆହତ ବ୍ୟକ୍ତିଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି । ସେହିପରି ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ଲାଗି ଅନୁକଂପାମୂଳକ ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ମହରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଣ୍ଡାବିସ ମୃତକଙ୍କ ଲାଗି ୫ ଲକ୍ଷ ଲେଖାଏଁ ଘୋଷଣା କରିଛନ୍ତି ।
ସୂଚନା ଅନୁସାରେ, ଶୁକ୍ରବାର ରାତି ପ୍ରାୟ ୧.୪୫ ମିନିଟରେ ଏହି ଘଟଣା ଘଟିଛି । ୬୦ ଫୁଟ ଲମ୍ବର ପାଚେରୀ ବାହାରେ ଛୋଟ ଛୋଟ ଟିଣ ଘର ନିର୍ମାଣ କରାଯାଇଥିଲା । ପାଚେରୀଟି ଭୁଶୁଡି ପଡି ଏହି ଘର ଉପରେ ପଡିଥିଲା । ଫଳରେ ଲୋକଙ୍କ ଜୀବନହାନୀ ଘଟିଛି । ଏଥିସହ ରେସିଡେନସିଆଲ କଂପ୍ଲେକ୍ସର ଭିତର ପାଖରେ ପାଚେରୀକୁ ଲାଗିଥିବା ଅନେକ କାର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ପାଚେରୀ ଓ ତାକୁ ଲାଗି ରହିଥିବା ଚଟାଣ ଭୁଶୁଡ଼ି ପଡିବାରୁ ଅନେକ କାର ତଳକୁ ଖସି ଯାଇଥିଲା ।
ଏନେଇ ପୁଣେ ପୋଲିସ କମିଶନର ଭେଙ୍କେଟେଶ କହିଛନ୍ତି, ଘଟଣା କେମିତି ଘଟିଲା ତାର ଯାଂଚ ଚାଲିଛି । ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବାକୁ ସେ କହିଛନ୍ତି । ପାଚେରୀ ନିର୍ମାଣ ବେଳେ ସବୁ ସୁରକ୍ଷା ବ୍ୟବସ୍ଥା ପ୍ରତି ଦୃଷ୍ଟି ଦିଆଯାଇଥିଲା ନା ନାହି, ସେ ଉପରେ ନଜର ଦିଆଯିବ ।
ପୁଣେ ଜିଲ୍ଲାପାଳ ନୱଲ କିଶୋର ରାମ କହିଛନ୍ତି, ପ୍ରବଳ ବର୍ଷା ଯୋଗୁଁ କାନ୍ଥଟି ଭୁଶୁଡ଼ି ପଡିଛି । କନଷ୍ଟ୍ରକ୍ସନ କଂପାନୀର ଅବହେଳା ଯୋଗୁଁ ଏଭଳି ଘଟିଥିବା ସେ କହିଛନ୍ତି । ହେଲେ ଘଟଣାରେ ୧୫ ଲୋକଙ୍କ ମୃତ୍ୟୁ କିଛି ଛୋଟ କଥା ନୁହେଁ । ମୃତକଙ୍କ ମଧ୍ୟରେ ବିହାର ଓ ବଂଗାଳର ଅଧିକ ଶ୍ରମିକ ଅଛନ୍ତି । ସରକାର ପ୍ରଭାବିତ ଲୋକଙ୍କୁ ସହାୟତା କରୁଛନ୍ତି ।
ଏହି ଘଟଣାରେ ପୁଣେ ମେୟର ମୁକ୍ତା ତିଳକ କହିଛନ୍ତି, ଘଟଣାର ଯାଂଚ କରାଯିବ । ଏବଂ ନିର୍ମାଣ କାମ ବନ୍ଦ ଲାଗି ଆଦେଶ ଦେବାକୁ ଯାଉଛୁ । ଫଳରେ ନିର୍ମାଣାଧିନ ଜାଗାରେ ଯେମିତି କୌଣସି କାମ ନ ହେବ ।
ସୂଚନା ଅନୁସାରେ, ଗୁରବାରଠାରୁ ପୁଣେରେ ପ୍ରବଳ ବର୍ଷା ହୋଇଥିଲା । ଶୁକ୍ରବାର ରାତି ସୁଦ୍ଧା ୨୪ ଘଂଟା ମଧ୍ୟରେ ୭୩ ମିଲି ମିଟର ବର୍ଷା ହୋଇଥିଲା । ୨୦୧୦ ଜୁନ ପରେ ପୁଣେରେ ଏତେ ପରିମାଣର ବର୍ଷା ହୋଇଛି ।
ପ୍ରବଳ ବର୍ଷାରେ ମହାରାଷ୍ଟ ପୁଣେରେ ଭୁଶୁଡ଼ି ଲା ପାଚେରୀ,୧୫ ଜଣଙ୍କ ମୃତ୍ୟୁ, ଉଦ୍ଧାର କାର୍ଯ୍ୟ ଜାରି
