ବଲାଙ୍ଗିର, ଏନ୍ଏନ୍ ବ୍ୟୁରୋ l ବଲାଙ୍ଗିର ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ଚିନ୍ତା l ଜିଲ୍ଲାରେ ସମ୍ଭାବ୍ୟ ଗ୍ରୀଷ୍ମ ପ୍ରବାହ ପାଇଁ ଜିଲ୍ଲାପାଳ ଗୌରବ ଶିୱାଜୀ ଇସଲୱାରଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ବୈଠକରେ ଅତିରିକ୍ତ ଜିଲ୍ଲାପାଳ ପବିତ୍ର ବେହେରା, ମୁଖ୍ୟ ଉନ୍ନୟନ ଅଧିକାରୀ-ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ତରଣୀ ସୁନା, ବଲାଙ୍ଗିର ଉପଜିଲ୍ଲାପାଳ ଆଲୋକ କୁମାର ପଟେଲ ଏବଂ ଟିଟିଲାଗଡ ଉପଜିଲ୍ଲାପାଳ ପଦ୍ମନାଭ ସାମନ୍ତରାୟ ଉପସ୍ଥିତ ଥିଲେ । ଜିଲ୍ଲାପାଳ ସମସ୍ତ ବିଭାଗର ଅଧିକାରୀଙ୍କ ସହ ଗ୍ରୀଷ୍ମ ପ୍ରବାହ ମୁକାବିଲା ନେଇ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରିଥିଲେ । ଅଂଶୁଘାତ ଉପଶମ ଗୃହର ସୁଚାରୁ ପରିଚାଳନା ଲାଗି ଆବଶ୍ୟକ ନିଷ୍ପତ୍ତି ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସହ ଅନ୍ୟ ଜରୁରୀ କାର୍ଯ୍ୟଗୁଡିକୁ ଗୁରୁତର ସହିତ ତୁଲାଇବାକୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ପରିବାର କଲ୍ୟାଣ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଗରମ ସମ୍ବନ୍ଧୀୟ ରୋଗ ପରିଚାଳନା ପାଇଁ ଡାକ୍ତର, ନର୍ସ, ଫାର୍ମାସିଷ୍ଟ ଓ ସ୍ୱାସ୍ଥ୍ୟ କର୍ମୀଙ୍କୁ ପ୍ରଶିକ୍ଷଣ ଦେବାକୁ ନିଷ୍ପତ୍ତି ହୋଇଛି ।
ସେହିପରି ପାନୀୟ ଜଳ ସୁବିଧା ସୁନିଶ୍ଚିତ କରିବା, ଜଳ ଅଭାବ ଅଞ୍ଚଳ ଚିହ୍ନଟ, ନଳକୂପ ରକ୍ଷଣାବେକ୍ଷଣ ଓ ପାଇପ୍ ଜଳ ସରବାହ ପାଇଁ ସମ୍ବନ୍ଧିତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ବସ୍ଗୁଡ଼ିକରେ ପାଣି, ORS, Ice Pack ବ୍ୟବସ୍ଥା, ବସ୍ଷ୍ଟାଣ୍ଡରେ ବିଶ୍ରାମସ୍ଥଳୀ ଓ ବିଭିନ୍ନ ଛକରେ ପାନୀୟ ଜଳ ସେବା କେନ୍ଦ୍ରର ବ୍ୟବସ୍ଥା ଏବଂ ପାନୀୟ ଜଳ ସମସ୍ୟା ସମ୍ପର୍କରେ ଅଭିଯୋଗ ପାଇବା ମାତ୍ରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସମସ୍ୟାର ସମାଧାନ କରିବା ନିମନ୍ତେ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହ ପଶୁପକ୍ଷୀଙ୍କ ପାଇଁ ଚହଲା ଖୋଳିବାକୁ ଜିଲ୍ଲାମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କୁ ଦାୟିତ୍ୱ ଦିଆଗଲା । ଗରମର ପ୍ରଭାବକୁ ଦୃଷ୍ଟିରେ ରଖି କୃଷି ଉତ୍ପାଦନ କ୍ଷେତ୍ରରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜିଲ୍ଲା କୃଷି ଅଧିକାରୀଙ୍କୁ ପଦକ୍ଷେପ ନେବା ଲାଗି ନିର୍ଦ୍ଦେଶ ଦିଆଯାଇଛି ।

କେବଳ ଏତିକି ନୁହେଁ,ବନ୍ୟପ୍ରାଣୀ ଓ ପଶୁପକ୍ଷୀଙ୍କ ପାଇଁ ପାଣି ସୁବିଧା ସୁନିଶ୍ଚିତ କରିବା, ପୋଖରୀ ଓ ଜଳାଶୟ ନିର୍ମାଣ ସହ ଜଙ୍ଗଲ ନିଆଁ ପ୍ରତିରୋଧ ପାଇଁ ବନ ବିଭାଗକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ପାଠପଢା ଓ ପରୀକ୍ଷା ଆଦି ସକାଳ ସମୟରେ ରଖିବାକୁ ନିଷ୍ପତ୍ତି ହୋଇଛି । ବିଦ୍ୟାଳୟରେ ନିରବଚ୍ଛିନ୍ନ ପାନୀୟ ଜଳ ସୁବିଧା ସୁନିଶ୍ଚିତ କରିବା ସହିତ ବାହ୍ୟ କାର୍ଯ୍ୟକଳାପକୁ ପ୍ରତିବନ୍ଧିତ କରାଯାଇଛି, ଯାହା ଦ୍ୱାରା ଛାତ୍ରଛାତ୍ରୀମାନେ ଗରମ ପ୍ରଭାବରୁ ସୁରକ୍ଷିତ ରହିପାରିବେ । ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କ ପାଇଁ ପରିବହନ ସେବାରେ ବିଶେଷ ଯତ୍ନ ନେବାକୁ ନିର୍ଦ୍ଦେଶ ଦିଆଯାଇଛି । ସ୍କୁଲ ଯିବା ସମୟରେ ପିଲାମାନଙ୍କୁ ନିହାତି ଭାବେ ପାଣି ବୋତଲ ଦେବା ପାଇଁ ଅଭିଭାବକମାନଙ୍କୁ ସଚେତନ କରାଯିବ l ଛାତ୍ରଛାତ୍ରୀମାନଙ୍କୁ ଗରମ ତରଙ୍ଗ ସମ୍ପର୍କରେ ସତର୍କତା ସୂଚନା ଦେବାକୁ ମଧ୍ୟ ନିଷ୍ପତ୍ତି ହୋଇଛି । ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକରେ ମଧ୍ୟ ଏହି ପଦକ୍ଷେପଗୁଡ଼ିକ କାର୍ଯ୍ୟକାରୀ କରାଯିବ । ବିଭିନ୍ନ କାର୍ଯ୍ୟକଳାପ ମାଧ୍ୟମରେ ଝାଞ୍ଝି ପବନରୁ ରକ୍ଷା ପାଇବା ବିଷୟରେ ସଚେତନତା ସୃଷ୍ଟି କରାଯିବ । ଏହି ସମସ୍ତ କ୍ଷେତ୍ରରେ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲା ମଙ୍ଗଳ ଅଧିକାରୀ ଓ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଶ୍ରମିକଙ୍କ ସୁରକ୍ଷା ପାଇଁ କାର୍ଯ୍ୟ ସମୟରେ ପରିବର୍ତ୍ତନ କରାଯାଇଛି, କାର୍ଯ୍ୟସ୍ଥଳରେ ପାଣି, ORS ଓ ବିଶ୍ରାମ ସେଡ୍ ସୁବିଧା ଯୋଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ନିରବଚ୍ଛିନ୍ନ ବିଦ୍ୟୁତ ସେବା ଯୋଗାଇବା ପାଇଁ TPWODL କୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ସଚେତନତା ଅଭିଯାନ ଆରମ୍ଭ କରାଯାଇଛି, ଯେଉଁଥିରେ “କଣ କରିବେ” ଓ “କଣ କରିବେ ନାହିଁ” ସେ ବିଷୟରେ ଜନସାଧାରଣଙ୍କୁ ସଚେତନ କରାଯିବ । SATARK App ବ୍ୟବହାର ପାଇଁ ଜନସାଧାରଣକୁ ପରାମର୍ଶ ଦିଆଯାଇଛି । ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ ୨୪ ଘଣ୍ଟା କାର୍ଯ୍ୟକ୍ଷମ ନିୟନ୍ତ୍ରଣ କକ୍ଷ ମଧ୍ୟ ସ୍ଥାପନ କରାଯାଇଛି, ଯାହା ଜିଲ୍ଲା, ବ୍ଲକ, ତହସିଲ, CHC, PHC ଓ ସମ୍ବନ୍ଧିତ ବିଭାଗରେ କାର୍ଯ୍ୟରତ ରହିବ । ଜରୁରୀକାଳିନ ସେବା ଯୋଗାଇବା ପାଇଁ କଣ୍ଟ୍ରୋଲ ରୁମ୍ ନମ୍ବର 9438776394/ 06652-230969 ଏବଂ ହସ୍ପିଟାଲ ସହାୟତା କେନ୍ଦ୍ରର ଫୋନ ନଂ-7873039291 ଜିଲ୍ଲା ପ୍ରସାଶନ ଦ୍ଵାରା ଜାରି କରାଯାଇଅଛି । ବୈଠକରେ ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାରଙ୍କ ସହ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ । ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଶୋଭିନ ଭୋଇ କାର୍ଯ୍ୟକ୍ରମକୁ ସଂଯୋଜନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।
