ନବନୀତା ବ୍ୟୁରୋ। ଆରବସାଗରରେ ସୃଷ୍ଟ ସାମୁଦ୍ରିକ ଝଡ଼ ‘ମହା’ ଏବେ ଗତିପଥ ପରିବର୍ତନ କରି ସାରିଛି। ଏଥିପାଇଁ ପାଣିପାଗ ପକ୍ଷରୁ ଆଲର୍ଟ ଜାରି କରାଯାଇଛି। ଏହି ଝଡ଼ ଏବେ ଗୁଜୁରାଟରେ ପ୍ରଭାବ ପକାଇବା ଆଶଙ୍କା କରାଯାଉଛି। ଆଜିଠାରୁ ମହାର ପ୍ରଭାବ ଗୁଜୁରାଟରେ ପ୍ରଭାବ ପକାଇବ। ପ୍ରଭାବରେ ଆସନ୍ତା ୬ ଓ ୭ ତାରିଖରେ ମହାରାଷ୍ଟ୍ର, ଗୁଜୁରାଟ, ଦାମନ୍ ଡିଉ ସହ ଦାଦର୍ ଓ ନଗର ହବେଲିର କିଛି ଭାଗରେ ଝଡ଼ ସହ ପ୍ରବଳ ବର୍ଷା ହୋଇପାରେ। ତେବେ ଝଡ଼ ଯୋଗୁଁ ସମୁଦ୍ରରେ ବଡ଼ ଢେଉ ଉଠିବା ସମ୍ଭାବନା ଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି ।

ପାଣିପାଗ ପୂର୍ବାନୁମାନ କରୁଥିବା ସଂସ୍ଥା ସ୍କାଇମେଟ୍ ୱେଦର୍ ଅନୁସାରେ, ଝଡ଼ ପ୍ରଭାବରେ ଦକ୍ଷିଣ କୋଙ୍କଣ ଓ ଦକ୍ଷିଣ ମହାରାଷ୍ଟ୍ରରେ ବି ହାଲୁକା ଧରଣର ବର୍ଷା ହୋଇପାରେ। ହେଲେ ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ପାଗ ଶୁଖିଲା ରହିବ। ଆଣ୍ଡମାନ ଓ ନିକୋବର ଦ୍ବୀପପୁଞ୍ଜରେ ଜୋର୍ ବର୍ଷା ସମ୍ଭାବନା ରହିଛି। ତେଲେଙ୍ଗାନାରେ କମ୍ ବର୍ଷା ସମ୍ଭାବନା ଥିବା ବେଳେ ସମୁଦ୍ରବର୍ତ୍ତୀ ଅଞ୍ଚଳ କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ଓ କେରଳର କେତେକାଂଶରେ ମଧ୍ୟମ ଧରଣର ବର୍ଷା ହୋଇପାରେ।
