ସୌରଭ ଗାଙ୍ଗୁଲି ନୂଆ ବିସିସିଆଇ ଅଧ୍ୟକ୍ଷ, ଭାରତୀୟ କ୍ରିକେଟ୍ ବୋର୍ଡ ପକ୍ଷରୁ ଘୋଷଣା

ଖେଳଦେଶ ଓ ବିଦେଶବଡ଼ ଖବର

ନବନୀତା ବ୍ୟୁରୋ। ଦାଦାଙ୍କୁ ନୂଆ ଦାୟିତ୍ଵ। ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ ସୈାରଭ ଗାଙ୍ଗୁଲିଙ୍କୁ ବିସିସିଆଇ ଅଧ୍ୟକ୍ଷ ଦାୟିତ୍ଵ ନେଇ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି। ବାର୍ଷିକ ଜେନେରାଲ ମିଟିଂ ପୂର୍ବରୁ ସୈାରଭ ଗାଙ୍ଗୁଲିଙ୍କୁ ବୋର୍ଡର ପୂର୍ଣ୍ଣକାଳୀନ ଅଧ୍ୟକ୍ଷ ଚୟନ କରାଯାଇଥିଲା। ଏନେଇ ବିସିସିଆଇ ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଥିଲା।

ବୁଧବାର ସକାଳେ ସୈାରଭ ମୁମ୍ବାଇ ସ୍ଥିତ ବିସିସିଆଇ ମୁଖ୍ୟାଳୟ ପହଞ୍ଚିଥିଲେ। ବିସିସିଆଇ ଅଫିସଆଲ୍ ଟୁଇଟରରେ ସୈାରଭ ଗାଙ୍ଗୁଲିଙ୍କ କିଛି ଫଟୋ ସେୟାର କରାଯାଇଛି। ଯେଉଁଥିରେ ସେ ବୋର୍ଡ ଅଧ୍ୟକ୍ଷ ପଦ ଦାୟିତ୍ଵ ଗ୍ରହଣ କରୁଥିବା ଦେଖିବାକୁ ମିଳିଛି। ଏଥିସହ ଟୁଇଟରେ ବିସିସିଆଇ ପକ୍ଷରୁ ଉଲ୍ଲେଖ କରାଯାଇଛି କି, ସୈାରଭ ଔିପଚାରିକ ଭାବେ ବିସିସିଆଇ ଅଧ୍ୟକ୍ଷ ଭାବେ ମନୋନୀତ ହୋଇଛନ୍ତି।

ବିସିସିଆଇ ମୁଖ୍ୟ କାର୍ଯ୍ୟାଳୟରେ ବାର୍ଷିକ ସାଧାରଣ ବୈଠକ ଜାରି ରହିଛି। ଏନେଇ ବିସିସିଆଇ ଅଫିସିଆଲ୍ ଟୁଇଟର ଜରିଆରେ ସୂଚନା ଦିଆଯାଇଛି। ସୈାରଭଙ୍କ ସହ ଗୃହମନ୍ତ୍ରୀ ଅମିତ୍ ଶାହାଙ୍କ ପୁଅ ଜୟ ଶାହାଙ୍କୁ ନୂଆ ସଂପାଦକ ଓ ବିସିସିଆଇର ପୂର୍ବତନ ଅଧ୍ୟକ୍ଷ ଅନୁରାଗ ଠାକୁରଙ୍କ ଭାଇ ଅରୁଣ ସିଂହଙ୍କୁ ବୋର୍ଡର କୋଷାଧ୍ୟକ୍ଷ ଦାୟିତ୍ଵ ଦିଆଯାଇଛି।

ଗତ ସପ୍ତାହରେ ସୈାରଭ ଗାଙ୍ଗୁଲିଙ୍କୁ ଭାରତୀୟ କ୍ରିକେଟ୍ ବୋର୍ଡ ଅଧ୍ୟକ୍ଷ ଚୟନ କରାଯାଇଥିଲା। ଏହା ବ୍ୟତୀତ ବିନା ବିରୋଧରେ ତାଙ୍କ ଟିମ୍ ମଧ୍ୟ ଚୟନ କରାଯାଇଥିଲା। ଏନେଇ ବିସିସିଆଇ ସଦସ୍ୟ ରାଜୀବ ଶୁକ୍ଳା ଘୋଷଣା କରିଥିଲେ। ୪୭ ବର୍ଷୀୟ ସୈାରଭ ଗାଙ୍ଗୁଲିଙ୍କ ଏହି ନୂଆ ଟିମରେ ଯୁବକଙ୍କୁ ସୁଯୋଗ ମିଳିଛି। ନୂଆ ଚିନ୍ତାଧାରା ରଖୁଥିବା ଏହି ଯୁବକମାନେ ଭାରତୀୟ କ୍ରିକେଟକୁ ଆଗକୁ ନେବା ପାଇଁ ଦାଦାଙ୍କୁ ବିଶେଷ ସହାୟତା କରିବେ।