ଏହି କାରଣରୁ କୋଟି କୋଟି ଛାତ୍ରୀ ଛାଡୁଛନ୍ତି ସ୍କୁଲ .. ପଢନ୍ତୁ

ଦେଶ ଓ ବିଦେଶସ୍ପେଶାଲ

ନବନୀତା ବ୍ୟୁରୋ। ଦେଶରେ ମହିଳାଙ୍କ ଶିକ୍ଷା ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଛି। ଗୋଟିଏ ପଟେ ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀ ପାଳନ ଉପଲକ୍ଷେ ତାଙ୍କର ସ୍ଵପ୍ନର ଭାରତ ଗଢି ତୋଳିବା ପାଇଁ ଶପଥ ନେଇଛୁ, ହେଲେ ଅନ୍ୟପଟେ ମହିଳାଙ୍କ ଶିକ୍ଷା ଉପରେ ସେ କହିଥିବା ମହାନ୍ କଥାକୁ ଆମେ ଅଣଦେଖା କରୁଛୁ। ଗାନ୍ଧୀଙ୍କ ଅନୁସାରେ, ଜଣେ ପୁରୁଷ ଶିକ୍ଷିତ ହେଲେ କେବଳ ଜଣେ ବ୍ୟକ୍ତି ଶିକ୍ଷିତ ହୋଇଥାଏ। କିନ୍ତୁ ଜଣେ ମହିଳା ଶିକ୍ଷିତ ହେବା ଅର୍ଥ ପୁରା ପରିବାର ଶିକ୍ଷିତ ହୋଇଥାଏ।

ଏହି କଥାରୁ ସ୍ପଷ୍ଟ ବାରି ହୋଇ ପଡ଼ୁଛି ଯେ, ମହିଳା ଶିକ୍ଷିତ ହେବାର ମହତ୍ୱ। ହେଲେ ମହିଳା ଅଶିକ୍ଷିତ ହେବା ପଛର ମୁଖ୍ୟ କାରଣ ହେଉଛି ପିରିଆଡ୍ ବା ଋତୁସ୍ରାବ। ଏକ ସର୍ଭେ ରିପୋର୍ଟରୁ ଜଣାପଡିଛି ଯେ, ଋତୁସ୍ରାବ କାରଣରୁ ପାଖାପାଖି ୨ କୋଟିରୁ ଅଧିକ ଛାତ୍ରୀ ସ୍କୁଲ ନ ଯାଇ ପାଠପଢ଼ା ଛାଡ଼ି ଦେଉଛନ୍ତି। ତେବେ ଋତୁସ୍ରାବ ଏକ ପ୍ରାକୃତିକ ତଥା ସାମାନ୍ୟ ସ୍ଥିତି ଅଟେ, ହେଲେ ସଚେତନତା ଅଭାବରୁ ଏହା ସମସ୍ୟା ଉପୁଜିଥାଏ। ଫଳରେ ୨ କୋଟି ଛାତ୍ରୀ ସ୍କୁଲ ଛାଡିଥାନ୍ତି ତନୁହେ ବରଂ ଅନେକ ମାରାତ୍ମକ ରୋଗକୁ ମଧ୍ୟ ନିଉତା ଦେଇଥାନ୍ତି ।

ପ୍ରାୟ ୧୨ ରୁ ୧୩ ବର୍ଷ ବୟସରେ ଋତୁସ୍ରାବ ଆରମ୍ଭ ହୋଇଥାଏ। ଏତିକି ବେଳେ ବାଳିକାମାନେ ନିଜ ଶରୀରରେ ଘଟୁଥିବା ପରିବର୍ତ୍ତନକୁ ମାନସିକ ସ୍ତରରେ ସ୍ବୀକାର କରିବା ପାଇଁ ଅସମର୍ଥ ହୋଇଥାନ୍ତି। ଯେଉଁଥି ପାଇଁ ସେମାନେ ଉତ୍ତେଜନା ଓ ବିଷାଦରେ ବୁଡ଼ି ରହିଥାନ୍ତି। ଏଥିସହ ସଚେତନତା ଅଭାବରୁ ସେନିଟାରି ନାପକିନ୍ ଭଳି ଅତ୍ୟାବଶ୍ୟକ ସାମଗ୍ରୀ ଉପଲବ୍ଧ ନ ହେବା କାରଣରୁ ଅନ୍ୟ ସାଧନ ବ୍ୟବହାର କରିଥାନ୍ତି। ଫଳରେ ତାଙ୍କ ଶରୀରକୁ ତାହା ହାନି ପହଞ୍ଚାଇଥାଏ। ଏହି କାରଣରୁ ପ୍ରଥମ କରି ଋତୁସ୍ରାବ ସଂପର୍କରେ ବାଳିକାଙ୍କୁ ସଚେତନ କରିବା ନିହାତି ଜରୁରୀ।

ଏଥିପାଇଁ ପ୍ରଥମ ଋତୁସ୍ରାବ ସଂପର୍କରେ ବାଳିକାଙ୍କୁ ସହଜ ଅନୁଭବ କରାଇବା ଉଚିତ୍। କାରଣ ଏହା କୌଣସି ସମସ୍ୟା ନୁହେଁ ବରଂ ଏକ ପ୍ରାକୃତିକ ବ୍ୟବସ୍ଥା ଯାହା ତାଙ୍କୁ ସ୍ବାସ୍ଥ୍ୟ ରଖେ। ଏପରିକି ବାଳିକାଙ୍କୁ ବୁଲାବୁଲି କରିବାକୁ ସୁଯୋଗ ଦିଆଯାଉ ଯାହା ଫଳରେ ସେମାନେ ପରସ୍ପର ମଧ୍ୟରେ ସବୁ କଥା ବାଣ୍ଟି ପାରିବେ। ଖୁଦ୍ ବାଳିକାଙ୍କୁ ଠିକ୍ ସମୟରେ ଋତୁସ୍ରାବ ସଂପର୍କରେ ଅବଗତ କଲେ ସେମାନେ ଏନେଇ ମାନସିକ ସ୍ତରରେ ପ୍ରସ୍ତୁତ ହୋଇ ପାରିବେ । କେବଳ ଏତିକି ନୁହେଁ, ଋତୁସ୍ରାବ ସମୟରେ ଦୂଷିତ କପଡା ବ୍ୟବହାର ନ କରି ଉନ୍ନତମାନର ସେନିଟାରି ନାପକିନ୍ ବ୍ୟବହାର କରିବା ନିହାତି ଜରୁରୀ। ହେଲେ କିଛି ବି ସମସ୍ୟା ଉପୁଜିଲେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।

ସେ ଯାହା ବି ହେଉ ସଚେତନତା ହିଁ ଆପଣ ଓ ଆପଣଙ୍କ ବାଳିକାଙ୍କ ସ୍ବାସ୍ଥ୍ୟ ଠିକ୍ ଢ଼ଙ୍ଗରେ ସୁରକ୍ଷିତ ରଖି ପାରିବେ। ଋତୁସ୍ରାବ କୌଣସି ସମସ୍ୟା ନୁହେଁ, କିନ୍ତୁ ସମସ୍ୟା ଦେଖାଦେଇପାରେ । ତେବେ ଆଗରୁ ସଚେତନ ହେଲେ ତାଙ୍କୁ ଦେଖାଦେବାକୁ ଥିବା ସମସ୍ୟାରୁ ମୁକ୍ତି ପାଇ ପାରିବେ। ଏଥିପାଇଁ ଉନ୍ନତ ମାନର ଜିନିଷ ପ୍ରୟୋଗ କରିବା ନିହାତି ଜରୁରୀ ଅଟେ।