କଟନୀ ଛଟନୀ ଲାଗି ମଣ୍ଡି ବନ୍ଦ, ଆନ୍ଦୋଳନ ପାଇଁ ଚାଷୀ ସଜବାଜ !

ଓଡ଼ିଶାବଡ଼ ଖବରରାଜନୀତି

ଏନ୍ଏନ୍ ବ୍ୟୁରୋ। ମଣ୍ଡି ଆରମ୍ଭରୁ ଦେଖାଦେଲାଣି ବିବାଦ। ପ୍ୟାକ୍ସରେ ମିଲର୍ସ ମନମାନି ଯୋଗୁଁ ଚାଷୀ ନାଚାର। କ୍ଵିଣ୍ଟାଲ ପିଛା ୫ କେଜି କଟନୀ ଛଟନୀ ନେଇ ମିଲର ଜିଦ୍ ଧରିଛି। ଅନ୍ୟପଟେ ଚାଷୀ ଏହାକୁ ବିରୋଧ କରି ଆନ୍ଦୋଳନ କରିବା ସହ ବିଭିନ୍ନ ମଣ୍ଡି ବନ୍ଦ କରିଛନ୍ତି। ଶୁକ୍ରବାର ପୁଇନ୍ତଲା ବ୍ଲକର ଅନେକ ଚାଷୀ ବିଲାଇସର୍ଡ଼ା ପ୍ୟାକ୍ସ ସହ ପିପିର୍ଡା, ଛତମଖନା ଓ ମଳମୁଣ୍ଡା ମଣ୍ଡିକୁ ବନ୍ଦ କରିଛନ୍ତି। ପରେ ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ଧାରୁଆଙ୍କୁ ଭେଟି ଚାଷୀ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ୫ କେଜି କଟନୀ ଛଟନୀ ବନ୍ଦ କରିବା ସହ ଚାଷୀଙ୍କୁ ବସ୍ତା ଯୋଗାଇବା ପାଇଁ ମଧ୍ୟ ଦାବି କରାଯାଇଛି। ବିଶେଷ କରି ପ୍ୟାକ୍ସ କର୍ମଚାରୀ ଓ ମିଲରଙ୍କ ସଲାସୁତୁରାରେ ଧାନ କଟନୀ ଛଟନୀ ଚାଲିଛି। ଏଫ୍ଏକ୍ୟୁ ବାହାନାରେ ଚାଷୀଙ୍କ ଧାନ ମନ ଇଚ୍ଛା କଟା ଯାଇ ଶୋଷଣ କରାଯାଉଛି। ଏବେ ଶୋଷଣ ଚରମ ସୀମାରେ ପହଞ୍ଚିଥିବାରୁ ଚାଷୀ ପ୍ରତିବାଦ କରିବା ସହ ଆନ୍ଦୋଳନ କରିବା ପାଇଁ ସଜବାଜ ହେଉଛି। ସମସ୍ୟାର ସମାଧାନ ନହେଲେ ଆସନ୍ତା ସୋମବାର ଜାତୀୟ ରାଜପଥ ଅବରୋଧ କରିବାକୁ ଚାଷୀ ଚେତାବନୀ ଦେଇଛନ୍ତି।

ସୂଚନାଯୋଗ୍ୟ ଯେ, ବଲାଙ୍ଗିର ଜିଲ୍ଲାରେ ଗତ ମାସ ୨୫ ତାରିଖରୁ ମଣ୍ଡି ଆରମ୍ଭ ହୋଇଛି। ଏଯାଏ ଜିଲ୍ଲାରେ ୨ ଲକ୍ଷ ୧୭ ହଜାର ୭୭୪ କ୍ଵିଣ୍ଟାଲ ଧାନ କିଣା ଯାଇଛି। ୧୨୭ ପ୍ୟାକ୍ସ ଓ ୧୩ ଏସଏଚଜି ମାଧ୍ୟମରେ ମୋଟ ୪ ହଜାର ୯୧୩ ଜଣ ଚାଷୀଙ୍କଠାରୁ ଧାନ ସଂଗ୍ରହ କରାଯାଇଛି। ହେଲେ ମଣ୍ଡି ସମସ୍ୟା ଯୋଗୁଁ ଗତ ଦୁଇ ସପ୍ତାହ ମଧ୍ୟରେ ଧାନ କିଣା ଟିକେ ଧିମେଇ ଯାଇଛି। ଅନ୍ୟପଟେ ମିଲର୍ସ ଓ ପ୍ୟାକ୍ସ କର୍ମଚାରୀଙ୍କ ମନମାନୀ ଯୋଗୁଁ ଚାଷୀ ଶୋଷଣର ଶିକାର ହେଉଛି। ଏଫଏକ୍ୟୁ ବାହାନାରେ କୁଇଣ୍ଟାଲ ପ୍ରତି ୫ କେଜି କଟନୀ ଛଟନୀ ଓ ଅଖା ବସ୍ତା ସମସ୍ୟା ଲାଗି ରହିଛି। ଏପରିକି ପ୍ୟାକ୍ସରେ ଏଫଏକ୍ୟୁ ମାନ ନିର୍ଦ୍ଧାରଣ ପାଇଁ କୌଣସି ଯନ୍ତ୍ରାଂଶ ନ ଥିଲେ ବି ଏଫ୍ଏକ୍ୟୁ ଆଳ ଦେଖାଇ ଧାନ କଟା ଯାଉଛି। ତେବେ ବିନା ଯନ୍ତ୍ରପାତିରେ ପ୍ୟାକ୍ସରେ କିଭଳି ଭାବରେ ଏଫଏକ୍ୟୁ ମାନ ନିର୍ଦ୍ଧାରଣ କରାଯାଉଛି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଜିଲ୍ଲାରେ ଅଧିକାଂଶ ଚାଷୀ ଏଫଏକ୍ୟୁ ମାନର ଧାନ ଦେବା ସମ୍ଭବପର ନୁହଁ । କିନ୍ତୁ ତାକୁ ବ୍ୟବସ୍ଥିତ କରିବା ପାଇଁ ଏଫଏକ୍ୟୁ ମାନରେ କୋହଳ କିମ୍ବା ଅଳ୍ପ ପରିମାଣର ଧାନ କାଟିବା ପାଇଁ ଚାଷୀ ମଧ୍ୟ ରାଜି ଥିବା ଜଣା ପଡିଛି। ହେଲେ କୁଇଣ୍ଟାଲ ପ୍ରତି ୫ କେଜି କଟନୀ ଛଟନୀ କରିବା ପାଇଁ ମିଲର୍ସ ଅଡି ବସିଥିବାରୁ ଚାଷୀ ମହଲରେ ଅସନ୍ତୋଷ ବୃଦ୍ଧି ପାଉଛି। ଏହାର ପ୍ରତିବାଦରେ ଶୁକ୍ରବାର ପୁଇଁନ୍ତଳା ବ୍ଲକର ଅଧିକାଂଶ ପ୍ୟାକ୍ସକୁ ଚାଷୀମାନେ ବନ୍ଦ କରିଛନ୍ତି । ବିଲାଇସର୍ଡା, ପିପିର୍ଡା, ଛତାମଖନା, ମଳମଣ୍ଡା ଓ ପୁଇନ୍ତଳା ଆଦି ପ୍ୟାକ୍ସକୁ ଅଚଳ କରି ଦିଆଯାଇଛି। ପୂର୍ବରୁ ଜାମଗାଁ, ବଏଁରାଶର ଓ ଛତାପିପଲ ପ୍ୟାକ୍ସକୁ ମଧ୍ୟ ବନ୍ଦ କରିଥିଲେ ଚାଷୀ।

ଜିଲ୍ଲାରେ ପ୍ରତିବର୍ଷ ମଣ୍ଡି ସମସ୍ୟା ଦେଖାଦେବା ସହ ମିଲର୍ସ ଓ ପ୍ୟାକ୍ସ କର୍ମଚାରୀ ଦ୍ୱାରା ଚାଷୀ ଶୋଷିତ ହୋଇ ଆସୁଛି। ଫଳରେ ଚାଷୀ ବାଧ୍ୟ ହୋଇ ଦଲାଲଠାରେ କମ୍ ଦରରେ ଧାନ ବିକ୍ରି କରି ବହୁ କ୍ଷତି ସହୁଛି। ଏଥିପାଇଁ ମଣ୍ଡିରେ କଟନୀ ଛଟନୀ ବନ୍ଦ ସହ ସୁବ୍ୟବସ୍ଥିତ ଭାବେ ପ୍ୟାକ୍ସ ଚାଲୁ କରାଯିବା ସହ ସମସ୍ୟାର ସମାଧାନ ଆସନ୍ତା ରବିବାର ମଧ୍ୟରେ କରାଯିବାକୁ ଚାଷୀ ଦାବି କରିଛନ୍ତି। ନହେଲେ ଚାଷୀ ବିକଳ୍ପ ପନ୍ଥା ଆପଣେଇବା ସହ ଆସନ୍ତା ସୋମବାର ଜାତୀୟ ରାଜପଥ ଅବରୋଧ କରିବା ପାଇଁ ଚେତାବନୀ ଦେଇଛନ୍ତି। ହେଲେ ଏହି ଆନ୍ଦୋଳନ ସମୟରେ ଯଦି କିଛି ଅଘଟଣ କି କାହାର କିଛି କ୍ଷୟକ୍ଷତି ହୁଏ ସେଥିପାଇଁ ଜିଲ୍ଲା ପ୍ରଶାସନ ସଂପୂର୍ଣ୍ଣ ଦାୟୀ ରହିବେ ବୋଲି ଆଗତୁରା ଜଣାଇ ଦେଇଛି ଚାଷୀ। ଦେଖାଯାଉ ଜିଲ୍ଲା ପ୍ରଶାସନ ଏ ଦିଗରେ କି ପଦକ୍ଷେପ ନେଉଛି।