ଧାମନଗରର ବଦଳା ପଦମପୁରରେ: ବିପୁଳ ଭୋଟରେ ଜିତିଲା ବିଜେଡି

ଓଡ଼ିଶାବଡ଼ ଖବରରାଜନୀତି

ଏନ୍ଏନ୍ ବ୍ୟୁରୋ। ଧାମନଗରରେ ଫେଲ, ପଦମପୁରରେ ପାସ୍। ଧାମନଗର ଉପନିର୍ବାଚନର ବଦଳା ପଦମପୁରରେ ନେଲା ବିଜେଡି। ବରିଷ୍ଠ ନେତାଙ୍କୁ ହରାଇଲେ ନବାଗତ ବର୍ଷା। ବିପୁଳ ଭୋଟରେ ଜିତି ନୂଆ ରେକର୍ଡ ସୃଷ୍ଟି କରିଛନ୍ତି ବର୍ଷା। ବିଜେପିର ପ୍ରଦୀପ ପୁରୋହିତଙ୍କୁ ବିପୁଳ ଭୋଟରେ ହରାଇ ପୁଣି ଥରେ ବିଧାନସଭା ଆସନ ହାତେଇଛି ବିଜେଡି। ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ନିକଟତମ ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କୁ ୪୨ ହଜାର ୬୭୯ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି। ବିଜେଡିକୁ ମୋଟ ୧ ଲକ୍ଷ ୨୦ ହଜାର ୮୦୭ ଭୋଟ୍ ମିଳିଛି। ସେହିପରି ବିଜେପିକୁ ୭୮ ହଜାର ୧୨୮ ଭୋଟ୍ ମିଳିଥିବା ବେଳେ କଂଗ୍ରେସକୁ ମାତ୍ର ୩୫୯୪ ଭୋଟ୍ ମିଳିଛି । ରେକର୍ଡ ସଂଖ୍ୟକ ୪୨ ହଜାରରୁ ଅଧିକ ଭୋଟରେ ବିଜେପିକୁ ହରାଇ ପଦ୍ମପୁର ଦଖଲ କରିବାରେ ସକ୍ଷମ ହୋଇଛି ବିଜେଡ଼ି।

ପଦମପୁର ଫାଇଟରେ ଏଥର ପ୍ରମୁଖ ତିନି ଦଳର ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇଥିଲେ। ଏଥିସହ ମୋଟ ୧୦ ଜଣ ପ୍ରାର୍ଥୀ ନିର୍ବାଚନରେ ଭାଗ ନେଇଥିଲେ। ବିଜେପି ବରିଷ୍ଠ ନେତା ପ୍ରଦୀପ ପୁରୋହିତ, ବିଜେଡି ଦିବଙ୍ଗତ ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ଝିଅ ବର୍ଷା ସିଂ ବରିହା ଓ କଂଗ୍ରେସରୁ ସତ୍ୟଭୂଷଣ ସାହୁ ନିର୍ବାଚନ ଲଢ଼ୁଥିଲେ। କିନ୍ତୁ ବିଜେଡ଼ି ଏଠାରେ ଧାମନଗରର ବଦଳା ନେଇ ପୁଣି ନିଜର ଦବଦବା ଜାହିର କରିଛି।