କୁଚିଣ୍ଡାରେ ଶସ୍ୟ ବୀମା ଦାବିରେ ଆଇନ୍ ଅମାନ୍ୟ ଆନ୍ଦୋଳନ

ଓଡ଼ିଶାବଡ଼ ଖବର

ନବନୀତା ବ୍ୟୁରୋ। ଶସ୍ୟ ବୀମା ବୀମା ଦାବିରେ କୁଚିଣ୍ଡା ଉପଖଣ୍ଡରେ ଅନିର୍ଦ୍ଧିଷ୍ଟ ସମୟ ଯାଏଁ ଆଇନ୍ ଅମାନ୍ୟ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଚାଷୀ। ବାରମ୍ବାର ଦାବି ପରେ ବି କିଛି ଲାଭ ମିଳୁନଥିବାରୁ ଚାଷୀ ବାଧ୍ୟ ହୋଇ ଆନ୍ଦୋଳନର ପନ୍ଥା ଆପଣେଇଥାନ୍ତି। କୁଚିଣ୍ଡାର ସବୁ ସରକାରୀ ଅଫିସ ଓ ବ୍ୟାଙ୍କ ବନ୍ଦ ରହିଛି। ଫଳରେ ସାଧାରଣ ଲୋକ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଅଭିଯୋଗ ଅନୁସାରେ, ଗତ ୨୦୧୮ ମସିହାରେ ମରୁଡି ଯୋଗୁଁ ବ୍ୟାପକ ଫସଲ ନଷ୍ଟ ହୋଇ ଚାଷୀ ବହୁ କ୍ଷତି ସହିଥିଲେ। ହେଲେ ଆଜି ଯାଏ ଶସ୍ୟ ବୀମା ପାଇ ନାହାନ୍ତି ଚାଷୀ। ଏପରିକି ଏନେଇ ବାରମ୍ବାର ଅଭିଯୋଗ କରି ନିରାଶ ହୋଇଗଲେଣି। ଶେଷରେ ବାଧ୍ୟ ହୋଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଚାଷୀ। ରବିବାର ଚାଷୀମାନେ କୁଚିଣ୍ଡା ବନ୍ଦ କରିଥିଲେ। ୫୩ ଓ ୪୯ ନମ୍ୱର୍ ଜାତୀୟ ରାଜପଥ ବନ୍ଦ ସହ ସମସ୍ତ ସରକାରୀ ଅଫିସ, ବେସରକାରୀ ଅଫିସ, ଦୋକାନ ବଜାର, ଗାଡିମଟର ଚଳାଚଳ ବନ୍ଦ ରହିଥିଲା।

ତେବେ ଆଗରୁ ଅନେକ ଥର କୁଚିଣ୍ଡା ବନ୍ଦ କରି ସାରିଛନ୍ତି ଚାଷୀ। ହେଲେ ଚାଷୀଙ୍କ ଦୁଃଖ ବୁଝିବାକୁ କେହି ନାହାନ୍ତି। ଏପରିକି ପ୍ରଶାସନ ସହ ବିଭାଗୀୟ ଅଧିକାରୀଙ୍କ ଚେତା ପଶୁନଥିବାରୁ ଚାଷୀ ନିରାଶ ହୋଇ ବସିଛି। ତେଣୁ ଶେଷରେ ବାଧ୍ୟ ହୋଇ ଆଇନ ଅମାନ୍ୟ ଆନ୍ଦୋଳନ କରିଛନ୍ତି ଚାଷୀ। କୁଚିଣ୍ଡା ସହ ଜମନକିରା, ବାମରାରେ ମଧ୍ୟ ଚାଷୀ ଆନ୍ଦୋଳନ କରିଥିଲେ।