ବଲାଙ୍ଗିର ଏନ୍ଏନ୍ ବ୍ୟୁରୋ I ନକଲି ବ୍ୟାଙ୍କ ମ୍ୟାନେଜର ମହାଲିଙ୍ଗଙ୍କ ନୋମିନି I ଲୋଇସିଂହା ବିଧାୟକ ତଥା ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଘନିଷ୍ଠ କୁହାଯାଉଥିବା ନକଲି ବ୍ୟାଙ୍କ ମ୍ଯାନେଜର ଦିଲୀପ ପଧାନ ଏବେ ହାଇସ୍କୁଲ ନୋମିନି I ବିଜେପି କର୍ମୀ ତଥା ନକଲି ବ୍ୟାଙ୍କ ମ୍ୟାନେଜର ଦିଲୀପ ପଧାନଙ୍କୁ ଲୋକାପଡା ହାଇସ୍କୁଲର ନୋମିନି ନିଯୁକ୍ତ କରିଛନ୍ତି ଖୋଦ୍ ମନ୍ତ୍ରୀ ମହାଲିଙ୍ଗ I ଏବେ ନକଲି ବ୍ୟାଙ୍କ ମ୍ୟାନେଜର କେମିତି ହାଇସ୍କୁଲର ବିକାଶ କାର୍ଯ୍ୟ ବୁଝିବେ ସେନେଇ ଜୋରସୋର ଚର୍ଚ୍ଚା I
ଗତ କିଛି ଦିନତଳେ ବିଜେପି କର୍ମୀ ଦିଲୀପ ପଧାନ ନକଲି ବ୍ୟାଙ୍କ ମ୍ୟାନେଜର ନାଁରେ ଠକେଇ କରୁଥିବା ଅଭିଯୋଗ ଆଣିଥିଲେ ବୌଦ୍ଧର ଜଣେ ମହିଳା I ଏହି ଘଟଣା ଜଣାପଡିବା ପରେ ଲୋଇସିଂହା ବିଜେପି କ୍ୟାମ୍ପରେ ହଇଚଇ ସୃଷ୍ଟି ହୋଇଥିଲା I ତେବେ ଘଟଣାକୁ ଚପାଇବା ପାଇଁ ଉଦ୍ୟମ କରିଥିଲେ ବି କିଛି ଗଣମାଧ୍ୟମରେ ନକଲି ମ୍ୟାନେଜର ଦିଲୀପ ପଧାନଙ୍କ ଏହି ଖବର ପ୍ରକାଶିତ ହୋଇଥିଲା I ଏପରିକି ଏନେଇ ଦିଲୀପ ପଧାନଙ୍କୁ ଫୋନ ଯୋଗେ ଯୋଗାଯୋଗ କରିଥିଲେ ବି ସେ ଏନେଇ ପ୍ରତିକ୍ରିୟା ଦେବାକୁ ମନା କରି ଦେଇଥିଲେ I
ଏହା ପୂର୍ବରୁ ସାମାନ୍ୟ କଥାକୁ ନେଇ ସଂଘଟିତ ମାଡ଼ଗୋଳ ଘଟଣାରେ ଦିଲୀପ ପଧାନ ଆହତ ହୋଇଥିଲେ I ଏଥିରେ ଖୋଦ୍ ମନ୍ତ୍ରୀ ମୁଣ୍ଡ ପୁରାଇ ପୋଲିସକୁ ଫୋନ କରି ବିଜେଡି ସମର୍ଥିତ ଜଣେ ଯୁବକଙ୍କୁ ଗିରଫ କରାଇଥିଲେ I ଏବଂ ପରବର୍ତ୍ତୀ ସମୟରେ ଭୀମଭୋଇ ମେଡିକାଲକୁ ଯାଇ ବିଜେପି କର୍ମୀ ତଥା ନକଲି ବ୍ୟାଙ୍କ ମ୍ୟାନେଜର ଦିଲୀପ ପଧାନଙ୍କୁ ଭେଟି ସ୍ୱାସ୍ଥ୍ୟ ସମ୍ପର୍କରେ ପଚାରି ବୁଝିଥିଲେ I ଏହାପରେ ମନ୍ତ୍ରୀ ମୁକେଶ କିଛି ଅପରାଧିଙ୍କୁ ନେଇ ସାଙ୍ଗରେ ବୁଲୁଥିବା ନେଇ ବିଜେଡି ପକ୍ଷରୁ ସଙ୍ଗୀନ ଅଭିଯୋଗ ବି ହୋଇଥିଲା I
କିନ୍ତୁ ଯାହା ପାଇଁ ସେ ମେଡିକାଲ ଯାଇଥିଲେ ଏବେ ସେହି ବିଜେପି କର୍ମୀ ଦିଲୀପ ପଧାନ ନକଲି ବ୍ୟାଙ୍କ ମ୍ୟାନେଜର ସାଜି ଠକେଇ କରୁଥିବା ଅଭିଯୋଗ ଆସିଛି I ଆଶ୍ଚର୍ଯ୍ୟର କଥା, ସେହି ନକଲି ବ୍ୟାଙ୍କ ମ୍ୟାନେଜରକୁ ଏବେ ଲୋକାପଡା ହାଇସ୍କୁଲର ପ୍ରତିନିଧି ଭାବେ ନିଯୁକ୍ତ କରିଛନ୍ତି ମନ୍ତ୍ରୀ I ଏବେ ପ୍ରଶ୍ନ ଉଠୁଛି, ନକଲି ବ୍ୟାଙ୍କ ମ୍ୟାନେଜର ନାଁରେ ଠକେଇ ଅଭିଯୋଗ ଆସିଥିବା ଦିଲୀପ ପଧାନଙ୍କୁ କାହିଁକି ନୋମିନି କଲେ ମନ୍ତ୍ରୀ ମୁକେଶ ? ତେବେ ସଚ୍ଚୋଟତାର କଥା କହୁଥିବା ମନ୍ତ୍ରୀ, ନକଲି ମ୍ୟାନେଜର ଦିଲୀପ ପ୍ରତି ଆହୁରି ସହାନୁଭୂତି ଦେଖାଉଛନ୍ତି ନାଁ ବିତାଡିତ କରୁଛନ୍ତି ସେ ଉପରେ ରହିଛି ସମସ୍ତଙ୍କ ନଜର I