ବିପଦରେ ଗଜରାଜ, ୨୧ ଦିନରେ ମଲେଣି ନନ୍ଦନକାନନର ୩ ହାତୀ

ଓଡ଼ିଶାବଡ଼ ଖବର

ନବନୀତା ବ୍ୟୁରୋ । ନନ୍ଦନକାନନରେ ବି ସୁରକ୍ଷିତ ନୁହନ୍ତି ହାତୀ । ଯେମିତି କି ହାତୀର କେହି ସାଥୀ ନାହାନ୍ତି । ପୁରା ସଂକଟରେ ଗଜରାଜ । ୨୧ ଦିନ ମଧ୍ୟରେ ତିନି ତିନିଟି ହାତୀର ମୃତ୍ୟୁ ହୋଇ ସାରିଲାଣି । ତାହା ପୁଣି ଭୁବନେଶ୍ୱରର ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ । ଗୁରବାର ଅସୁସ୍ଥ ଥିବା ଏକ ୭ ବର୍ଷର ମାଈ ହାତୀ କମଳାର ମୃତ୍ୟୁ ହୋଇଛି । ତା ଦେହରେ ହରପିସ ଭୂତାଣୁ ଲକ୍ଷଣ ଦେଖିବାକୁ ମିଳିଛି ।
ବୁଧବାର ହାତୀ କମଳା କୌଣସି ଖାଦ୍ୟ ଗ୍ରହଣ କରିନଥିଲା । ଠିକ ଭାବେ ଚଲାବୁଲା ନ କରିବା ସହ ଗୋଟିଏ ଜାଗାରେ ଚୁପଚାପ ଛିଡ଼ା ହୋଇ ରହିଥିବା ଦେଖିବାକୁ ମିଳିଥିଲା । ତେଣୁ ଏକ ୩ ଜଣିଆ ଡାକ୍ତରୀ ଟିମ କମଳାର ସ୍ୱାସ୍ଥ୍ୟବସ୍ଥା ଉପରେ ନଜର ରଖିଥିଲେ । ହେଲେ ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ଅପ୍ରାଣ ଉଦ୍ୟମ ପରେ ମଧ୍ୟ ହାତୀକୁ ବଂଚାଇ ପାରିନଥିଲେ । ଶେଷରେ ହାତୀ କମଳାର ମୃତ୍ୟୁ ଘଟିଛି । ଏଥିସହ ନନ୍ଦନକାନନରେ ହାତୀ ସଂଖ୍ୟା ୫କୁ ହ୍ରାସ ପାଇଛି ।
ଅନ୍ୟପଟେ ଆଉ ଏକ ହାତୀ ଅସୁସ୍ଥ ହୋଇ ପଡ଼ିଥିବା ଜଣାପଡ଼ିଛି । ୫ ବର୍ଷର ମାଈ ହାତୀ ଗୌରୀ ହରପିସ ଭୂତାଣୁର ଶିକାର ହୋଇଛି । ସେପଟେ ହାତୀର ରକ୍ତ ନମୁନା ପରୀକ୍ଷା ଲାଗି ଆସାମର ହରପିସ ଭାଇରସ କେନ୍ଦ୍ରକୁ ପଠା ଯାଇଛି । ତେବେ ହରପିସ ଭୂତାଣୁରେ ହାତୀ ମୃତ୍ୟୁ ହେଉଥିବା ସଂଦେହ କରାଯାଉଥିଲେ ମଧ୍ୟ ଆସାମ ହରପିସ କେନ୍ଦ୍ରର ରିପୋର୍ଟକୁ ଅପେକ୍ଷା କରିଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ । ଏହା ପୂର୍ବରୁ ଗତ ୧୫ ତାରିଖରେ ନନ୍ଦନକାନରେ ଦନ୍ତାହାତୀ ଚନ୍ଦନର ମୃତ୍ୟୁ ଘଟିଥିଲା । ହାତୀଟି ଗତ ୧୩ ତାରିଖରେ ଅସୁସ୍ଥ ହୋଇପଡିଥିଲା । ହେଲେ ୧୫ ତାରିଖ ରବିବାର ଭୋର ୩ଟା ୪୦ଟା ସମୟରେ ହାତୀର ମୃତ୍ୟୁ ହୋଇଥିଲା । ହାତୀ ହରପିସ ଭୂତାଣୁ ସଂକ୍ରମଣର ଶିକାର ହୋଇଥିବା କୁହାଯାଉଛି । ସୂଚନା ଅନୁସାରେ,୨୦୧୦ ଜୁଲାଇ ୨୮ ତାରିଖରେ ୧୭ ଦିନର ହୋଇଥିବା ବେଳେ ଚନ୍ଦନ ମା ହାତୀଠାରୁ ଅଲଗା ହୋଇଥିଲା । ବନ କର୍ମଚାରୀ ହାତୀକୁ ଚନ୍ଦକା ଡିଭିଜନ ଜଙ୍ଗଲରୁ ଉଦ୍ଧାର କରି ନନ୍ଦନକାନନକୁ ଆଣିଥିଲେ । ତା ପୂର୍ବରୁ ଏକ ୧୦ ବର୍ଷର ମାଈ ହାତୀ ଜୁଲୀର ମୃତ୍ୟୁ ଘଟିଥିଲା । ତେବେ ରକ୍ଷଣାବେକ୍ଷଣ ଓ ଚିକିତ୍ସା ଅଭାବ ଯୋଗୁଁ ନନ୍ଦନକାନନରେ ଜୀବଜନ୍ତୁଙ୍କର ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ନେଇ ପର୍ଯ୍ୟଟକମାନେ ନିରାଶ ହୋଇଥିବା ବେଳେ ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ଚିନ୍ତା ଆହୁରି ବଢ଼ି ଯାଇଛି ।