ଏନ୍ଏନ୍ ବ୍ୟୁରୋ । ଜିଲ୍ଲାପାଳ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷରେ ଜିଲ୍ଲା ବିଜୁଳି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ତିନି ମାସରେ ଥରେ ଏହି ବୈଠକ ବସିବାକୁ ଥିଲେ ବି ମହାମାରି କରୋନା ତଥା ଅନ୍ୟାନ୍ୟା ସମସ୍ୟା ଯୋଗୁଁ ଦୁଇ ବର୍ଷ ହେଲା ବୈଠକ ବସିନଥବାରୁ ଉପସ୍ଥିତ ସଭ୍ୟମାନେ ଉଦ୍ବେଗ ପ୍ରକାଶ କରିଥିଲେ । ଏଣୁଏଣିକି ତିନି ମାସରେ ଥରେ ଏହି ବୈଠକ ବସାଇବାକୁ ଜିଲ୍ଲାପାଳ ଚଂଚଳ ରାଣା ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବୈଠକରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ବିଜୁଳି ବିଭାଗ ତରଫରୁ ପ୍ରଦାନ କରାଯାଇଥିବା ତଥ୍ୟକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ । ସେ କହିଥିଲେ ବିଜୁଳି ବିତରଣର ଦାୟିତ୍ୱ ଟାଟା ପାୱାର ନେବା ଦିନ ଠାରୁ ବିଜୁଳି ସେବା ହୁଗୁଳା ହୋଇ ଗଲାଣି । ବିଭାଗୀୟ ଅଧିକାରୀମାନେ ସହର ତଥା ଗାଁରେ ବିଜୁଳି ପ୍ରଦାନରେ ଅସଫଳ ରହୁଛନ୍ତି । ଯେହେତୁ ବିଜୁଳି ସେବା ପ୍ରଦାନ ଏକ ମୌଳିକ ଅଧିକାର ତେଣୁ ଅଧିକାରୀମାନେ ଏଥିପ୍ରତି ବିଶେଷ ଯତ୍ନବାନ ହେବା ଦରକାର ।
ଜିଲ୍ଲାପାଳ ଚଂଚଳ ରାଣା ଆଗାମୀ ବୈଠକରେ ଜିଲ୍ଲାର ବିଜୁଳି ସମସ୍ୟା ଥିବା ଗାଁ, ଘରକୁ ଘର ବିଜୁଳି ସଂଯୋଗର ସ୍ଥିତି କଣ ବିଭିନ୍ନ ଯୋଜନା ଅନୁଯାୟୀ ସେ ସବୁର ଏକ ଭିନ୍ନ ଭିନ୍ନ ରିପୋର୍ଟ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ବିଭାଗ ପ୍ରଦାନ କରିଥିବା ତଥ୍ୟରେ ସାମଞ୍ଜସ୍ୟ ନଥିବାରୁ ଆଗାମୀ ବୈଠକରେ ଯେମିିତି ଏହାର ପୁନରାବୃତ୍ତି ନ ହୁଏ ସେ ଉପରେ ଧ୍ୟାନ ଦେବାକୁ ଅଧିକାରୀମାନଙ୍କୁ କହିଥିଲେ । ଏବଂ ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ବିଭିନ୍ନ ଯୋଜନା ଅନୁଯାୟୀ ଗାଁ ଗୁଡିକରେ ବିଜୁଳି ସଂଯୋଗର ସବିଶେଷ ସ୍ଥିତିର ଏକ ରିପୋର୍ଟ ସରପଞ୍ଚମାନଙ୍କର ଦସ୍ତଖତ ସହ ପ୍ରସ୍ତୁତ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ବିଜୁଳି ଦେୟକୁ ଯେମିତି କମ୍ କରାଯାଇ ପାରିବ ସେ ଉପରେ ଅଧିକାରୀମାନେ ଉପସ୍ଥିତ ସଭ୍ୟମାନଙ୍କର ସହଯୋଗ କାମନା କରିଥିଲେ । ଏ ଦିଗରେ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯିବ ବୋଲି ଉପସ୍ଥିତ ସଭ୍ୟମାନେ ପ୍ରତିଶୃତି ଦେଇଥିଲେ । ଯେପରି ଦେୟ ଦେଉଥିବା ଲୋକେ ଦେୟ ଦେଉନଥିବା ଲୋକଙ୍କ ପାଇଁ ହଇରାଣ ନ ହେବେ ସେଥିପ୍ରତି ବିଶେଷ ଧ୍ୟାନ ଦେବାକୁ ବିଧାୟକ ନରସିଂହ ମିଶ୍ର ଅଧିକାରୀମାନଙ୍କୁ କହିଥିଲେ । ଏଥିସହ ବକେୟା ଦେୟ ଯୋଗୁଁ ଯେମିତି କୌଣସି ଗ୍ରାମ ବିଜୁଳି ପାଇବାରୁ ବଂଚିତ ନ ହେବ ତାହା ଅଧିକାରୀମାନେ ସୁନିଶ୍ଚିତ କରନ୍ତୁ ବୋଲି ସେ କହିଥିଲେ । ହେଲେ ଉଚ୍ଚ କ୍ଷମତା ସମ୍ପନ୍ନ ବିଜୁଳି ତାର ଜିଲ୍ଲାର ବିଭିନ୍ନ ଶିକ୍ଷାନୁଷ୍ଠାନଗୁଡ଼ିକ ଉପରେ ଯାଇଥିବାରୁ ଏହାକୁ ଯେତେ ଶୀଘ୍ର ହେବ ସ୍ଥାନାନ୍ତରଣ କରିବାକୁୁ ଚଂଚଳ ରାଣା ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଓ ମନ୍ତ୍ରୀ ଟୁକୁନି ସାହୁଙ୍କ ପ୍ରତିନିଧି ଚନ୍ଦ୍ରବଦନ ପୁରୋହିତ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ, ବିଧାୟକ ମୁକେଶ ମହାଲିଙ୍ଗଙ୍କ ପ୍ରତିନିଧି ଟିଟିଲାଗଡ, ଲୋଇସିଂହା ଓ ପାଟଣାଗଡ ଏରିଆରେ ଥିବା ବିଭିନ୍ନ ଗ୍ରୀଡର ସମସ୍ୟା ତଥା ବିଦ୍ୟୁତକରଣ ହୋଇଥିବା ବିଭିନ୍ନ ଗ୍ରାମରେ ଶୀଘ୍ର ବିଦ୍ୟୁତକରଣ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଜାଗା ମିଶନରେ ଚିହ୍ନଟ ହୋଇଥିବା ନୂତନ କଲୋନିଗୁଡ଼ିକରେ ବିଦ୍ୟୁତକରଣ, ସୁକତେଲ ବିସ୍ଥାପିତଙ୍କ ପାଇଁ ତିଆରି ହେଉଥିବା କଲୋନୀ ତଥା ଲୋକେ ନିଜ ଇଚ୍ଛା ମୁତାବକ ଗୋଷ୍ଠି ହୋଇ ବାସ କରୁଥିବା ଆପତ୍ତିବିହୀନ ଜାଗାଗୁଡ଼ିକରେ ବିଦ୍ୟୁତକରଣକୁ ତ୍ୱରିତ କରିବାକୁ ପ୍ରସ୍ତାବ ଦିଆଯାଇଥିଲା । ମରାମତି ଏବଂ ରକ୍ଷଣାବେକ୍ଷଣ ଆଳ ଦେଖାଇ ବାରମ୍ବାର ବିଦ୍ୟୁତ କାଟ ହେଉଥିବା ଯୋଗୁଁ ଏହା ଉପରେ ରୋକ ଲଗାଇବାକୁ ଉପସ୍ଥିତ ସଭ୍ୟମାନେ ଗୁରୁତ୍ୱାରୋପ କରିଥିଲେ । ବୈଠକରେ ଟାଟା ପାୱାରର ଅଧିକ୍ଷଣ ଯନ୍ତ୍ରୀ ରଂଜନ ନାଏକ, ଟାଟା ପାୱାରର ପରିଚାଳନା ମୁଖ୍ୟ ସୁମିତ ବୋଷ, କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଜଗଦିଶ ଚନ୍ଦ୍ର ପାତ୍ର, ବିଭୁତି ଭୂଷଣ ଶତପଥି, ଜେନେରାଲ ମ୍ୟାନେଜର ଓପଟିସିଏଲ୍ ସନ୍ତୋଷ କୁମାର ବନଛୋର, ସଂଜୟ କୁମାର ଦେ, ଜିଲ୍ଲା ଯୋଜନା ଅଧିକାରୀ ପ୍ରମୁଖ ଉପସ୍ଥିତ ରହିଥିଲେ ।
ଜିଲ୍ଲା ବିଜୁଳି କମିଟି ବୈଠକରେ ଭୁଲ ତଥ୍ୟକୁ ନେଇ ଉଦ୍ବେଗ
