ନବନୀତା ବ୍ୟୁରୋ । ପ୍ରତ୍ୟାଖିତ ନେତା ବିଫଳ । ନିର୍ବାଚନରେ ଷ୍ଟାର ପ୍ରଚାରକ ହୋଇଥିବା ପ୍ରତ୍ୟାଖିତ ନେତା ଭୋଟରଙ୍କୁ ଆକୃଷ୍ଟ କରିବାରେ ଫେଲ ମାରିଛନ୍ତି । ବିଜେପିର ସନତ ଗଡ଼ତିଆ ୩୭,୯୫୫ ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଗତ ସାଧାରଣ ନିର୍ବାଚନରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଦ୍ୱନ୍ଦୀ ଭାବେ ଛିଡ଼ା ହୋଇ ୫୩,୪୮୨ ଭୋଟ ହାତେଇବାରେ ସକ୍ଷମ ହୋଇଥିଲେ ସନତ । ମୁଖ୍ୟମନ୍ତ୍ରୀଙ୍କ ସହ ନିର୍ବାଚନ ଲଢ଼ି ୫୩ ହଜାର ଭୋଟ ପାଇଥିବା ସନତଙ୍କ ଏଥର ଭୋଟ ସଂଖ୍ୟା ବଢ଼ିବା ଆଶା କରାଯାଉଥିଲା । ହେଲେ ଭୋଟ ବଢ଼ିବା ପରିବର୍ତ୍ତେ ୧୫,୫୨୭ ଭୋଟ କମି ଯାଇଛି । ସେହିପରି କଂଗ୍ରେସର ଦିଲିପ ପଣ୍ଡା ନିଜ ଅମାନତ ମଧ୍ୟ ରକ୍ଷା କରି ପାରି ନାହାନ୍ତି । ତାଙ୍କୁ ମିଳିଛି କେବଳ ୫,୮୭୧ ଖଣ୍ଡ ଭୋଟ । ଗତ ଥର କଂଗ୍ରେସ ଏଠାରୁ ୧୪,୩୪୪ ଖଣ୍ଡ ଭୋଟ ପାଇଥିଲା । ହେଲେ ଏଥର ତାହା କମି କମି ୫ ହଜାରକୁ ଖସି ଆସିଛି । ଏବେ ପ୍ରଶ୍ନ ଉଠୁଛି ଯେ, ଭୋଟରଙ୍କ ମନ କଣିବାରେ ଅସଫଳ ହେଲେ କି ପ୍ରତ୍ୟାଖିତ ନେତା? ଯିଏ ନିଜ ନିର୍ବାଚନ ମଣ୍ଡଳୀର ଲୋକଙ୍କୁ ନିଜ ହାତ ମୁଠାରେ ରଖି ପାରୁ ନାହାନ୍ତି ସେମାନେ କିଭଳି ଅନ୍ୟ ନିର୍ବାଚନ ମଣ୍ଡଳୀର ଭୋଟରଙ୍କୁ ନିଜ ଆଡ଼କୁ ଆକର୍ଷିତ କରି ପାରିବେ । ବିଜେପିର ଷ୍ଟାର କ୍ୟାଂପେନର ତଥା କେନ୍ଦ୍ରାପଡ଼ାର ପ୍ରତ୍ୟାଖିତ ନେତା ବୈଜୟନ୍ତ ପଣ୍ଡା, ବିଜୟ ମହାପାତ୍ର, ବରିଷ୍ଠ ନେତା ପ୍ରଦୀପ ପୁରୋହିତ, ରବି ନାରାୟଣ ନାଏକ, ରାଧାରାଣୀ ପଣ୍ଡାଙ୍କ ଭଳି ଅନେକ ଟାଣୁଆ ନେତା ପ୍ରଚାରର ମଂଗ ଧରିିଥିଲେ । ସେହିପରି କଂଗ୍ରେସ ପକ୍ଷରୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ଶରତ ପଟ୍ଟନାୟକ, ପ୍ରସାଦ ହରିଚନ୍ଦନ, ଭକ୍ତ ଚରଣ ଦାସଙ୍କ ଭଳି ପୋଖତ ନେତା ଦଳୀୟ ପ୍ରାର୍ଥୀଙ୍କ ଲାଗି ପ୍ରଚାର କରିିଥିଲେ । ହେଲେ ଏମାନେ ସମସ୍ତେ ନିଜ ନିଜ ଅଞ୍ଚଳରୁ ପ୍ରତ୍ୟାଖିତ ହୋଇଥିବାରୁ ବିଜେପୁର ନିର୍ବାଚନରେ କିଛି ଅସର ପକାଇ ପାରିଲେ ନାହିଁ । ଭୋଟ ସଂଖ୍ୟା ବଢ଼ିବ କଣ ଓଲଟା କମି ଯାଇଛି । ଏଥିରୁ ସ୍ପଷ୍ଟ ବାରି ହୋଇ ପଡୁଛି ଯେ, ପ୍ରତ୍ୟାଖିତ ନେତାଙ୍କୁ ଗ୍ରହଣ କଲେନି ବିଜେପୁର ଭୋଟର ।

ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ, ବିଜେଡିର ପ୍ରତ୍ୟାଖିତ ନେତା କିଭଳି ଭୋଟରଙ୍କ ମନ ଜିଣିଲେ? ବିଜେଡିର ବରିଷ୍ଠ ନେତା ସଂଜୟ ଦାଶବର୍ମା, ପୁଷ୍ପେନ୍ଦ୍ର ସିଂହଦେଓ, କଳିକେଶ ନାରାୟଣ ସିଂହଦେଓ, ନଳିନୀ କାନ୍ତ ପଧାନ, ରାସେଶ୍ୱରୀ ପାଣିଗ୍ରାହୀଙ୍କ ଭଳି ନେତାଏ ପ୍ରଚାର କରୁଥିଲେ । ଏମାନେ ପ୍ରଚାର କାର୍ଯ୍ୟରେ ଲାଗିଥିଲେ ସତ, କିନ୍ତୁ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଉପରେ ସବୁ ଦାୟିତ୍ୱ ରହିଥିଲା । ନିର୍ବାଚନ ପ୍ରଚାର ବେଳେ ନୁହେଁ ତାର ଗୋଟିଏ ମାସରୁ ସବୁ କାର୍ଯ୍ୟ ସାରି ଦେଇଥିଲା ବିଜେଡି । ନିର୍ବାଚନ ହାତେଇବାରେ ଧୁରନ୍ଧର ସୁଶାନ୍ତ ସିଂ ସବୁ ରଣନୀତି ସାରି ଦେଇଥିଲେ । କେବଳ ନାମକୁ ମାତ୍ର ପ୍ରଚାର କରୁଥିଲା ବିଜେଡି । ଅଧିକ ଭୋଟ ବ୍ୟବଧାନ ବଢ଼ାଇବା ଲାଗି ମୁଖ୍ୟମନ୍ତ୍ରୀଙ୍କ ସହ ଦଳର ଅନେକ ମନ୍ତ୍ରୀ ଓ ନେତା କ୍ୟାଂପେନିଂ କରୁଥିଲେ । ବିଜେଡିର ନିର୍ବାଚନ ପରିଚାଳନା ଓ ଅନ୍ୟ ଦଳର ନିର୍ବାଚନ ପ୍ରସ୍ତୁତି ମଧ୍ୟରେ ଆକାଶ ପାତାଳ ତଫାତ୍ । ଏହି କାରଣରୁ ବିଜେଡି ପ୍ରାର୍ଥୀ ରୀତା ସାହୁ ପାଖାପାଖି ଲକ୍ଷେ ଭୋଟରେ ବିଜେପି ଓ କଂଗ୍ରେସ ପ୍ରାର୍ଥୀଙ୍କୁ ଧୂଳି ଚଟାଇବାରେ ସଫଳ ହୋଇଛନ୍ତି ।
