ଏନ୍ଏନ୍ ବ୍ୟୁରୋ l ନିଷ୍ପାପ ଶିଶୁକୁ ବଞ୍ଚାଇବା ପାଇଁ ଜିଲ୍ଲା ପ୍ରଶାସନର ଅଭିନବ ଉଦ୍ୟମ l ଅଲୋଡ଼ା ଶିଶୁ, ଅବାଞ୍ଛିତ ଶିଶୁଙ୍କୁ ଅସୁରକ୍ଷିତ ସ୍ଥାନରେ ନ ଫିଙ୍ଗି ଝୁଲଣା କେନ୍ଦ୍ରରେ ଦିଅନ୍ତୁ l ଫଳରେ ତାର ସୁରକ୍ଷିତ ପାଳନ ପୋଷଣ ସହ ନିଷ୍ପାପ ଶିଶୁର ଜୀବନ ରକ୍ଷା ହୋଇ ପାରିବ l ଏଥିଲାଗି ଆଜି ବଲାଙ୍ଗିର ପେଲେସ ଲାଇନ ସ୍ଥିତ ସ୍ଵତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରଠାରେ ଶିଶୁ ଝୁଲଣା କେନ୍ଦ୍ର ଉଦଘାଟିତ ହୋଇଯାଇଛି l ଜିଲ୍ଲାପାଳ ଗୌରୱ ଶିୱାଜି ଇସଲୱାର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ଶିଶୁ ଝୁଲଣା କେନ୍ଦ୍ରର ଉଦଘାଟନ କରିଛନ୍ତି l ଜିଲ୍ଲାରେ ପ୍ରଥମଥର ପାଇଁ ଏହି ଝୁଲଣା କେନ୍ଦ୍ର ଖୋଲାଯାଇଛି l ଏହି କେନ୍ଦ୍ରରେ ଗୋପନରେ ଆସି ନିଜ ପରିଚୟ ନ ଦେଇ ସୁରକ୍ଷିତ ଭାବେ ଶିଶୁଙ୍କୁ ଝୁଲଣରେ ଛାଡ଼ି ଦେଇ ପାରିବେ l ଏଥିସହ ଘଣ୍ଟି ସାଇରନ ବଜାଇଲେ ସେଠାରେ କାର୍ଯ୍ୟରତ କର୍ମଚାରୀ ଉକ୍ତ ଶିଶୁଙ୍କୁ ଉଦ୍ଧାର କରିପାରିବେ l ପରେ କୌଣସି ଯୋଗ୍ୟ ଦମ୍ପତ୍ତିଙ୍କ ପୋଷ୍ୟ ସନ୍ତାନ ଭାବେ ଉକ୍ତ ଶିଶୁ ଗୋଟିଏ ପରିବାର ତଥା ଏକ ପିତାମାତା ପାଇ ପାରିବ l ଏପରିକି ଭବିଷ୍ୟତରେ ଅଲୋଡ଼ା ଶିଶୁ ଆଉ କାହା ପାଇଁ ଭାଗ୍ୟବାନ ହୋଇ ପାରିବ ।

ସ୍ଵେଚ୍ଛାସେବୀ ଅନୁଷ୍ଠାନ ଗ୍ରାମ ମଙ୍ଗଳ ପାଠାଗାରର ଅୟୋଜିତ ତଥା ଡିସିପିଓ ଡକ୍ଟର ଅନୁପମା ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦର ନିର୍ବାହୀ ଅଧିକାରୀ ତଥା ମୁଖ୍ୟ ଉନ୍ନୟନ ଅଧିକାରୀ ତରଣି ସୁନା ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିଲେ l ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ରମେଶ ଚନ୍ଦ୍ର ସାହୁ, ବିବିଏମସିଏଚର ଅଧ୍ୟକ୍ଷା ମାନସୀ ପଣ୍ଡା, ଗ୍ରାମ ମଙ୍ଗଳ ପାଠାଗାର ସଭାପତି ପଞ୍ଚାନନ ସାମଲ, ସମ୍ପାଦକ ଭୁବନେଶ୍ୱର ସାମଲ, ଜିଲ୍ଲା ପଞ୍ଚାୟତ ଅଧିକାରୀ ସରୋଜ କୁମାର ମେହେର, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ପ୍ରୋଗ୍ରାମ ଅଫିସର୍ ସୁଧାଂଶୁ ଶେଖର କୁମ୍ଭାର, ଅରୁଣ ଖୁଆସ, ପ୍ରମୋଦ ବଗର୍ତ୍ତି, ହରିବନ୍ଧୁ ରାଉତ୍, ପ୍ରୋଗ୍ରାମ ମ୍ୟାନେଜର ଦେବାଶିଷ ପଟେଲ୍, ପଲ୍ଲୀ ଆଲୋକ ପାଠାଗାରର ହିରାଲାଲ ମିଶ୍ର, ୱାସିଡିଏର ଆନନ୍ଦିନୀ ରଥ, ଆଲିଶା ଚକ୍ରବର୍ତ୍ତୀ, ଶିଶୁ ମଙ୍ଗଳ ସମିତିର ଲିନା ବାବୁ, ଏସ୍ ଲତାଶ୍ରୀ ପ୍ରମୁଖ ଉପସ୍ଥିତ ଥିଲେ ।
