ପଶ୍ଚିମରେ ଅସମ୍ଭାଳ: ଶହେ ଟପିଲା କରୋନା, ନୂଆପଡ଼ା ଓ ବରଗଡ ନୂଆ ଜିଲ୍ଲା ସାମିଲ

ଓଡ଼ିଶାବଡ଼ ଖବରସ୍ପେଶାଲ

ନବନୀତା ବ୍ୟୁରୋ। ପଶ୍ଚିମ ଓଡ଼ିଶାରେ କରୋନା ଚିନ୍ତା। ପ୍ରତିଦିନ ବୃଦ୍ଧି ପାଇବାରେ ଲାଗିଛି ରୋଗୀ ସଂଖ୍ୟା। ଏପରିକି ୧୦ ଜିଲ୍ଲାରୁ ୯ ଜିଲ୍ଲାକୁ ବ୍ୟାପୀ ଗଲାଣି। କେବଳ ସୋନପୁର ଜିଲ୍ଲାକୁ ଛାଡ଼ିଦେଲେ ସବୁ ଜିଲ୍ଲାରେ କରୋନା ରୋଗୀ ଚିହ୍ନଟ ହୋଇ ସାରିଲେଣି। ଏଥିସହ ପଶ୍ଚିମ ଓଡ଼ିଶାରେ ମୋଟ କରୋନା ସଂଖ୍ୟା ସେନଚୁରି ମାରି ୧୧୭କୁ ବୃଦ୍ଧି ପାଇଛି।


ଗତକାଲି ପଶ୍ଚିମ ଓଡ଼ିଶାରେ ଗୋଟିଏ ଦିନରେ ୧୬ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ବଲାଙ୍ଗିରରୁ ୭, କଳାହାଣ୍ଡି ୪, ସୁନ୍ଦରଗଡ଼ ୪, ନୂଆପଡ଼ା ୧ ରୋଗୀ ଚିହ୍ନଟ ହୋଇଛନ୍ତି। ଏନେଇ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ନୂଆ ଜିଲ୍ଲା ନୂଆପଡ଼ା କରୋନା ତାଲିକାରେ ସାମିଲ ହେବା ପରେ ଆଜି ବରଗଡ ଜିଲ୍ଲା ମଧ୍ୟ ଏଥିରେ ସାମିଲ ହୋଇଛି। କେବଳ ସୋନପୁର ଜିଲ୍ଲା ବ୍ୟତୀତ ପଶ୍ଚିମ ଓଡ଼ିଶାର ସମସ୍ତ ଜିଲ୍ଲାରେ କାୟା ବିସ୍ତାର କରି ସାରିଲାଣି ମହାମାରୀ କରୋନା।


ଏବେ ଆସନ୍ତୁ ନଜର ପକେଇବା କେଉଁ ଜିଲ୍ଲାରେ କେତେ ରୋଗୀ ଚିହ୍ନଟ ହୋଇଛନ୍ତି। ପଶ୍ଚିମ ଓଡ଼ିଶାରେ ମୋଟ ଆକ୍ରାନ୍ତ ସଂଖ୍ୟା ୧୧୭ କୁ ବୃଦ୍ଧି ପାଇଛି। ସେ ମଧ୍ୟରୁ ୩୬ ଜଣ ସୁସ୍ଥ ହୋଇ ଥିବା ବେଳେ ୮୧ ଜଣ ରୋଗୀ ସକ୍ରିୟ ରହିଛନ୍ତି। ତେବେ ସର୍ବାଗ୍ରେ ରହିଛି ସୁନ୍ଦରଗଡ଼ ଜିଲ୍ଲା। ଏବେ ସୁଦ୍ଧା ଜିଲ୍ଲାରେ ୩୭ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ସେ ମଧ୍ୟରୁ ୨୫ ଜଣ ସୁସ୍ଥ ହୋଇ ଥିବା ବେଳେ ୧୨ ଜଣ ସକ୍ରିୟ ରହିଛନ୍ତି। ତା ତଳକୁ ରହିଛି ବୌଦ୍ଧ ଜିଲ୍ଲା। ଜିଲ୍ଲାରେ ୩୩ ଜଣଙ୍କ ମଧ୍ୟରୁ ୪ ସୁସ୍ଥ ହୋଇ ଥିବା ବେଳେ ୨୯ ସକ୍ରିୟ ରହିଛନ୍ତି। ସେହିପରି କଳାହାଣ୍ଡି ଜିଲ୍ଲାରେ ୧୭ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ସେ ଭିତରୁ ୨ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୫ ଜଣ ସକ୍ରିୟ ରହିଛନ୍ତି। ଚାରି ନମ୍ବରରେ ରହିଛି ବଲାଙ୍ଗିର ଜିଲ୍ଲା। ଏବେ ସୁଦ୍ଧା ୧୬ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ୨ ଜଣ ସୁସ୍ଥ ହୋଇ ଥିବା ବେଳେ ଏବେବି ୧୪ ଜଣ ସକ୍ରିୟ ରହିଛନ୍ତି। ସେହିପରି ଝାରସୁଗୁଡାରେ ୫ରୁ ୨ ଜଣ ସୁସ୍ଥ ହୋଇଥିବା ବେଳେ ୩ ଜଣ ସକ୍ରିୟ ରହିଛନ୍ତି। ତେବେ ସମ୍ବଲପୁରରେ ୫ରୁ ୫ ସବୁ ରୋଗୀ ସକ୍ରିୟ ଥିବା ବେଳେ ଦେବଗଡ ଜିଲ୍ଲାରେ ୨ରୁ ଜଣେ ସୁସ୍ଥ ହୋଇ ଥିବା ବେଳେ ଜଣେ ସକ୍ରିୟ ରହିଛନ୍ତି। ନୂଆପଡ଼ା ଓ ବରଗଡ ଜିଲ୍ଲା ନୂଆ ଭାବେ କରୋନା ତାଲିକାରେ ସାମିଲ ହୋଇଛି। ଉଭୟ ଜିଲ୍ଲାରେ ଜଣେ ଲେଖାଏଁ ରୋଗୀ ଚିହ୍ନଟ ହୋଇଛନ୍ତି।
ସୂଚନାଯୋଗ୍ୟ ଯେ, ସାରା ଓଡ଼ିଶାରେ ଏବେ ସୁଦ୍ଧା ମୋଟ କରୋନା ଆକ୍ରାନ୍ତ ସଂଖ୍ୟା ୧୩୩୬କୁ ବୃଦ୍ଧି ପାଇଛି। ସେ ମଧ୍ୟରୁ ୪୯୭ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୮୩୨ ଜଣ ସକ୍ରିୟ ରହିଛନ୍ତି। ତେବେ କରୋନା ମହାମାରୀରେ ୭ ଜଣଙ୍କ ମୃତ୍ୟୁ ଘଟିଥିବା ନେଇ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।