ଲକ୍ ଡାଉନରେ ଅନଲାଇନ ବିବାହ: ବର କନ୍ୟାଙ୍କୁ ଆଶୀର୍ବାଦ ଦେଲେ ୨ ଶହ ଅତିଥି

ଦେଶ ଓ ବିଦେଶବଡ଼ ଖବରସ୍ପେଶାଲ

ନବନୀତା ବ୍ୟୁରୋ। ମହାମାରୀ କରୋନା ସାରା ବିଶ୍ବରେ ବ୍ୟାପୀ ଗଲାଣି। ଏଥିପାଇଁ ପୃଥକ୍ ପୃଥକ୍ ଦେଶର ସରକାର ନାଗରିକଙ୍କୁ ସାମାଜିକ ଦୂରତ୍ବ ପାଳନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।ଫଳରେ ଭୂତାଣୁ ସଂକ୍ରମଣ ବ୍ୟାପିବା ଦିଗରେ ରୋକା ଯାଇପାରେ। ଏଭଳି ଗମ୍ଭୀର ସ୍ଥିତିରେ କିଛି ଲୋକ ବିବାହ କାର୍ଯ୍ୟକୁ ସ୍ଥଗିତ ରଖିଛନ୍ତି। ତେବେ କିଛି ଲୋକ ସାମାଜିକ ଦୂରତ୍ବ ପାଳନ କରି ପୂର୍ବ ଧାର୍ଯ୍ୟ ତାରିଖରେ ବିବାହ କରିଛନ୍ତି। ଏଭଳି ଏକ ନିଆରା ବିବାହ ଦେଖିବାକୁ ମିଳିଛି ଆମେରିକାରେ।
ଆମେରିକା ଅଷ୍ଟିନ ସହରରେ ଏକ ଦମ୍ପତ୍ତି ଲକ୍ ଡାଉନ୍ ସତ୍ତ୍ଵେ ପୂର୍ବ ନିର୍ଦ୍ଧାରିତ ତାରିଖରେ ବିବାହ କରିଛନ୍ତି। ଖାସ୍ କଥା ହେଉଛି ଏହି ବିବାହ ଅନଲାଇନ ମାଧ୍ୟମରେ ସମ୍ପନ୍ନ ହୋଇଥିଲା। ଏଥିରେ ପ୍ରାୟ ୨୦୦ ଅତିଥି ସଜେଇ ହୋଇ ଅନଲାଇନ୍ ରେ ସାମିହେବା ସହ ନବ ଦମ୍ପତିଙ୍କୁ ଶୁଭେଚ୍ଛା ଜଣାଇ ଥିଲେ।
ମିଡିଆ ରିପୋର୍ଟ ଅନୁସାରେ ସମସ୍ତ ଅତିଥି ଜୁମ ଆପ ଜରିଆରେ ଭିଡିଓ କନଫରେନ୍ସରେ ଏହି ବିବାହ କାର୍ଯ୍ୟରେ ସାମିଲ ହୋଇଥିଲେ। ଗତ ମାସ ୨୮ ତାରିଖରେ ଏହି ବିବାହ ହୋଇଥିଲା। ବର କନ୍ୟାଙ୍କ ନାମ ଇଥନ୍ ପୋଲାକ ଓ କେଟଲିନ ଦିଲୱର୍ଥ। ସେମାନଙ୍କ କହିବା କଥା ହେଲା ସମସ୍ତ ଅତିଥିଙ୍କୁ ଇମେଲ ଜରିଆରେ ସୂଚନା ଦେବା ସହ ଲକ୍ ଡାଉନ୍ ସତ୍ତ୍ଵେ ସାମାଜିକ ଦୂରତ୍ବ ପାଳନ କରି ନିର୍ଦ୍ଧାରିତ ତାରିଖରେ ବିବାହ କରିବେ। ସମସ୍ତ ଅତିଥି ଏହାକୁ ଗମ୍ଭୀରତା ସହ ନେଇ ଭଲ ଭାବେ ପ୍ରସ୍ତୁତ ହୋଇ ବିବାହ କାର୍ଯ୍ୟରେ ସାମିଲ ହୋଇଥିଲେ। ଏପରିକି ତାଙ୍କ ପଡୋଶୀ ଲୋକ ମଧ୍ୟ ସାମାଜିକ ଦୂରତ୍ବ ପାଳନ କରି ନିଜ ଘର ପାଚେରୀ ଠାରେ ଛିଡ଼ା ହୋଇ ବିବାହରେ ସାମିଲ ହୋଇ ନବ ଦମ୍ପତ୍ତିଙ୍କୁ ଶୁଭେଚ୍ଛା ଦେଇଥିଲେ।