ଅନଶନକାରୀଙ୍କୁ ପ୍ରଶାସନିକ ଅଧିକାରୀଙ୍କ ତାଛଲ୍ୟ: ଆତ୍ମହତ୍ୟା ଚେତାବନୀ!

ଓଡ଼ିଶାବଡ଼ ଖବରସ୍ପେଶାଲ

ଏନ୍ଏନ୍ ବ୍ୟୁରୋ। ବଲାଙ୍ଗିର ଜିଲ୍ଲା ମୁରିବାହଲ ବ୍ଲକ ହଳଦୀ ପଞ୍ଚାୟତ ଯମୁନା ଗାଁର ସୁଶୀଲ ମେର୍ଲି ବାରମ୍ବାର କାକୁତି ମିନତି ପରେ ବି ଆବାସ ଯୋଜନାରେ ଘର ଖଣ୍ଡିଏ ମିଳୁନି। ଘର ପାଇଁ ଆବେଦନ,ନିବେଦନ କରି ନିରାଶ ହୋଇ ପୁଣି ବୁଧବାର ଠାରୁ ଆମରଣ ଅନଶନ ଆରମ୍ଭ କରିଛନ୍ତି। ତେବେ ଆମରଣ ଅନଶନରେ ଗୁରୁତର ହୋଇ ସେ ଏବେ ଟିଟିଲାଗଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ତାଙ୍କର ବିଭିନ୍ନ ଡାକ୍ତରୀ ପରୀକ୍ଷା ନିଜ ଖର୍ଚ୍ଚରେ କରୁଥିବା ଜଣା ପଡିଛି। ଶୁକ୍ରବାର ପ୍ରଶାସନିକ ଅଧିକାରୀମାନେ ତାଙ୍କ ନିକଟରେ ପହଞ୍ଚି ଚିକିତ୍ସା ବ୍ୟବସ୍ଥା କରିବା ପରିବର୍ତ୍ତେ ତାଙ୍କୁ ତାଛଲ୍ୟ କରିଥିବା ଅଭିଯୋଗ ହୋଇଛି। ସୁଶୀଲ ମେର୍ଲି ଭଲଭାବେ କଥା ହୋଇପାରୁ ନ ଥିବାରୁ ସାଲାଇନ, ଇଂଜେକସନ ଚାଲିଛି। ଏଥିରେ ସୁଶୀଲ ମେର୍ଲିର ମୃତ୍ୟୁ ଘଟିବନି ବୋଲି ଉକ୍ତ ଅଧିକାରୀ ମାନେ ତାଙ୍କ ନିକଟରେ କଥା ହୋଇଥିଲେ। ଯାହା ଅନଶନରତଙ୍କୁ ଅତ୍ୟନ୍ତ ମର୍ମାହତ କରିଛି।

ସେବା ଅନୁଷ୍ଠାନର ସଦସ୍ୟ ସ୍ବେଚ୍ଛାସେବୀ ଲିଙ୍ଗରାଜ ଦୀପଙ୍କ ସହଯୋଗରେ ଚିକିତ୍ସା କରାଇଛନ୍ତି। ଶ୍ରୀ ଦୀପ ତାଙ୍କର ଚିକିତ୍ସା ନିମନ୍ତେ ନିଜ ହାତରୁ ଚିକିତ୍ସା ପାଇଁ ବାହାରେ ପରୀକ୍ଷା କରାଇଥିବା ବେଳେ ପ୍ରଶାସନିକ ଅଧିକାରୀ ମାନେ ଏପରି ତାଛଲ୍ୟକର ବିବୃତି ପ୍ରକାଶ କରିବା ନେଇ ଜଣାଇଛନ୍ତି। ତେବେ ତାଙ୍କ ଅବସ୍ଥାରେ ସୁଧାର ନ ଆସିବା, ଏପରି ମନ୍ତବ୍ୟ ପ୍ରଦାନକୁ ନେଇ ସମ୍ପୂର୍ଣ୍ଣ ନିରାଶ ହୋଇପଡିଛନ୍ତି। ଏବଂ ଆଉ ଚିକିତ୍ସା ନହୋଇ ଆତ୍ମହତ୍ୟା କରିବେ ବୋଲି ଚେତାବନୀ ଦେଇଛନ୍ତି।

ପ୍ରଶାସନିକ ଅବହେଳା ଯୋଗୁଁ ନିରାଶ ହୋଇ ସେ ଗତ ସେପ୍ଟେମ୍ବର ୨୯ ତାରିଖରେ ମୁରିବାହାଲ ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବସିଥିଲେ। ବିଡିଓ ମହେନ୍ଦ୍ର ପ୍ରଧାନୀ ଲିଖିତ ଆକାରରେ ୩୦ ଦିନ ମଧ୍ୟରେ ଉକ୍ତ ଯୋଜନା କାର୍ଯ୍ୟକାରୀ କରାଯିବା ନେଇ ପ୍ରତିଶ୍ରୁତି ଦେଇଥିଲେ। ପ୍ରତିଶ୍ରୁତି ପରେ ସେ ଅନଶନରୁ ଉଠିଥିଲେ। ହେଲେ ପ୍ରତିଶ୍ରୁତି ଦେବାର ଦେଢ଼ ମାସ ପରେ ବି ଯୋଜନା କାର୍ଯ୍ୟକାରୀ ହୋଇନି। ତେଣୁ ଗତ ବୁଧବାର ଦିନ ପୁଣି ଆନ୍ଦୋଳନକୁ ଓହ୍ଲାଇଥିଲେ ସୁଶୀଲ ମେରଲି। ହେଲେ ସନ୍ଧ୍ୟା ପ୍ରାୟ ୮ ଟାରେ ସେ ଅଚେତ ହୋଇ ଯାଇଥିଲେ। ଖବର ବିଡ଼ିଓ ସୁଶୀଲ ମେର୍ଲି ନିକଟରେ ପହଞ୍ଚି ପ୍ରଥମେ ମୁରିବାହଲ ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତରୀ ପରୀକ୍ଷା କରାଇଥିଲେ। ଅବସ୍ଥା ଗୁରୁତର ଥିବାରୁ ଆମ୍ବୁଲାନ୍ସ ଯୋଗେ ଟିଟିଲାଗଡ଼ ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସେ କହିଛନ୍ତି, ମୋ ପରି ଅନେକ ହିତାଧିକାରୀଙ୍କୁ ହଇରାଣ ହରକତ କରାଯାଇଛି। ଟଙ୍କା କାରବାର ତଥା ଲାଞ୍ଚ ନ ଦେବାରୁ ଗରିବ ଲୋକଙ୍କୁ ମୋ ଭଳି ହଇରାଣ କରାଯାଉଥିବାରୁ ଅନଶନରେ ବସିଥିବା କହିଛନ୍ତି। ଗୁରୁତର ହୋଇ ଚିକିତ୍ସିତ ହେଉଥିଲେ ବି ଆଉ ଇଂଜେକସନ କି ସାଲାଇନ ନ ନେଇ ଜୀବନ ହାରିବା ପାଇଁ ଚେତାବନୀ ଦେଇଛନ୍ତି ସୁଶୀଲ। ସୂଚନାଯୋଗ୍ୟ ଯେ, ପୂର୍ବରୁ ହୃଦଘାତରେ ଆକ୍ରାନ୍ତ ଓ ରକ୍ତ ଶର୍କରାରେ ପୀଡିତ ବୋଲି ସେ ଜଣାଇଛନ୍ତି। ତେଣୁ ଏନେଇ ପ୍ରଶାସନ ସଠିକ ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହେଉଛି।