ଇଓଙ୍କ ମନମୁଖୀ କାର୍ଯ୍ୟ, ମୁଖ୍ୟମନ୍ତ୍ରୀଙ୍କ ଘୋଷଣାର ୬ ଦିନପରେ ରନ୍ଧା ହେଲା ଖାଦ୍ୟ

ଓଡ଼ିଶାବଡ଼ ଖବର

ନବନୀତା ବ୍ୟୁରୋ, ଭୁବନେଶ୍ୱର। ମହାମାରୀ କରୋନା ଯୋଗୁଁ ଲକଡାଉନରେ ଗରିବ ଲୋକମାନଙ୍କୁ ଖାଦ୍ୟ ଯୋଗାଇବାକୁ ପ୍ରତି ପଞ୍ଚାୟତରେ ରନ୍ଧା ଖାଦ୍ୟର ବ୍ୟବସ୍ଥା ହେବ। ଏବଂ ଏସଏଚଜିମାନେ ଏହାର ଦାୟିତ୍ୱ ନେବେ ବୋଲି ମୁଖ୍ୟମନ୍ତ୍ରୀ ଗତ ମାସ ୨୮ ତାରିଖରେ ଘୋଷଣା କରିଥିଲେ। ହେଲେ ଇଓଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ଗରିବ ଲୋକେ ୬ ଦିନ ପରେ ରନ୍ଧା ଖାଦ୍ୟ ପାଇଛନ୍ତି। ଏଭଳି ଅଭିଯୋଗ ଆସିଛି ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ବିଲାଇସର୍ଡ଼ା ପଞ୍ଚାୟତରେ।

ପଂଚାୟତର ଗରିବ ଲୋକେ ଯେମିତି ଭୋକ ଉପାସରେ ନରହିବେ ସେଥିଲାଗି ରନ୍ଧା ଖାଦ୍ୟ ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ହେଲେ ଇଓଙ୍କ ଅବହେଳା ଓ ମନମୁଖୀ କାର୍ଯ୍ୟ ଯୋଗୁଁ ଗରିବ ଲୋକଙ୍କ ତାଲିକା କରିବାରେ ଗୋଟିଏ ସପ୍ତାହ ଲାଗିଗଲା। କେବଳ ଏତିକି ନୁହେଁ, ଲୋକଙ୍କୁ ରନ୍ଧା ଖାଦ୍ୟ ପରିବର୍ତ୍ତେ ଚାଉଳ ଡାଲି ଦିଆଯିବାରୁ ଲୋକେ ଏହାର ପ୍ରତିବାଦ କରିଥିଲେ। ରନ୍ଧା ଖାଦ୍ୟ ଦେବା ଦାବିରେ ଲୋକେ ପଞ୍ଚାୟତରେ ପ୍ରତିବାଦ କରିଥିଲେ। ଏହାପରେ ଶୁକ୍ରବାର ୧୬୩ ଜଣଙ୍କ ପାଇଁ ଖାଦ୍ୟ ରାନ୍ଧି ଦିଆଯାଇଛି। ତେବେ ଏହି ସମସ୍ତ ଲୋକ କେବଳ ବିଲାଇସର୍ଡା ଗାଁର ହୋଇଥିବାରୁ କଶ୍ରୁପାଲି ଓ ବନ୍ଦନାକଟା ଗାଁର ଗରିବ ଲୋକେ ଏଥିରୁ ବାଦ ପଡିଛନ୍ତି। ଉଭୟ ଗାଁର ଲୋକେ କେବେ ରନ୍ଧା ଖାଦ୍ୟ ପାଇବେ ତାହା ସ୍ପଷ୍ଟ ଜଣା ପଡିନି।


ଏନେଇ ପଂଚାୟତର ଇଓ ଫକୀର ମିଶ୍ରଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ। ତେବେ ଏନେଇ କୌଣସି ସୂଚନା ନଥିବା କହିଥିଲେ ସ୍ଥାନୀୟ ବିଧାୟକ ମୁକେଶ ମହାଲିଙ୍ଗ। ଗଣତାନ୍ତ୍ରିକ ରାଷ୍ଟ୍ରରେ ସମସ୍ତଙ୍କ ସମାନ ଅଧିକାର ଅଛି। ପଂଚାୟତର ସମସ୍ତ ଗାଁର ଗରିବ ଲୋକେ ରନ୍ଧା ଖାଦ୍ୟ ପାଇବା କଥା। ହେଲେ କଣ ପାଇଁ ବନ୍ଦନାକଟା ଓ କଶ୍ରୁପାଲି ଗାଁର ଲୋକେ ରନ୍ଧା ଖାଦ୍ୟରୁ ବଞ୍ଚିତ ହୋଇଛନ୍ତି ସେନେଇ ବିଡ଼ିଓଙ୍କ ସହ କଥା ହୋଇ ପଦକ୍ଷେପ ନେବାକୁ କହିଥିଲେ ବିଧାୟକ। ତେବେ ଇଓଙ୍କ ଖାମଖିଆଲି ମନୋଭାବ ଯୋଗୁଁ ଗରିବ ଲୋକେ ରନ୍ଧା ଖାଦ୍ୟ ପାଇବାରୁ ବଞ୍ଚିତ ହେଉଛନ୍ତି। ଦେଖାଯାଉ ଏହି ସମସ୍ୟାର ସମାଧାନ ପାଇଁ ପୁଇଁନ୍ତଲା ବିଡ଼ିଓ କି ପଦକ୍ଷେପ ନେଉଛନ୍ତି।