ଆଇନଶୃଙ୍ଖଳା ପରିସ୍ଥିତି ନେଇ ଆନ୍ଦୋଳନକୁ ଓହ୍ଲାଇଲା ଛାତ୍ର କଂଗ୍ରେସ

ଅପରାଧଓଡ଼ିଶାବଡ଼ ଖବରରାଜନୀତି

ଏନ୍ଏନ୍ ବ୍ୟୁରୋ। ବଲାଙ୍ଗିରରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି ନେଇ ଜୋର ଧରିଲା ରାଜନୀତି। ବିଭିନ୍ନ ସ୍ବେଛାସେବୀ ସଂଗଠନ ପରେ ଏବେ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବଲାଙ୍ଗିର ଛାତ୍ର କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆ ଯାଇଛି। ପୋଲିସ ପ୍ରଶାସନ ଅପରାଧ ନିୟନ୍ତ୍ରଣରେ ବିଫଳ ହୋଇଥିବା ଅଭିଯୋଗ କରିଛି କଂଗ୍ରେସ। ଏବଂ ମୁଖ୍ୟମନ୍ତ୍ରୀ ଓ ପୋଲିସ ଡିଜିପିଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି। ଗତ କିଛି ମାସ ମଧ୍ୟରେ ଜିଲ୍ଲାରେ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଇଛି। ହତ୍ୟା, ଲୁଟ, ଡକାୟତି, ମରଣାନ୍ତକ ଆକ୍ରମଣ, ବେଆଇନ ନିଶା କାରବାର ଅହେତୁକ ଭାବରେ ବୃଦ୍ଧି ପାଇଥିବା ଛାତ୍ର କଂଗ୍ରେସ ସଭାପତି ଅଙ୍କିତ ସାହୁ ଅଭିଯୋଗ କରିଛନ୍ତି। ଅପରାଧୀଙ୍କ କବଳରୁ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ମଧ୍ୟ ବାଦ ପଡି ନାହିଁ। ମାଫିଆ ତଥା ନିଶାଶକ୍ତ ବ୍ୟକ୍ତିଙ୍କ ଅଡ୍ଡା ପାଲଟିଥିବା ସେ ଅଭିଯୋଗ କରିଛନ୍ତି। ପୂର୍ବରୁ କଲେଜ ହଷ୍ଟେଲ ମଧ୍ୟରେ ଜଣକୁ ହତ୍ୟା କରାଯାଇଥିବା ବେଳେ ଏବେ ହଷ୍ଟେଲର ଦୁଇ ଛାତ୍ରଙ୍କ ତଣ୍ଟି କାଟି ଆକ୍ରମଣ ଘଟଣା ପୋଲିସର ଅବହେଳା ଯୋଗୁଁ ଘଟିଛି ବୋଲି ସେ କହିଛନ୍ତି। ହେଲେ ରାଜେନ୍ଦ୍ର ୟୁନିଭରସିଟିର ଚାରି ପାଖରେ ବାଡ ଓ ଏକ ପୋଲିସ ଫାଣ୍ଡି ସ୍ଥାପନ କରିବା ପାଇଁ ଦାବି କରିଛନ୍ତି। ନହେଲେ ଆଗାମୀ ଦିନରେ କଂଗ୍ରେସ ଆନ୍ଦୋଳନ ଜୋରଦାର କରିବ ବୋଲି ଅଙ୍କିତ ସାହୁ ଚେତାବନୀ ଦେଇଛନ୍ତି।

ସେପଟେ ନିୟମିତ ଅପରାଧ ନିୟନ୍ତ୍ରଣ ପାଇଁ ପଦକ୍ଷେପ ନିଆଯାଉଥିବା କହୁଛି ପୋଲିସ। ସହର ତଥା ଜିଲ୍ଲାର ଅନେକ ଅପରାଧୀଙ୍କୁ ଜେଲ ହାଜତକୁ ପଠାଇଛି। କିଛି ପଳାତକ ଅପରାଧୀଙ୍କ ସମ୍ପତ୍ତି ବାଜ୍ୟାପ୍ତ ପାଇଁ ପୋଲିସ ପଦକ୍ଷେପ ନେବା ସହ କିଛି ମାସ ହେବ ଅପରାଧୀଙ୍କ ଘରେ ନୋଟିସ ମାରିବା ସହ ଡେଙ୍ଗୁରା ପିଟିଛି। ଏଥିସହ ପେଶାଗତ ଅପରାଧୀଙ୍କ ବିରୋଧରେ ୧୧୦ ସିଆରପିସି ଓ ଜାତୀୟ ସୁରକ୍ଷା ଆଇନ ମଧ୍ୟ ଲଗାଇ ବାନ୍ଧିଛି। ହେଲେ ଏବେ ଜିରୋ ଅପରାଧ ନୀତି ଅବଲମ୍ବନ କରାଯାଇ ଅପରାଧୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ କରିଛି ପୋଲିସ। ଏପରିକି କିଛି ପେଶାଦାର ଅପରାଧୀଙ୍କ ଅଡ୍ଡା ସ୍ଥଳୀକୁ ଡୋଜର ଲଗାଇ ଧ୍ଵଂସ କରାଯାଇଛି। ଗତ ରାତିରେ ପୋଲିସ ଅପରାଧୀ ଶ୍ରୀପତି ସିଂ, ବାବଲୁ ମହାନନ୍ଦ ଓ ପ୍ରଶାନ୍ତ ମଟାରୀର ବିଭିନ୍ନ ଅଡ୍ଡାସ୍ଥଳୀ ଓ ସରକାରୀ ସ୍ଥାନରେ ଥିବା ବ୍ୟବସାୟକୁ ମାଟିରେ ମିଶାଇ ଦେଇଛି। ଆଗକୁ ଏହି ଅପରାଧୀଙ୍କ ସରକାରୀ ସ୍ଥାନରେ ଥିବା ଘରକୁ ମଧ୍ୟ ଉଚ୍ଛେଦ କରାଯିବ ବୋଲି ବଲାଙ୍ଗିର ଏସଡ଼ିପିଓ ତୁଫାନ୍ ବାଗ ସୂଚନା ଦେଇଛନ୍ତି।