ଗ୍ରୀଷ୍ମ ପ୍ରବାହ ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା
ସ୍କୁଲ ଗୁଡିକୁ ସକାଳୁଆ କରିବା ପାଇଁ ତୁରନ୍ତ ଏସ୍ଓପି ଜାରି କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
ସକାଳ ୭ଟାରୁ ୯ଟା ମଧ୍ୟରେ ଅଙ୍ଗନବାଡି କେନ୍ଦ୍ର ଖୋଲା ରହିବ
ଗ୍ରୀଷ୍ମ ମୁକାବିଲା ପାଇଁ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଉପରେ ଗୁରୁତ୍ଵାରୋପ
ସପ୍ତାହ ମଧ୍ୟରେ ନଳକୂପ ସ୍ଥାପନ ଓ ମରାମତି କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
ଦିନ ୧୧ଟା ରୁ ୫ଟା ଏବଂ ରାତି ୯ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ବିଦ୍ୟୁତ କାଟ ନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
ନବନୀତା ବ୍ୟୁରୋ I ମୁଖ୍ୟମନ୍ତ୍ରୀଙ୍କ ଗ୍ରୀଷ୍ମ ପ୍ରବାହ ଚିନ୍ତା I ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନଠାରେ ରାଜ୍ୟରେ ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ ନିଆଯାଇଥିବା ପ୍ରସ୍ତୁତି ସଂପର୍କରେ ସମୀକ୍ଷା କରିଛନ୍ତି I ଚଳିତ ବର୍ଷ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଆଗୁଆ ଆସିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ। ଏପରିକି ରାଜ୍ୟର ଅନେକ ଜିଲ୍ଲାରେ ତାପମାତ୍ରା ବି ଅଧିକ ରହୁଛି I ଅନ୍ୟପଟେ ପାଣିପାଗ ବିଭାଗର ଆକଳନ ଅନୁଯାୟୀ ଆଗାମୀ ଦିନରେ ତାପମାତ୍ରା କମିବ, ହେଲେ ଆମକୁ ସତର୍କତା ଅବଲମ୍ବନ କରିବାକୁ ପଡିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି I ସରକାରୀ ସ୍ତରରେ ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ ଯାହା SOP ଜାରି କରାଯାଇଛି, ତାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳମାନେ କାର୍ଯ୍ୟ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି I ତେବେ ଜିରୋ କାଜୁଆଲ୍ଟି ଲକ୍ଷ୍ୟ ରଖି ସମସ୍ତେ କାର୍ଯ୍ୟ କରିବା ପାଇଁ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଦେଇଥିଲେ।
ଅଂଶୁଘାତର ମୁକାବିଲା ପାଇଁ ଛାଇ ଓ ପାଣି ହେଉଛି ସବୁଠାରୁ ଗୁରୁତ୍ବପୂର୍ଣ୍ଣ l ସହରାଞ୍ଚଳରେ ଟ୍ରାଫିକ ଛକ ଓ ଗ୍ରାମାଞ୍ଚଳରେ ବସ୍ଷ୍ଟାଣ୍ଡ ଗୁଡିକରେ ଛାଇ ପାଇଁ ଟେଣ୍ଟ ବ୍ୟବସ୍ଥା ଓ ଜଳଛତ୍ର ବ୍ୟବସ୍ଥା କରିବା ପାଇଁ ପରାମର୍ଶ ଦେଇଥିଲେ I ବିଗତ ଦିନରେ ସଚେତନତାମୂଳକ ପ୍ରଚାର ପ୍ରସାର ଜରିଆରେ ଆମେ ସଫଳତା ପାଇଛୁ l ତେଣୁ ଅଂଶୁଘାତରୁ ରକ୍ଷା ପାଇବା ପାଇଁ ଟିଭି, ରେଡିଓ, ଖବରକାଗଜ ଓ ସାମାଜିକ ଗଣମାଧ୍ୟମ ଜରିଆରେ ବ୍ୟାପକ ପ୍ରଚାର ପ୍ରସାର ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବାରୋପ କରିଥିଲେ I
ସେହିପରି ସ୍କୁଲଗୁଡିକୁ ଯଥାଶୀଘ୍ର ସକାଳୁଆ କରିବା ପାଇଁ ତୁରନ୍ତ SOP ଜାରି କରିବା ପାଇଁ ମୁଖ୍ୟମନ୍ତ୍ରୀ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ l ଏଥିସହିତ ଅଙ୍ଗନବାଡି କେନ୍ଦ୍ର ଗୁଡିକ ସମୟ ପରିବର୍ତ୍ତନ କରି ସକାଳ ୭ଟାରୁ ୯ଟା ମଧ୍ୟରେ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ l ପଞ୍ଚାୟତିରାଜ ବିଭାଗ ପକ୍ଷରୁ ୧୭ ହଜାରରୁ ଅଧିକ ନଳକୂପ ମଞ୍ଜୁର କରାଯାଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି I କୌଣସି ଜାଗାରେ ଯେପରି ପାଣି ପାଇଁ ଅସୁବିଧା ନ ହୁଏ, ସେଥିଲାଗି ସପ୍ତାହକ ମଧ୍ୟରେ ନଳକୂପ ସ୍ଥାପନ ଓ ମରାମତି କରିବା ପାଇଁ ଜିଲ୍ଲାପାଳ ମାନଙ୍କୁ ପଦକ୍ଷେପ ନେବାକୁ କଡା ନିର୍ଦ୍ଦେଶ ଦେଇଥିଲେ l ଯେଉଁ ଅଞ୍ଚଳରେ ପାନୀୟ ଜଳର ଅଭାବ ପରିଲକ୍ଷିତ ହେଉଛି, ସେ ସବୁ ଅଞ୍ଚଳକୁ ଚିହ୍ନଟ କରି ବୋର୍ୱେଲ ଓ ନଳକୂପର ବ୍ୟବସ୍ଥା କରିବା ପାଇଁ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦେଇଥିଲେ I ଏଥିସହ ଉଭୟ ସରକାରୀ ଓ ବେସରକାରୀ କ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକମାନଙ୍କ ପାଇଁ ଦିନ ୧୧ଟା ରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ କାମ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶନାମା ଜାରି କରିବା ପାଇଁ ସଂପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ l
କେବଳ ଏତିକି ନୁହେଁ, ଖରା ଦିନ ୧୧ଟା ରୁ ୫ଟା ଏବଂ ରାତି ୯ଟା ରୁ ସକାଳ ୬ଟା ପର୍ଯ୍ୟନ୍ତ ଯେପରି ବିଦ୍ୟୁତ କାଟ୍ ନ ହୁଏ, ସେଥିପ୍ରତି ଦୃଷ୍ଟି ଦେବାକୁ ଶକ୍ତି ବିଭାଗକୁ କଡା ନିର୍ଦ୍ଦେଶ ଦେଇଥିଲେ l ଅଘୋଷିତ ବିଦ୍ୟୁତ କାଟ୍ ଯେପରି ନ ହୁଏ, ସେଥିପ୍ରତି ଧ୍ୟାନ ଦେବାକୁ କହିଥିଲେ ମୁଖ୍ୟମନ୍ତ୍ରୀ। କାଳବୈଶାଖୀ ସମୟରେ ବିଦ୍ୟୁତ ସରବରାହ ବିଚ୍ଛିନ୍ନ ନ ହେବା ପାଇଁ ଆଗୁଆ ସତର୍କ ରହିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ସଭା, ସମିତିଗୁଡିକୁ ପିକ୍ ଟାଇମ୍ରେ ଅନୁମତି ନ ଦେଇ ସକାଳେ ଓ ମଧ୍ୟାହ୍ନରେ କରିବା ପାଇଁ ସେ କହିଥିଲେ। ସାଂସଦ ଓ ବିଧାୟକମାନଙ୍କୁ ଏ ବିଷୟରେ ଅବଗତ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ I lଏଥିସହ ଖରାଦିନେ ଗ୍ରାମାଞ୍ଚଳରେ ନିଆଁ ଲାଗିବାର ସମ୍ଭାବନା ଥିବାରୁ ଅଗ୍ନିଶମ ବିଭାଗ ସଜାଗ ରହିବାକୁ ସେ କହିଥିଲେ ।
ଗ୍ରାମାଞ୍ଚଳରେ ଗ୍ରୀଷ୍ମଜନିତ ସମସ୍ୟାର ନିରାକରଣ ପାଇଁ ସରକାରୀ ଅଧିକାରୀ ମାନଙ୍କୁ କ୍ଷେତ୍ରକୁ ପଠାଇବା ସହିତ ଜିଲ୍ଲାପାଳମାନେ ନିଜେ ମଧ୍ୟ ଏ କ୍ଷେତ୍ରରେ ସଂଶ୍ଳିଷ୍ଟ ରୁହନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଲୋକଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି, ଜିଲ୍ଲାସ୍ତରରେ ହେଉଥିବା ଅଭିଯୋଗ ପ୍ରକୋଷ୍ଠର ଶୁଣାଣି ସମୟ ପରିବର୍ତ୍ତନ କରି ସକାଳ ୭ଟାରୁ ୧୦ଟା ମଧ୍ୟରେ ଶେଷ କରିବା ପାଇଁ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବୈଠକରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ପୋଲିସ ମହାନିର୍ଦ୍ଦେଶକ ୱାଇ.ବି ଖୁରାନିଆ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ, ସାଧାରଣ ଅଭିଯୋଗ ଓ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାର ଏବଂ ବିଭିନ୍ନ ବିଭାଗର ସଚିବସ୍ତରୀୟ ଅଧିକାରୀ, ଭୁବନେଶ୍ବର ପାଣିପାଗ ବିଭାଗର ମୁଖ୍ୟ ମନୋରମା ମହାନ୍ତି ଓ ଆଭାସୀ ଜରିଆରେ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳମାନେ ଉପସ୍ଥିତ ଥିଲେ ।