ନବନୀତା ବ୍ୟୁରୋ। ରାଜ୍ୟସଭା ଗଣିତରେ ପୂର୍ଣ୍ଣଚ୍ଛେଦ ପକାଇଲେ ମୁଖ୍ୟମନ୍ତ୍ରୀ। ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ୪ ରାଜ୍ୟସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଜେଡ଼ି ବରିଷ୍ଠ ନେତା ସୁବାସ ସିଂ, ଫିଲ୍ମ୍ ଅଭିନେତା ମୁନା ଖାଁ, ସୁଜିତ୍ କୁମାର ଓ ମମତା ମହନ୍ତଙ୍କୁ ରାଜ୍ୟସଭା ପ୍ରାର୍ଥୀ କରିଛି ବିଜେଡ଼ି। ଏନେଇ ଆଜି ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ତେବେ ପ୍ରାର୍ଥୀ ଘୋଷଣା ପରେ ମୁନା ଖାଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ସହ ମୋ ପରିଶ୍ରମର ଫଳ ମିଳିଛି ବୋଲି କହିଛନ୍ତି। ସେହିଭଳି ସୁବାସ ସିଂ, ସୁଜିତ୍ କୁମାର ଓ ମମତା ମହାନ୍ତ ପ୍ରାର୍ଥୀ ଘୋଷଣା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ତେବେ ବ୍ରହ୍ମପୁରର ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କ ରାଜ୍ୟସଭା ଆଶା ମଉଳିବା ସହ କ୍ୟାବିନେଟ୍ ପାହ୍ୟାରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ସୁବାସ ସିଂଙ୍କ ନିକଟରୁ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଅଧ୍ୟକ୍ଷ ପଦବୀ ଛଡାଇ ଚ୍ୟାଉ ପଟ୍ଟନାୟକଙ୍କୁ ଲଲିପପ୍ ଭାବେ ଧରାଇ ଦିଆଯାଇଛି।
ସୂଚନା ଅନୁସାରେ ୧୭ ରାଜ୍ୟର ୫୫ ରାଜ୍ୟସଭା ନିର୍ବାଚନ ପାଇଁ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଥିଲା। ସେ ମଧ୍ୟରୁ ଓଡ଼ିଶାର ୪ଟି ରାଜ୍ୟସଭା ଆସନ ରହିଥିବା ବେଳେ ଚଳିତ ମାସ ୨୬ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ।
