ନବନୀତା ବ୍ୟୁରୋ। ଟିଟିଲାଗଡରେ ଟୁକୁନୀ ସାହୁଙ୍କ ଶକ୍ତି ପ୍ରଦର୍ଶନ। ବଲାଙ୍ଗିର ଜିଲ୍ଲା ବିଜେଡ଼ି ସଭାପତି ଭାବେ ନିଯୁକ୍ତ ହେବା ପରେ ଏହା ତାଙ୍କର ପ୍ରଥମ ସମାବେଶ। କେବଳ ମନ୍ତ୍ରୀ ଟୁକୁନୀ ନୁହଁ ଶ୍ରମ ମନ୍ତ୍ରୀ ତଥା ଜିଲ୍ଲା ବିଜେଡ଼ି ପର୍ଯ୍ୟବେକ୍ଷକ ସୁଶାନ୍ତ ସିଂଙ୍କ ମଧ୍ୟ ଜିଲ୍ଲାରେ ପ୍ରଥମ ସମାବେଶ। ତେବେ ପର୍ଯ୍ୟବେକ୍ଷକ ସୁଶାନ୍ତ ଓ ଜିଲ୍ଲା ବିଜେଡ଼ି ସଭାପତି ଟୁକୁନୀ ଜିଲ୍ଲା ଦାୟିତ୍ଵ ଗ୍ରହଣ କରିବା ପରେ ଏକାଠି ଗୋଟିଏ ସମାବେଶରେ ଯୋଗ ଦେବା ଉଭୟଙ୍କ ଶକ୍ତି ପ୍ରଦର୍ଶନ ବୋଲି ଚର୍ଚ୍ଚା ହେଉଛି।
ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୪ ତମ ଜୟନ୍ତୀ ଅବସରରେ ରାଜ୍ୟବ୍ୟାପୀ ଜୟନ୍ତୀ ପାଳନ କରୁଛି ବିଜେଡ଼ି। ଏ ପରିପ୍ରେକ୍ଷୀରେ ଟିଟିଲାଗଡରେ ଆୟୋଜିତ ହୋଇଥିଲା ବିଶାଳ ମହିଳା ସମାବେଶ। ଏଥିରେ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟତମ ଅତିଥି ଭାବେ ମହିଳା, ଶିଶୁ ବିକାଶ ଓ ମିଶନ ଶକ୍ତି ମନ୍ତ୍ରୀ ତଥା ଜିଲ୍ଲା ବିଜେଡ଼ି ସଭାପତି ଟୁକୁନୀ ସାହୁ ଓ ବିଜେଡ଼ି ନେତ୍ରୀ ପ୍ରମିଳା ମଲ୍ଲିକ ଯୋଗ ଦେଇଥିଲେ। ଜିଲ୍ଲାରେ ମହିଳା ସଂଗଠନକୁ ଆହୁରି ମଜବୁତ କରିବା ଲକ୍ଷ୍ୟରେ ଆୟୋଜିତ ଏହି ସମାବେଶରେ ୧୦ ହଜାରରୁ ଉର୍ଦ୍ଧ୍ବ ଲୋକ ସାମିଲ ହୋଇଥିବା ମନ୍ତ୍ରୀ ଟୁକୁନୀ ସୋଶଲ ମିଡ଼ିଆରେ ପୋଷ୍ଟ କରିଛନ୍ତି। ତେବେ ଟିଟିଲାଗଡରେ ମହିଳା ସମାବେଶ କରି ଜିଲ୍ଲାବାସୀଙ୍କୁ କଣ ବାର୍ତ୍ତା ଦେବାକୁ ଚାହୁଁଛନ୍ତି ସୁଶାନ୍ତ ଓ ଟୁକୁନୀ।
ପ୍ରକାଶ ଯୋଗ୍ୟ ଯେ, ସୁଶାନ୍ତ ସିଂ ପର୍ଯ୍ୟବେକ୍ଷକ ଓ ଟୁକୁନୀ ଜିଲ୍ଲା ସଭାପତି ହେବା ପରେ ପ୍ରଥମ କରି ଟିଟିଲାଗଡରେ ବିଶାଳ ମହିଳା ସମାବେଶ ଆୟୋଜିତ ହୋଇଛି। ଏ ଅବସରରେ ଏକ ବିଶାଳ ଶୋଭାଯାତ୍ରା କରି ସମାବେଶ ସ୍ଥଳକୁ ଆସିଥିଲେ ଟୁକୁନୀ ସାହୁ। ତେବେ ମହିଳା ସମାବେଶରେ ମନ୍ତ୍ରୀ ଟୁକୁନୀଙ୍କ ସହ ମନ୍ତ୍ରୀ ସୁଶାନ୍ତ ସିଂ ଯୋଗ ଦେବା ଜିଲ୍ଲା ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି। ପୂର୍ବରୁ ପରୋକ୍ଷ ଭାବରେ ବଲାଙ୍ଗିର ରାଜନୀତିରେ ମୁଣ୍ଡ ଖେଳାଉଥିବା ସୁଶାନ୍ତ ସିଂ ଏବେ ପ୍ରତ୍ୟକ୍ଷ ଭାବେ ପ୍ରବେଶ କରିଛନ୍ତି। ସୁଶାନ୍ତ ବିଜେଡ଼ି ପର୍ଯ୍ୟବେକ୍ଷକ ସହ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଦାୟିତ୍ଵରେ ଅଛନ୍ତି। ଜିଲ୍ଲାର ବିକାଶ ସହ ବିଜେଡ଼ି ସଂଗଠନ ଦାୟିତ୍ଵ ତାଙ୍କ ଉପରେ। ତେଣୁ ଜିଲ୍ଲାର ସାମଗ୍ରିକ ବିକାଶ କିପରି ହୋଇପାରିବ ସେନେଇ ଉଦ୍ୟମ ଚଳାଇଛନ୍ତି।
ଅନ୍ୟପଟେ ଦୀର୍ଘ ଦୁଇ ଦଶନ୍ଧିରୁ ଉର୍ଦ୍ଧ୍ବ ସମୟ ଧରି ରାଜ ପରିବାର ଅଧୀନରେ ଥିବା ବିଜେଡ଼ି ସଂଗଠନ ଦାୟିତ୍ଵ କାଢି ନିଆ ଯାଇଛି। ଏଥିସହ ରାଜ ପରିବାରର କେହି ପ୍ରଭାବଶାଳୀ ପଦ ପଦବୀରେ ନ ଥିବାରୁ ତାଙ୍କ ସମର୍ଥକ ଅସନ୍ତୁଷ୍ଟ ଥିବା ଚର୍ଚ୍ଚା ହେଉଛି। ତାସହ ଜିଲ୍ଲାରେ ବିଜେଡ଼ି ଭାଗ ଭାଗ ହୋଇଥିବାରୁ ଗତ ନିର୍ବାଚନରେ ତାର ଫଳ ମଧ୍ୟ ପାଇଛି ଦଳ। ଏଭଳି ସ୍ଥିତିରେ ଅସନ୍ତୁଷ୍ଟଙ୍କୁ ମନାଇ କିଭଳି ଭାବେ ଜିଲ୍ଲାରେ ବିଜେଡ଼ିକୁ ଶକ୍ତିଶାଳୀ କରିବାରେ ସଫଳ ହେବେ ସୁଶାନ୍ତ ଓ ଟୁକୁନୀ ତାହା ଆଗାମୀ ଦିନରେ ସ୍ପଷ୍ଟ ଜଣା ପଡ଼ିବ।
