ନବନୀତା, ଭୁବନେଶ୍ୱର/ଦିଲ୍ଳୀ: ମୋଦି ସରକାରଙ୍କ ବଡ଼ ସଫଳତା । ରାଜ୍ୟସଭାରେ ପାରିତ ହେଲା ତିନ୍ ତଲାକ ବିଲ । କେନ୍ଦ୍ର ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦ ରାଜ୍ୟସଭାରେ ଏହି ବିଲକୁ ଆଗତ କରିଥିଲେ । ବିଲ ଉପରେ ଚର୍ଚ୍ଚା କରିବା ଲାଗି ୪ ଘଂଟା ସମୟ ଦିଆଯାଇଥିଲା । ଏଥିପାଇଁ ବିଜେପି ନିଜ ସାଂସଦଙ୍କୁ ୱିପ୍ ଜାରି କରିଥିଲା । ଜେଡିୟୁ, ଏଆଇଏଡିଏମକେ ଏବଂ ଟିଆରଏସ ସମେତ କିଛି ଦଳ ସଦନରୁ ୱାର୍କଆଉଟ କରିିବା ଫଳରେ ରାଜ୍ୟସଭାରେ ବିଲ ପାସ କରାଇବା ଲାଗି ମୋଦି ସରକାରଙ୍କୁ ରାସ୍ତା ଅତି ସହଜ ହୋଇ ଯାଇଥିଲା । ତେବେ ବିଜେଡି ଏହି ବିଲକୁ ସମର୍ଥନ କରିଥିଲା । ପରେ ବିଲ ଉପରେ ରାଜ୍ୟସଭା ସଦନରେ ଭୋଟିଂ କରାଯାଇଥିଲା । ସପକ୍ଷରେ ୯୯ଟି ଭୋଟ ପଡ଼ିଥିବା ବେଳେ ବିପକ୍ଷରେ ୮୪ ଭୋଟ ପଡିଥିଲା ।
ବିଲ ଉପରେ ଭୋଟିଂ ପୂର୍ବରୁ ଏହାକୁ ସିକେଲ୍ଟ କମିଟି ନିକଟକୁ ପଠା ଯାଇଥିଲା । ଏହି ବିଲ ପାସ ହେବା ସହ ସରକାର ସାବିତ କଲେ କି ଉଚ୍ଚ ସଦନରେ ବି ଏହି ବିଲ ଲାଗି ଖାସ ପ୍ରସ୍ତୁତ ରଖାଯାଇଥିଲା । ଏବେ ବିଲ ଅନ୍ତିମ ମୋହର ଲାଗି ରାଷ୍ଟ୍ରପତିଙ୍କ ନିକଟକୁ ପଠାଯିବ । ରାଷ୍ଟ୍ରପତିଙ୍କ ମୋହର ଲାଗିବା ପରେ ଏହି ବିଲ ଆଇନରେ ପରିଣତ ହୋଇଯିବ ।
ରାଜ୍ୟସଭାରେ ବିଜେପି ପାଖରେ ୭୮, ଏବଂ ମେଂଟ ଦଳ ଏଡିଏନକୁ ମିଶାଇ ୧୧୭ ସଦସ୍ୟ ଅଛନ୍ତି । ହେଲେ ଜେଡିୟୁ ୱାର୍କଆଉଟ୍ ହେବା ପରେ ଏହି ସଂଖ୍ୟା ୧୧୧ ହୋଇଗଲା । ତେବେ ଏହି ବିଲ ନେଇ ବିଜେଡି ମଧ୍ୟ ବିଜେପିକୁ ସମର୍ଥନ କରିଥିଲା । ରାଜ୍ୟସଭାରେ ବିଜେଡିର ୭ ସାଂସଦ ଅଛନ୍ତି । ହେଲେ ଜେଡିୟୁ ୱାର୍କଆଉଟ କରିବା ପରେ ମଧ୍ୟ ବିଜେପିକୁ କିଛି ଫରକ ପଡ଼ିଲା ନାହିଁ । ଏହା ବ୍ୟତୀତ ଏଆଇଏଡିଏମକେ ନିକଟରେ ୧୧ ଓ ଟିଆରଏସ୍ ନିକଟରେ ୬ ସଦସ୍ୟ ଅଛନ୍ତି । କେବଳ ଏତିକି ନୁହେଁ ପିଡିପି ଓ ବହୁଜନ ସମାଜ ପାର୍ଟି ମଧ୍ୟ ଏହି ବିଲ ଉପରେ ଭୋଟ ଦାନରୁ ବିରତ ରହିଥିଲେ ।
ଏହା ପୂର୍ବରୁ ତିନ ତଲାକ ବିଲ ଲୋକସଭାରେ ଦୁଇ ଥର ପାସ ହୋଇ ସାରିଥିଲା । ପ୍ରଥମେ ୨୦୧୭ ମସିହା ୨୮ ଡିସେମ୍ବରରେ ପାସ ହୋଇଥିବା ବେଳେ ୨୦୧୮ ମସିହା ସେପ୍ଟେମ୍ବର ୨୭ ତାରିଖରେ ଦ୍ୱିତୀୟ ଥର ପାସ ହୋଇଥିଲା । ହେଲେ ଉଭୟ ଥର ରାଜ୍ୟସଭାରେ ବିଲକୁ ପାସ କରାଇବାରେ ଅସଫଳ ହୋଇଥିଲେ ।
