ନବନୀତା ବ୍ୟୁରୋ । ବରଗଡ଼ ପଦ୍ମପୁରରେ ତିନି ପ୍ରମୁଖ ଦଳର ଶକ୍ତି ପ୍ରଦର୍ଶନ । ନାମାଙ୍କନ ଦାଖଲର ଶେଷ ଦିନରେ ବିଜେଡି, ବିଜେପି ଓ କଂଗ୍ରେସ ଦଳ ପକ୍ଷରୁ ଶକ୍ତି ପ୍ରଦର୍ଶନ କରିବା ସହ ନୋମିନେସନ ଭରିଛନ୍ତି । ବିଜେଡି ପକ୍ଷରୁ ପୂର୍ବତନ ବିଧାୟିକା ରୀତା ସାହୁ ଏକ ବିରାଟ ପଟୁଆରରେ ଆସି ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏ ସମୟରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାଶ, ଗ୍ରାମ୍ୟ ଉନ୍ନୟନ ଓ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ, ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ପୂର୍ବତନ ମନ୍ତ୍ରୀ ସଂଜୟ ଦାଶବର୍ମା, ସ୍ନେହାଙ୍ଗିନୀ ଛୁରିଆ, ପୂର୍ବତନ ବିଧାୟିକା ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀଙ୍କ ସହ ଦଳର ବହୁ ନେତା ଓ କର୍ମୀ ସାମିଲ ଥିଲେ ।
ସେହିପରି ବିଜେପି ପକ୍ଷରୁ ସନତ ଗଡ଼ତିଆ ନାମାଙ୍କନ ପତ୍ର ଭରିଛନ୍ତି । ଦଳୀୟ ନେତା ଓ କର୍ମୀଙ୍କ ସହ ଏକ ବିରାଟ ପଟୁଆରେ ଆସି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେପଟେ କଂଗ୍ରେସ ପ୍ରାର୍ଥୀ ଦିଲ୍ଲୀପ ପଣ୍ଡା ମଧ୍ୟ ସମର୍ଥକଙ୍କ ଗହଣରେ ଆସି ନାମାଙ୍କନ ଭରିଛନ୍ତି । ଏଥିସହ ନାମାଙ୍କନ ପତ୍ର ଶେଷ ହେବା ପରେ ଆରମ୍ଭ ହୋଇଯାଇଛି ନିର୍ବାଚନୀ ରଣକ୍ଷେତ୍ର । ସମସ୍ତେ ନିଜ ନିଜ କ୍ଷେତ୍ର ସଜବାଜ କରିବାରେ ଲାଗି ପଡ଼ିଛନ୍ତି ।
ତେବେ ପାଟକୁରା ନିର୍ବାଚନ ସରିବା ପରେ ବିଜେଡି ବିଜେପୁର ପାଇଁ ନିର୍ବାଚନ ରଣନୀତି ଆରମ୍ଭ କରି ଦେଇଥିଲା । ସେବେଠାରୁ ବିଜେପୁରରେ ଦଳର ଅନେକ ମନ୍ତ୍ରୀ, ତୁଙ୍ଗ ନେତାମାନେ ଡେରା ପକାଇବା ସହ କେମିତି ପୁଣି ଥରେ ଗଡ଼ ରକ୍ଷା କରି ପାରିବେ ସେନେଇ ଫିଲ୍ଡ ପ୍ରସ୍ତୁତ କରୁଛନ୍ତି । ମନ୍ତ୍ରୀ ସୁଶାନ୍ତ ସିଂଙ୍କୁ ବିଜେପୁରର ସଂପୂର୍ଣ୍ଣ ଦାୟିତ୍ୱ ନ୍ୟସ୍ତ କରାଯାଇଥିବା ବେଳେ ତାଙ୍କୁ ଅନେକ ମନ୍ତ୍ରୀ, ବିଧାୟକ ଓ ଦଳର ତୁଙ୍ଗ ନେତାମାନେ ସହଯୋଗ କରୁଛନ୍ତି । କଳ, ବଳ, କୌଶଳ ପ୍ରୟୋଗ ନିର୍ବାଚନ ବିଜୟୀ ହେବାରେ ମାହିର ଥିବା ବିଜେଡି ଏଥର ମଧ୍ୟ ସେଭଳି ଟ୍ରିକ୍ ଆପଣାଇଛି ।
ସେପଟେ ବିଜେପି ମଧ୍ୟ ନିର୍ବାଚନରେ ବିଜୟୀ ଲାଗି ଜୋରସୋର କସରତ ଚଳାଇଛି । ଗତ ନିର୍ବାଚନରେ ମୁ୍ଖ୍ୟମନ୍ତ୍ରୀଙ୍କଠାରୁ ୫୭ ହଜାର ଭୋଟରେ ପରାସ୍ତ ହୋଇଥିବା ସନତ ଗଡ଼ତିଆ ଏଥର ପୁଣି ଥରେ ମୈଦାନକୁ ଓହ୍ଲାଇଛନ୍ତି । ତାସହ ଦଳ ମଧ୍ୟ ଲାଗି ପଡିଛି କେମିତି ଏହି ସିଟ୍ ଛଡାଇ ବିଜୟ ବାନା ଉଡାଇବ । ଅନ୍ୟପଟେ କଂଗ୍ରେସ ଏଥର ନିଜର ପ୍ରାର୍ଥୀ ବଦଳାଇଛି । ଗତଥର ପ୍ରାର୍ଥୀ ରିପୁ ସେଟ କିମ୍ବା ତାଙ୍କ ପରିବାରର କାହାକୁ ଟିକେଟ ନ ଦେଇ ନୂଆ ପ୍ରାର୍ଥୀ ଦିଲ୍ଲୀପ ପଣ୍ଡାଙ୍କୁ ଯୁଦ୍ଧ କ୍ଷେତ୍ରକୁ ଛାଡ଼ିଛି କଂଗ୍ରେସ । ନିଜ ଗଡ଼କୁ ଫେରାଇ ଆଣିବାକୁ ଅପ୍ରାଣ ଉଦ୍ୟମ ଚଳାଇଛି କଂଗ୍ରେସ ।ତେବେ ବିଜେପୁରର ବାଜିଗର କିଏ ହେବ ତାହା ଆସନ୍ତା ଅକ୍ଟୋବର ୨୪ ତାରିଖରେ ସ୍ପଷ୍ଟ ଜଣା ପଡ଼ିବ ।
ନିର୍ବାଚନୀ ରଣକ୍ଷେତ୍ର ପ୍ରସ୍ତୁତ: ମୈଦାନକୁ ଓହ୍ଲାଇଲେ ତିନି ପ୍ରମୁଖ ଦଳର ଯୋଦ୍ଧା
