ବଲାଙ୍ଗିରରେ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଉଦଘାଟିତ

ଓଡ଼ିଶାବଡ଼ ଖବରରାଜନୀତି

ଏନ୍ଏନ୍ ବ୍ୟୁରୋ। ବଲାଙ୍ଗିର କୋଶଳ କଳା ମଣ୍ଡଳ ପଡିଆରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ଯ ଶିବିର ଉଦଘାଟିତ ହୋଇଯାଇଛି I ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ନରସିଂହ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ଵଳନ କରି ଶିବିରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ l ବକ୍ତବ୍ୟ ଆରମ୍ଭରୁ ସନ୍ଥ କବି ଭୀମଭୋଇଙ୍କ ମର୍ମସ୍ପର୍ଶୀ ପଂକ୍ତି “ମୋ ଜୀବନ ପଛେ ନର୍କେ ପଡିଥାଉ, ଜଗତ ଉଦ୍ଧାର ହେଉ” ପାଠ କରିଥିଲେ ବିଧାୟକ I ଏବଂ ଭୀମଭୋଇଙ୍କ ଏହି ବାଣୀକୁ ସମସ୍ତ ଜନ ପ୍ରତିନିଧି ତଥା ସରକାରୀ ଅଧିକାରୀ ଦୈନନ୍ଦିନ ଜୀବନରେ କାର୍ଯ୍ୟକାରୀ କରି ପାରିଲେ ସମାଜର ଉନ୍ନତି ସଙ୍ଗେ ସଙ୍ଗେ ଦେଶର ମଧ୍ଯ ଉନ୍ନତି ହେବ ବୋଲି ସେ କହିଥିଲେ I ହେଲେ ଗତ ଦୁଇ ବର୍ଷର କୋଭିଡ କଟକଣା ପରେ ଡେରି ହେଲେ ମଧ୍ଯ ଏହି ଶିବିର ଆୟୋଜିତ କରାଯାଇଥିବାରୁ ଆୟୋଜକମାନଙ୍କୁ ଧନ୍ୟବାଦ ଦେଇଥିଲେ l

ତେବେ ଭିନ୍ନକ୍ଷମଙ୍କୁ ଦିଆଯାଉଥିବା ସହାୟତା ଦୟା ନୁହଁ, ଏହା ତାଙ୍କର ସାମ୍ବିଧାନିକ ମୌଳିକ ଅଧିକାର I ଏଥିରୁ ସେମାନେ ଯେମିତି ବଞ୍ଚିତ ନହୁଅନ୍ତି ସେଥିପ୍ରତି ସରକାର ଯତ୍ନବାନ ହେବା ନିହାତି ଆବଶ୍ୟକ I ବଲାଙ୍ଗିର ମେଡିକାଲ କଲେଜକୁ ଦାବି ମୁତାବକ ସରକାର ଭୀମଭୋଇଙ୍କ ନାମରେ ନାମିତ କରିଥିବାରୁ ନାରସିଂହ ମିଶ୍ର ସରକାରଙ୍କୁ ଆଉ ଥରେ ଧନ୍ୟବାଦ ଜଣାଇବା ସହ ଦଳମତ ନିର୍ବିଶେଷରେ ସମସ୍ତ ଭିନ୍ନକ୍ଷମ ଯେପରି ତାଙ୍କର ହକ୍ ପାଇ ପାରିବେ ସେନେଇ ଆମେ ସମସ୍ତେ ଉଦ୍ୟମ କରିବା ଆବଶ୍ୟକ ବୋଲି କହିଥିଲେ ବିଧାୟକ I

ସେ ଆହୁରି ମଧ୍ଯ କହିଥିଲେ ଯେ, ସରକାରଙ୍କ ପକ୍ଷରୁ ଭିନ୍ନକ୍ଷମଙ୍କୁ ଦିଆଯାଉଥିବା ସୁବିଧା ସୁଯୋଗର ଲାଭ ଉଠାନ୍ତୁ ବୋଲି ଉପସ୍ଥିତ ସମସ୍ତ ହିତାଧିକାରୀଙ୍କୁ କହିଥିଲେ I ସମ୍ମାନିତ ଅତିଥି ଭାବେ ପୌରାଧ୍ୟକ୍ଷା ଲିକା ସାହୁ ସମସ୍ତ ଭିନ୍ନକ୍ଷମ ହିତାଧିକାରୀଙ୍କୁ ଯୋଜନାର ସୁଯୋଗ ନେବା ପାଇଁ ଅନୁରୋଧ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ପୌର ଉପାଧ୍ୟକ୍ଷା ଗାୟତ୍ରୀ ଭୋଇ, କାର୍ଯ୍ୟ ନିର୍ବାହୀ ଅଧିକାରୀ ସାମି ରେଡ୍ଡୀ ଜୟଶ୍ରୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରମୁଖ ମଞ୍ଚାସୀନ ଥିଲେ I ଏଥିରେ ପୌରସଂସ୍ଥାର ସମସ୍ତ କାଉନସିଲରଙ୍କ ସହ ଶତାଧିକ ଲୋକ ଉପସ୍ଥିତ ରହିଥିଲେ l