ଏନ୍ଏନ୍ ବ୍ୟୁରୋ। ବହୁ ବାଦବିବାଦ ପରେ ବଲାଙ୍ଗିର ସହରର ବହୁ ପ୍ରତୀକ୍ଷିତ ନୂତନ ବସଷ୍ଟାଣ୍ଡ କାର୍ଯ୍ୟକ୍ଷମ ହୋଇଛି। ଜିଲ୍ଲାପାଳ ଚଞ୍ଚଳ ରାଣା ସବୁଜ ପତାକା ଦେଖାଇ ଏହାର କାର୍ଯ୍ୟକ୍ଷମ କରିଛନ୍ତି। ହେଲେ ପ୍ରଥମ ପର୍ଯ୍ୟାୟରେ କେବଳ ସରକାରୀ ବସ୍ ସେବା ଏଠାରୁ ଆରମ୍ଭ ହୋଇଛି। ପରବର୍ତ୍ତୀ ସମୟରେ ଘରୋଇ ବସ ସେବା ମଧ୍ୟ ଆରମ୍ଭ ହେବ ବୋଲି ସଂକେତ ଦେଇଛି ବସ୍ ମାଲିକ ସଂଘ। ହେଲେ ସମସ୍ୟା ଦେଖା ଦେଲେ ବିକଳ୍ପ ପନ୍ଥା ଗ୍ରହଣ କରିବାକୁ ପରୋକ୍ଷରେ ଚେତାବନୀ ଦେଇଛି ସଂଘ।
ଏହା ପୂର୍ବରୁ ବଲାଙ୍ଗିର ସହରର କେନ୍ଦ୍ର ସ୍ଥଳୀରେ ଦୁଇଟି ବସ ଷ୍ଟାଣ୍ଡ ରହିଥିଲା। ଉଭୟ ସରକାରୀ ଓ ଘରୋଇ ବସ୍ ଷ୍ଟାଣ୍ଡରୁ ପ୍ରତିଦିନ ଶତାଧିକ ବସ୍ ଯାତାୟାତ ଯୋଗୁଁ ସହର ମଧ୍ୟରେ ସବୁବେଳେ ଟ୍ରାଫିକ ସମସ୍ୟା ଉପୁଜୁଥିଲା। ଏପରିକି ଅନେକ ସମୟରେ ଛୋଟ ବଡ ଦୁର୍ଘଟଣାମାନ ଘଟୁଥିଲା। ଏଥିପାଇଁ ବସ ଷ୍ଟାଣ୍ଡକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ସହରବାସୀ ଦୀର୍ଘ ଦିନରୁ ଦାବି କରି ଆସୁଥିଲେ। ଲୋକଙ୍କ ବୃହତ୍ ସ୍ୱାର୍ଥକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବଲାଙ୍ଗିର ଆରଟିଓ କାର୍ଯ୍ୟଳୟ ନିକଟରେ ଏକ ନୂତନ ବସ ଟର୍ମିନାଲ ନିର୍ମାଣ କାମ ଆରମ୍ଭ କରିଥିଲେ। ଏବଂ ଗତ ୨୦୨୧ ମସିହା ସେପ୍ଟେମ୍ବର ୨୨ ତାରିଖରେ ମୁଖ୍ୟମନ୍ତ୍ରୀ ଏହାର ଉଦ୍ଘାଟନ କରିଥିଲେ। ହେଲେ ଉଦ୍ଘାଟନର ୯ ମାସ ପରେ ବି ବସ ଷ୍ଟାଣ୍ଡ କାର୍ଯ୍ୟକ୍ଷମ ହୋଇ ପାରୁନଥିଲା।
ବହୁ ବାଦ ବିବାଦ ପରେ ଶେଷରେ ସରକାର, ଓଏସଆରଟିସି ଓ ଜିଲ୍ଲା ପ୍ରଶାସନ ମିଳିତ ଭାବରେ ବଲାଙ୍ଗିର ଘରୋଇ ବସ ମାଲିକ ସଂଘ ସହ ଆଲୋଚନା କରିଥିଲେ। ଏନେଇ କିଛି ପ୍ରତିଶ୍ରୁତି ପାଳନ ହୋଇଥିବା ବେଳେ ଆଉ କିଛି ବାକି ରହିଛି। ତେବେ ପ୍ରତିଶ୍ରୁତି ପାଳନ ହେବା ଆଶାରେ ସଂଘ ରାଜି ହେବା ପରେ ସମାଧାନର ବାଟ ଫିଟି ଥିଲା। ଫଳରେ ଶୁକ୍ରବାର ବସ୍ ଷ୍ଟାଣ୍ଡରୁ ପ୍ରଥମ କରି ସରକାରୀ ବସ ଗଡିବା ଆରମ୍ଭ କରିଛି। ସେପଟେ ଘରୋଇ ବସ୍ ମଧ୍ୟ ଆଗାମୀ ଜୁଲାଇ ଏକ ତାରିଖରୁ ବସ୍ ଗଡିବ ବୋଲି ଘରୋଇ ବସ ମାଲିକ ସଂଘ ସୂଚନା ଦେଇଛି। ହେଲେ ଘରୋଇ ବସ ମାଲିକ ସଂଘର ଦାବି ଅନୁସାରେ ପ୍ରତିଶ୍ରୁତି ପାଳନ କରା ନଗେଲେ ଆଗାମୀ ଦିନରେ ଆନ୍ଦୋଳନ କରିବାକୁ ସଂଘ ଚେତାବନୀ ଦେଇଛି।
