ଭୁବନେଶ୍ୱର: ନବଦିନାତ୍ମକ ଲୀଳାଖେଳା ସାରି ବାହୁଡ଼ିଲେ ମହାପ୍ରଭୁ । ଏଥିସହ ରଥଯାତ୍ରା ଓ ବାହୁଡ଼ା ଯାତ୍ରା ଶୀଘ୍ର ସରିଛି । ବଡ଼ଦାଣ୍ଡକୁ ଫେରିଛି ତାଳଧ୍ୱଜ, ଦର୍ପଦଳନ ଓ ନନ୍ଦିଘୋଷ ରଥ । ଶ୍ରୀମନ୍ଦିର ଆଗକୁ ପହଁଚିଛନ୍ତି ତିନି ଠାକୁର । ନଅ ଦିନ ଧରି ଜନ୍ମବେଦୀରେ ଲୀଳାଖେଳା ସାରି ପୁଣି ଫେରି ଆସିଛନ୍ତି ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀଜଗନ୍ନାଥ । ତେବେ ବାହୁଡା ଯାତ୍ରାରେ ଧାର୍ଯ୍ୟ ସମୟ ପୂର୍ବରୁ ରଥ ଟଣା ଆରମ୍ଭ ହୋଇଥିଲା।
ଶୁକ୍ରବାର ସକାଳ ୯ଟା ପରେ ଧାଡ଼ି ପହଣ୍ଡି ହୋଇଥିଲା । ଜନ୍ମବେଦୀରୁ ବାହାରି ସୁଦର୍ଶନ, ବଳଭଦ୍ର, ସୁଭଦ୍ରା ଓ ଜଗନ୍ନାଥ ରଥ ଉପରେ ବିଜେ କରିଥିଲେ । ପରେ ମଧ୍ୟାହ୍ନ ୧୨ଟା ସମୟରେ ସମ୍ପର୍ଣ୍ଣ ହୋଇଥିଲା ଛେରା ପହଁରା ନୀତି । ଗଜପତି ମହାରାଜ ଦିବ୍ୟସିଂହ ଦେବ ସୁବାସିତ ଚନ୍ଦନ ଜଳରେ ରଥକୁ ମାର୍ଜଣା କରି ସୁନା ଖଡି଼କାରେ ତିନି ରଥରେ ଝାଡ଼ୁ କରିଥିଲେ । ଚାରମାଳ ଫିଟାଇ ଘୋଡ଼ା ଯୋଚା ଯିବା ପରେ ପ୍ରାୟ ଗୋଟାଏ ୨୦ ମିନିଟ୍ରେ ଟଣା ଯାଇଥିଲା ତାଳଧ୍ୱଜ ରଥ । ଏହାପରେ ଟଣାଯାଇଥିଲା ଦେବଦଳନ ଓ ନନ୍ଦିଘୋଷ ରଥ । ସାଢ଼େ ଦୁଇଟା ସମୟରେ ତିନି ରଥ ଶରଧାବାଲିରେ ଗଡ଼ିଥିଲା । ମହାପ୍ରଭୁଙ୍କ ଦର୍ଶନ ଲାଗି ପୁରୀରେ ଲକ୍ଷ ଲକ୍ଷ ଭକ୍ତଙ୍କ ଗହଳି ଲାଗିଥିଲା । ଘଣ୍ଟ ଘଣ୍ଟା, ହରିବୋଲ ଓ ହୁଳହୁଳିରେ କମ୍ପି ଉଠିଥିଲା ଶ୍ରୀକ୍ଷେତ୍ର ।
ସନ୍ଧ୍ୟା ସାଢ଼େ ୫ଟା ପୂର୍ବରୁ ବଡ଼ ଦାଣ୍ଡରେ ପହଁଚି ଯାଇଥିଲା ତିନି ରଥ । ପୂର୍ବରୁ ଗଜପତି ମହାରାଜା ମଧ୍ୟସ୍ଥତା କରି ଜଗନ୍ନାଥ ଓ ମହାଲକ୍ଷ୍ମୀଙ୍କର ଭେଟ କରାଇଥିଲେ । ପରେ ଶ୍ରୀନଅର ମରିଚିକୋଟ ନିକଟରେ ଲକ୍ଷ୍ମୀ ନାରାୟଣ ଭେଟ ହୋଇଥିଲା । ତେବେ ପୁରିରେ ଶୃଙ୍ଖଳିତ ଦର୍ଶନ ଲାଗି ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା ।
