ନବନୀତା ବ୍ୟୁରୋ। ଅସରାଏ ବର୍ଷାରେ ହାଲ୍ ବେହାଲ। ଦାଣ୍ଡ, ଦୁଆର, ମନ୍ଦିର ଓ ରାସ୍ତାରେ ପାଣି। ରାସ୍ତାରେ ଆଣ୍ଠୁଏ ପାଣିରେ ଯିବା ଆସିବା କରୁଛନ୍ତି ଲୋକେ। ଏଭଳି କୃତିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି କଟକ ଜିଲ୍ଲା କଣ୍ଟାପଡ଼ା ପଞ୍ଚାୟତ ଉରାଢରେ। ଟିକିଏ ବର୍ଷା ହେଲେ ଘରେ ପାଣି ପଶୁଛି। ରାସ୍ତାରେ ଆଣ୍ଠୁଏ ପାଣି ଯୋଗୁ ଲୋକେ ହନ୍ତସନ୍ତ ହେଉଛନ୍ତି।
ସ୍ଥାନୀୟ ଲୋକଙ୍କ ଅଭିଯୋଗ ଏହି ଗାଁ ଦେଇ ଅନେକ ଲୋକ ଯିବା ଆସିବା କରନ୍ତି। ହେଲେ ଟିକେ ବର୍ଷା ହେଲେ ରାସ୍ତାର ଅବସ୍ଥା ବେହାଲ ହୋଇ ପଡ଼େ। ଫଳରେ ଅଟୋ,କାର, ବାଇକ୍ ଆରୋହି ବହୁ ଅସୁବିଧା ଭୋଗିଥାନ୍ତି। ଏପରିକି ମନ୍ଦିରରେ ପାଣି ପଶି ଥିବାରୁ ଟୁଲୁ ପମ୍ପ ଲଗାଇ ପାଣି ନିସ୍କାସନ କରାଯାଉଛି। ଗାଁରେ ଡ୍ରେନେଜ୍ ବ୍ୟବସ୍ଥା ନଥିବାରୁ ଏଭଳି ପରିସ୍ଥିତି ଦେଖା ଦେଇଛି। ଏନେଇ ଅନେକ ଥର ସରପଞ୍ଚଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କିଛି ଲାଭ ମିଳୁନି।
ଏହି ଗାଁ ଦେଇ ମହାପାତ୍ର ସିହି ଓଡଶପୁର ଯିବାକୁ କମ୍ ବାଟ ପଡ଼େ। ତେଣୁ ପ୍ରତିଦିନ ଶହ ଶହ ଲୋକ ଏହି ରାସ୍ତାରେ ଯିବା ଆସିବା କରନ୍ତି। ହେଲେ ରାସ୍ତା ଅବସ୍ଥା ବେହାଲ ଯୋଗୁଁ ଲୋକେ ନାହିଁ ନ ଥିବା ଅସୁବିଧା ଭୋଗିଥାନ୍ତି। ତେଣୁ ଏହାର ଶୀଘ୍ର ସମାଧାନ କରିବାକୁ ସ୍ଥାନୀୟ ଲୋକେ ଦାବି ଜଣାଇଛନ୍ତି। ସେପଟେ ଏନେଇ ସ୍ଥାନୀୟ ସରପଂଚ କିମ୍ବା ବିଡ଼ିଓଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ।
