ଏନ୍ଏନ୍ ବ୍ୟୁରୋ। ବ୍ୟାଙ୍କ ନିର୍ଦ୍ଦେଶକ ଫଳାଫଳ ପରେ ବଲାଙ୍ଗିର ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ପଦ ବିଜେଡ଼ି ହାତକୁ ଯିବାର ଯଥେଷ୍ଟ ସମ୍ଭାବନା ରହିଥିଲା। ମୋଟ ୧୫ ରୁ ୧୩ ଜୋନରେ ବିଜେଡ଼ି ସମର୍ଥିତ ପ୍ରାର୍ଥୀ ବିଜୟୀ ହୋଇଥିଲେ। କିନ୍ତୁ ସେଥି ମଧ୍ୟରୁ ଅନେକ ସଭାପତି ଆଶାୟୀ ଥିଲେ। ଫଳରେ ଶେଷ ମୁହୂର୍ତ୍ତରେ ଅଙ୍କ ଛିଣ୍ଡିବା ସହ ଦଳୀୟ ସମର୍ଥନରେ ପଦ୍ମାବତୀ ପାତ୍ରଙ୍କୁ ପ୍ରାର୍ଥୀ କରା ଯାଇଛି। କାଳେ କେହି ବିଦ୍ରୋହୀ ଛିଡା ହୋଇ ଯିବେ ତେଣୁ ବରିଷ୍ଠ ନେତାଙ୍କୁ ତାଙ୍କର ପ୍ରସ୍ତାବକ, ସମର୍ଥକ ରଖା ଯାଇଥିବା ଜଣା ପଡ଼ିଛି। ଏବଂ ପଦ୍ମାବତୀ ବିଜେଡ଼ି ସମର୍ଥିତ ସଭାପତି ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।
ଏହା ପରେ କଂଗ୍ରେସର ସ୍ମାରକ ରଞ୍ଜନ ମିଶ୍ର ମଧ୍ୟ ସଭାପତି ପ୍ରାର୍ଥୀ ପାଇଁ ନାମାଙ୍କନ ଭରିଛନ୍ତି। ତାଙ୍କ ପାଖରେ ସଂଖ୍ୟା ଗରିଷ୍ଠତା ନଥିଲେ ବି ସେ ଏହି ପଦବୀ ପାଇଁ ନୋମିନେସନ କରିଛନ୍ତି। ହେଲେ ନାମାଙ୍କନ ପତ୍ର ଦାଖଲର ଶେଷ ମୁହୂର୍ତ୍ତରେ ଆସି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ବିଦ୍ରୋହୀ ପ୍ରାର୍ଥୀ ଅକ୍ଷୟ କୁମାର ରାଉତ। ଅକ୍ଷୟ ୧୦ ନମ୍ବର ଜୋନରେ ବିଜେଡ଼ି ସମର୍ଥିତ ପ୍ରାର୍ଥୀ ଭାବେ ଛିଡ଼ା ହୋଇ ବ୍ୟାଙ୍କ ନିର୍ଦ୍ଦେଶକ ନିର୍ବାଚନରେ ବିଜୟୀ ହୋଇଥିଲେ। ଦଳୀୟ ଭିତ୍ତିରେ ସଭାପତି ପଦ ହାତେଇବା ପାଇଁ ସମସ୍ତ ଉଦ୍ୟମ ମଧ୍ୟ କରିଥିଲେ। କିନ୍ତୁ ଶେଷରେ ଫେଲ୍ ମାରିଥିଲେ ଅକ୍ଷୟ। ତାଙ୍କୁ ବିଜେଡ଼ି ପ୍ରାର୍ଥୀ ନ କରିବାରୁ ସେ ବିଦ୍ରୋହୀ ପ୍ରାର୍ଥୀ ଭାବେ ଛିଡ଼ା ହୋଇଛନ୍ତି। ଏପରିକି ତାଙ୍କ ସମର୍ଥନରେ ୮ ଜଣ ବ୍ୟାଙ୍କ ନିର୍ଦ୍ଦେଶକ ରହିଥିବା ସେ ଦୃଢ଼ ଦାବି କରିଛନ୍ତି। ଦାବି ଅନୁସାରେ ସେ ବିଜୟୀ ହେବାର ସୂଚନା ଦେଇଛନ୍ତି।
ଅନ୍ୟପକ୍ଷରେ ପଦ୍ମାବତୀଙ୍କୁ ଦଳୀୟ ସମର୍ଥନରେ ସଭାପତି ପ୍ରାର୍ଥୀ କରା ଯାଇଥିବାରୁ ସେ ମଧ୍ୟ ଜିତିବାର ଆଶା ରଖିଛନ୍ତି।କିନ୍ତୁ ଘୋଡ଼ା ବେପାର ହେଲେ ଜଣ ହେବ ତାହା କହିବା ମୁସ୍କିଲ। ଗୋଟିଏ ଦଳରୁ ଦୁଇ ଜଣ ପ୍ରାର୍ଥୀ ଛିଡ଼ା ହେବା ଜିଲ୍ଲା ବିଜେଡ଼ିରେ ଫାଟ ସୃଷ୍ଟି କରିଛି ନିଶ୍ଚିତ। ପଦ୍ମାବତୀଙ୍କୁ ଦଳ ପ୍ରାର୍ଥୀ କଲା, କିନ୍ତୁ ଅକ୍ଷୟ ରାଉତ ବିଦ୍ରୋହୀ ପ୍ରାର୍ଥୀ ଭାବେ ନାମାଙ୍କନ ଭରିବା ଦଳକୁ ଅଡୁଆରେ ପକାଇ ଦେଇଛି। ବିଜେଡି ବିଦ୍ରୋହୀ ତଥା ସ୍ଵାଧୀନ ପ୍ରାର୍ଥୀ ଭାବେ ଛିଡ଼ା ହେବା ପାଇଁ ସେ କାହାଠୁ ସାହାସ ପାଇଲେ। କୁହା ଯାଉଛି ତାଙ୍କ ପଛରେ ଏକ ଅଦୃଶ୍ୟ ଶକ୍ତି ରହିଛି। ଦୁଇ ଜଣ ପ୍ରଭାବଶାଳୀ ନେତାଙ୍କ ସମର୍ଥନରେ ଅକ୍ଷୟ କୁମାର ରାଉତ ପ୍ରାର୍ଥୀ ହୋଇଛନ୍ତି। ଅନ୍ୟପକ୍ଷରେ ପଦ୍ମାବତୀ ସପକ୍ଷରେ ମନ୍ତ୍ରୀଙ୍କ ସମର୍ଥନ ରହିଛି । ତେଣୁ ବିଜେଡ଼ି ଝଗଡ଼ା ଭିତରେ କଂଗ୍ରେସ ସଭାପତି ପଦ ହାତେଇ ନେବନି ତ !
