ଭୁବନେଶ୍ୱର: ଜଗା-କାଳିଆ ପରେ ପୁଣି ଜନ୍ମିଲେ ଯୋଡ଼ା ଶିଶୁ । ଢେଙ୍କାନାଳ ଜିଲ୍ଲା ମୁଖ୍ୟ ମେଡିକାଲରେ ଯୋଡ଼ା ଶିଶୁ ଜନ୍ମ ନେଇଥିବା ଜଣା ପଡିଛି । ପର୍ଜଙ୍ଗ ଅଞ୍ଚଳର ଜଣେ ମହିଳା ଏହି ଯୋଡ଼ା ଶିଶୁକୁ ଜନ୍ମ ଦେଇଛନ୍ତି। ନବଜାତ ଦୁଇ ଶିଶୁ କନ୍ୟାଙ୍କ ଛାତିରୁ ପେଟ ଯାଏ ଯୋଡ଼ି ହୋଇ ରହିଛି। ତେବେ ଶିଶୁ କନ୍ୟା ଦୁହିଁଙ୍କ ଅବସ୍ଥା ଭଲ ଥିବା ଡାକ୍ତରଖାନା ପକ୍ଷରୁ ସୂଚନା ମିଳିଛି । ଉଭୟଙ୍କୁ ଅଧିକ ଚିକିତ୍ସା ଲାଗି କଟକ ଶିଶୁଭବନ ପଠାଯାଇଛି।
ପର୍ଜଙ୍ଗ ଥାନା ଖାଲପାଳ ଗାଁର ରେଣୁବାଳା ବେହେରାଙ୍କ ଏହା ହେଉଛି ଦ୍ୱିତୀୟ ଗର୍ଭ। ସୋମବାର ପ୍ରସବ ବେଦନା ହେବାରୁ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ହେଲେ ମେଡିକାଲରେ ଜନ୍ମ ହୋଇଥିଲେ ଯୋଡ଼ା ଶିଶୁ କନ୍ୟା । ଉଭୟ ଶିଶୁଙ୍କର ଓଜନ ସାଢ଼େ ୪ କିଲୋଗ୍ରାମ ରହିଛି । ତେବେ ଏସ୍ଏନସିୟୁରେ ଭର୍ତ୍ତି କରିବା ପରେ ଉଭୟ ଶିଶୁ ସୁସ୍ଥ ଥିବା ଡାକ୍ତର ସୂଚନା ଦେଇଛନ୍ତି । ପୂର୍ବରୁ କନ୍ଧମାଳର ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଆଙ୍କ ଅପରେସନ୍ ସାରା ରାଜ୍ୟରେ ଚହଳ ପକାଇଥିଲା । ଏବେ ଢେଙ୍କାନାଳରେ ଯୋଡ଼ା ଛାତି ଥିବା ଶିଶୁ କନ୍ୟା ଜନ୍ମ ନେଇଛନ୍ତି । ଯୋଡ଼ା ମୁଣ୍ଡ ଶିଶୁ ଜଗା ବଳିଆଙ୍କ ସଫଳ ଅପରେସନ୍ ଦିଲ୍ଲୀ ଏମସରେ ହୋଇଥିବା ବେଳେ ସେମାନେ ଖୁବଶୀଘ୍ର ଓଡ଼ିଶା ଫେରିବେ ବୋଲି ସୂଚନା ମିଳିଛି ।
