୮୧୨୬ କୋଟି ଟଙ୍କାର ଅତିରିକ୍ତ ବଜେଟ ଆଗତ

ଓଡ଼ିଶାବଡ଼ ଖବରରାଜନୀତି

ନବନୀତା ବ୍ୟୁରୋ। ବିଧାନସଭାରେ ଆଗତ ହେଲା ଚଳିତ ଆର୍ଥିକ ବର୍ଷର ଅତିରିକ୍ତ ବଜେଟ । ୮ ହଜାର ୧୨୬ କୋଟି ୩୨ ଲକ୍ଷ ଟଙ୍କାର ଅତିରିକ୍ତ ବଜେଟ ଆଗତ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ଅଧିବେଶନର ପ୍ରଥମ ଦିନରେ ମୁଖ୍ୟ ବିରୋଧୀଙ୍କ ହଟ୍ଟଗୋଳ ଲାଗି ୩ଟା ପର୍ଯ୍ୟନ୍ତ ଗୃହ ମୁଲତବି ରହିଥିଲା। ସଂଧ୍ୟାରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଚଳିତ ବର୍ଷର ଅତିରିକ୍ତ ବଜେଟ ଉପସ୍ଥାନ କରିବା ଲାଗି ବାଚସ୍ପତିଙ୍କ ଅନୁମତି ଲୋଡିଥିଲେ । ହେଲେ ବିରୋଧୀ ବିଜେପି ଏବଂ କଂଗ୍ରେସ ତୀବ୍ର ବିରୋଧ କରିଥିଲେ । ତେବେ ବିରୋଧୀଙ୍କ ହଟ୍ଟଗୋଳ ସତ୍ବେ ଅର୍ଥମନ୍ତ୍ରୀ ଅତିରିକ୍ତ ବଜେଟ ଆଗତ କରିଥିଲେ ।

୮ ହଜାର ୧୨୬ କୋଟି ୩୨ ଲକ୍ଷ ଟଙ୍କାର ଅତିରିକ୍ତ ବଜେଟ ଆଗତ କରିଛନ୍ତି ନିରଞ୍ଜନ ପୂଜାରୀ। ଏଥିରେ ପ୍ରାଶାସନିକ ବ୍ୟୟ ଲାଗି ୨୬୭.୨୩ କୋଟି ରହିଥିବା ବେଳେ ୭ ହଜାର ୪୩୨.୮୦ କୋଟି ଟଙ୍କା ବିଭିନ୍ନ କାର୍ଯ୍ୟକ୍ରମ ଲାଗି ବ୍ୟୟ ଅଟକଳ ରହିଛି। ଏଥିସହ ସଂସଦୀୟ ବ୍ୟାପାର ବିଭାଗ ଲାଗି ୧.୭୫ କୋଟି, ଶକ୍ତି ବିଭାଗ-୮୫୧.୧୫ କୋଟି, ପର୍ଯ୍ୟଟନ ବିଭାଗ ଲାଗି ୪୫.୫୩ କୋଟି, ସମବାୟ-୧୯୧.୦୩ କୋଟି, ମହିଳା ଓ ଶିଶୁ ବିକାଶ-୨୬୧.୨୫ କୋଟି, ପ୍ରଯୁକ୍ତି ବିଦ୍ୟା-୧୭.୦୧ କୋଟି, ଉଚ୍ଚଶିକ୍ଷା-୩୪.୫୩ କୋଟି, ଦକ୍ଷତା ବିକାଶ-୭୧.୫୭ କୋଟି, ବିପର୍ଯ୍ୟୟ ପ୍ରଶମନ ଲାଗି ୬.୫୨ କୋଟି, ଓଡ଼ିଆ ଭାଷା ଓ ସଂସ୍କୃତି- ୩.୦୭ କୋଟି, ସାମାଜିକ ସୁରକ୍ଷା-୫୦୪ କୋଟି, ସ୍ବାସ୍ଥ୍ୟ ବିଭାଗ ଲାଗି ୪୯୧.୨୨ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି। ତେବେ ସାଧାରଣ ଅଭିଯୋଗ, ଖଣି ଓ ଏମ୍ଏସଏମ୍ଇ ବିଭାଗ ଲାଗି ବ୍ୟୟ ବରାଦ ହୋଇନି। ୨୦୧୯ ସେପ୍ଟେମ୍ବର ସୁଦ୍ଧା ରାଜ୍ୟର ଋଣ ପରିମାଣ ୮୩ ହଜାର ୩୦୭ କୋଟି ଟଙ୍କା ରହିଛି ।