କୋଲକାତାରେ ଅନୁଗୋଳ ଆଲୁମିନିୟମ୍ ପାର୍କର ରୋଡସୋ

ଓଡ଼ିଶାବଡ଼ ଖବରବ୍ୟବସାୟ

ଏନ୍ଏନ୍ଏନ୍ ବ୍ୟୁରୋ l କୋଲକାତାରେ “ଅନୁଗୋଳ ଆଲୁମିନିୟମ୍ ପାର୍କ” ଉପରେ ଏକ ରୋଡ୍‌ସୋ ଉଦଘାଟିତ ହୋଇଛି l ନାଲକୋ ଓ ଇଡକୋ ପକ୍ଷରୁ ମିଳିତ ଭାବରେ ଅୟୋଜିତ ରୋଡ୍‌ସୋର ଉଦଘାଟନୀ ସମାରୋହରେ କୋଇଲା ଓ ଖଣି ମନ୍ତ୍ରୀ ଜି. କିଷନ୍ ରେଡ୍ଡୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଖଣି ସଚିବ କେଶବ ଚନ୍ଦ୍ର, ନାଲକୋର ସିଏମ୍‌ଡି ବ୍ରିଜେନ୍ଦ୍ର ପ୍ରତାପ ସିଂହ, ଇଡ୍‌କୋର ପରିଚାଳନା ନିର୍ଦ୍ଦେଶକ ଡି. ପ୍ରଶାନ୍ତ କୁମାର ରେଡ୍ଡୀ ଏବଂ ଆସୋଚାମର ସହ-ଅଧ୍ୟକ୍ଷ ସଞ୍ଜୀବ କୁମାର ପଟ୍ଟବାରୀ ବିଶିଷ୍ଟ ଅତିଥି ଭାବେ ସାମିଲ ହୋଇଥିଲେ l କାର୍ଯ୍ୟକ୍ରମର ପ୍ରାରମ୍ଭରେ ନାଲକୋର ନିର୍ଦ୍ଦେଶକ (P&T) ଜଗଦୀଶ ଆରୋରା ସ୍ୱାଗତ ଭାଷଣ ଦେବା ସହ ନିବେଶକମାନଙ୍କୁ ଓଡ଼ିଶାର ଏହି ନିବେଶ-ଅନୁକୂଳ ପରିବେଶର ଫାଇଦା ଉଠାଇବାକୁ ଆହ୍ୱାନ ଜଣାଇଥିଲେ l

​ସମାବେଶକୁ ସମ୍ବୋଧିତ କରି କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ଜି. କିଷନ୍ ରେଡ୍ଡୀ କହିଥିଲେ ଯେ, ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଘରୋଇ ଉତ୍ପାଦନକୁ ସୁଦୃଢ଼ କରିବା ଏବଂ ଏକ ଆତ୍ମନିର୍ଭର ଭାରତ ଗଢ଼ିବାର ସ୍ୱପ୍ନ ଅନୁଯାୟୀ, ‘ସବୁଜ ଧାତୁ’ ତଥା ‘ଆଗାମୀକାଲିର ଧାତୁ’ କୁହାଯାଉଥିବା ଆଲୁମିନିୟମ୍ ଆତ୍ମନିର୍ଭର ଭାରତ ଗଠନର ଯାତ୍ରାରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସେ ଆହୁରି କହିଥିଲେ, “ପର୍ଯ୍ୟାପ୍ତ ଘରୋଇ ଉତ୍ପାଦନ କ୍ଷମତା ଥାଇ ମଧ୍ୟ ଭାରତ ବର୍ତ୍ତମାନ ପାଖାପାଖି ୪ ବିଲିୟନ୍ ଆମେରିକୀୟ ଡଲାର ମୂଲ୍ୟର ଉଚ୍ଚମାନର ଆଲୁମିନିୟମ୍ ସାମଗ୍ରୀ ଆମଦାନୀ କରୁଛି। ଉତ୍ପାଦନ ବୃଦ୍ଧି, ଅଧିକ ମୂଲ୍ୟ ସଂଯୋଜନ ଏବଂ ସୁଦୃଢ଼ ଡାଉନ୍‌ଷ୍ଟ୍ରିମ୍ ଇକୋସିଷ୍ଟମ୍ ମାଧ୍ୟମରେ ଏହି ବ୍ୟବଧାନକୁ ପୂରଣ କରିବା ଆମର ମୁଖ୍ୟ ପ୍ରାଥମିକତା।” ଏହି ପ୍ରସ୍ତାବିତ ଆଲୁମିନିୟମ୍ ଶିଳ୍ପ ଉଦ୍ୟମ ନିବେଶକ ଏବଂ ଶିଳ୍ପଗୁଡ଼ିକ ପାଇଁ ସେମାନଙ୍କର କାର୍ଯ୍ୟକଳାପ ପ୍ରତିଷ୍ଠା ଓ ସମ୍ପ୍ରସାରଣ କରିବା, ନବସୃଜନକୁ ପ୍ରୋତ୍ସାହିତ କରିବା, ନିଯୁକ୍ତି ସୃଷ୍ଟି କରିବା ଏବଂ ଭାରତର ଆଲୁମିନିୟମ୍ ମୂଲ୍ୟ ଶୃଙ୍ଖଳାକୁ ସୁଦୃଢ଼ କରିବା ପାଇଁ ଏକ ପ୍ରମୁଖ ମଞ୍ଚ ହେବ। ଏଭଳି ମିଳିତ ପ୍ରଚେଷ୍ଟା ଏକ ବିକଶିତ ଓ ଆତ୍ମନିର୍ଭର ଭାରତ ଗଠନର ବୃହତ୍ତର ଜାତୀୟ ଲକ୍ଷ୍ୟ ହାସଲରେ ପ୍ରସଂଶନୀୟ ଯୋଗଦାନ ଦେବ ବୋଲି ସେ ପ୍ରକାଶ କରିଥିଲେ।

​ଏହି ଅବସରରେ ଭାରତ ସରକାରଙ୍କ ଖଣି ମନ୍ତ୍ରାଳୟ ସଚିବ କେଶବ ଚନ୍ଦ୍ର ବକ୍ତବ୍ୟ ରଖି କହିଥିଲେ ଯେ, ଆଲୁମିନିୟମ୍ କ୍ଷେତ୍ର କେବଳ ପ୍ରାଥମିକ ଉତ୍ପାଦନ ମଧ୍ୟରେ ସୀମିତ ନରହି ଅଧିକ ମୂଲ୍ୟ ସଂଯୋଜନ ଏବଂ ଉଚ୍ଚମାନର ପ୍ରସ୍ତୁତ ସାମଗ୍ରୀ ଉତ୍ପାଦନ ଆଡ଼କୁ ଗତି କରିବାର ଆବଶ୍ୟକତା ରହିଛି। ପ୍ରତିଯୋଗିତାମୂଳକ ମୂଲ୍ୟରେ ଉଚ୍ଚମାନର ସାମଗ୍ରୀ ଯୋଗାଇବା ପାଇଁ ସେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର, ନବସୃଜନ ଏବଂ ସ୍ୱଦେଶୀ ଗବେଷଣା ଓ ବିକାଶ କ୍ଷମତାର ବୃଦ୍ଧି ଉପରେ ଗୁରୁତ୍ୱାରୋପ କରିଥିଲେ। ନାଲକୋର ସିଏମ୍‌ଡି ବ୍ରିଜେନ୍ଦ୍ର ପ୍ରତାପ ସିଂହ ନିଜ ବକ୍ତବ୍ୟରେ ଦର୍ଶାଇଥିଲେ ଯେ, ଅନୁଗୋଳରେ ନାଲକୋର କାର୍ଯ୍ୟକଳାପ ଚାରିପାଖରେ ଏକ ସୁଦୃଢ଼ ଓ ସଂଯୋଜିତ ଡାଉନ୍‌ଷ୍ଟ୍ରିମ୍ ଆଲୁମିନିୟମ୍ ଇକୋସିଷ୍ଟମ୍ ଗଢ଼ିବା ଏବଂ ସୁଯୋଗଗୁଡ଼ିକୁ ସାର୍ଥକ ଶିଳ୍ପ ଭାଗିଦାରୀରେ ପରିଣତ କରିବା ପାଇଁ ଅନୁଗୋଳ ଆଲୁମିନିୟମ୍ ପାର୍କକୁ ଏକ ପ୍ରମୁଖ ମଞ୍ଚ ଭାବରେ ପରିକଳ୍ପନା କରାଯାଇଛି। ଆଞ୍ଚଳିକ ସ୍ତରରେ ଆଲୁମିନିୟମ୍ ମୂଲ୍ୟ ଶୃଙ୍ଖଳାର ବିକାଶରେ ନାଲକୋକୁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ସୁଯୋଗ ଦେଇଥିବାରୁ ସେ ଭାରତ ସରକାରଙ୍କ ଖଣି ମନ୍ତ୍ରାଳୟ ଏବଂ ଓଡ଼ିଶା ସରକାରଙ୍କ ନିରନ୍ତର ସହଯୋଗ ପାଇଁ କୃତଜ୍ଞତା ଜ୍ଞାପନ କରିଥିଲେ।

​ଇଡ୍‌କୋର ପରିଚାଳନା ନିର୍ଦ୍ଦେଶକ ଡି. ପ୍ରଶାନ୍ତ କୁମାର ରେଡ୍ଡୀ କହିଛନ୍ତି ଯେ, ଗତ ଦୁଇ ବର୍ଷ ମଧ୍ୟରେ ଓଡ଼ିଶା ତାର ସକ୍ରିୟ ମନୋଭାବ ଏବଂ ନିବେଶକ-ଅନୁକୂଳ ନୀତି ଯୋଗୁଁ ଏକ ପସନ୍ଦଯୋଗ୍ୟ ନିବେଶ ସ୍ଥଳୀ ଭାବରେ ଉଭା ହୋଇଛି। ସ୍ୱତନ୍ତ୍ର ଭୌଗୋଳିକ ଅବସ୍ଥିତିରେ ଥିବା ଅନୁଗୋଳ ଆଲୁମିନିୟମ୍ ପାର୍କ ତାର ତରଳ ଧାତୁ କୋରିଡୋର୍ ଏବଂ ସହଜରେ ଜମି, ଜଳ ଓ ବିଦ୍ୟୁତ୍‌ର ଉପଲବ୍ଧତା ସହିତ ଏକ ଅନନ୍ୟ ସୁବିଧା ପ୍ରଦାନ କରେ। ଏହି ପାର୍କ ଆଗାମୀ ଦିନରେ ବ୍ୟାପକ ସମ୍ପ୍ରସାରଣ ପାଇଁ ପ୍ରସ୍ତୁତ ଏବଂ ଏହା ଡାଉନ୍‌ଷ୍ଟ୍ରିମ୍ ଶିଳ୍ପ, ମୂଲ୍ୟବର୍ଦ୍ଧନ ଏବଂ ଏମ୍‌ଏସ୍‌ଏମ୍‌ଇର ଅଭିବୃଦ୍ଧି ପାଇଁ ଏକ ଅନୁକୂଳ ମଞ୍ଚ ପ୍ରଦାନ କରିବ। ​’ଦି ଆସୋସିଏଟେଡ୍ ଚାମ୍ବର୍ସ ଅଫ୍ କମର୍ସ ଏଣ୍ଡ ଇଣ୍ଡଷ୍ଟ୍ରି ଅଫ୍ ଇଣ୍ଡିଆ’ (ASSOCHAM) ଇଭେଣ୍ଟ ପାର୍ଟନର ଭାବେ ଯୋଗଦେଇ ନାଲକୋ ଦ୍ୱାରା ଆୟୋଜିତ ଏହି ରୋଡ୍‌ସୋରେ ଆଲୁମିନିୟମ୍ ଆଧାରିତ ଉତ୍ପାଦନ ପ୍ରତିଷ୍ଠା ଓ ସମ୍ପ୍ରସାରଣର ସୁଯୋଗ ଖୋଜିବା ପାଇଁ ନୀତି ନିର୍ଦ୍ଧାରକ, ଶିଳ୍ପପତି ଏବଂ ସମ୍ଭାବ୍ୟ ନିବେଶକମାନେ ଏକାଠି ହୋଇଥିଲେ। ଏହି ରୋଡ୍‌ସୋରେ ନିବେଶକ ସମ୍ପ୍ରଦାୟ, ଶିଳ୍ପ ସଂଘ ଏବଂ ଅନ୍ୟାନ୍ୟ ଅଂଶୀଦାରମାନଙ୍କର ୨୫୦ ରୁ ଅଧିକ ପ୍ରତିନିଧି ଯୋଗ ଦେଇଥିଲେ।

​ଏହି ରୋଡ୍‌ସୋରେ ‘ଅନୁଗୁଳ ଆଲୁମିନିୟମ୍ ପାର୍କ ପ୍ରାଇଭେଟ୍ ଲିମିଟେଡ୍’ (AAPPL) ଉପରେ ବିଶେଷ ଆଲୋକପାତ କରାଯାଇଥିଲା, ଯାହା ଓଡ଼ିଶାର ଅନୁଗୋଳଠାରେ ଡାଉନ୍‌ଷ୍ଟ୍ରିମ୍ ଆଲୁମିନିୟମ୍ ଶିଳ୍ପ ପାଇଁ ଏକ ବିଶ୍ୱସ୍ତରୀୟ ପାର୍କ ଗଢ଼ିବା ନିମନ୍ତେ ନାଲକୋ ଏବଂ ଇଡ୍‌କୋର ଏକ ମିଳିତ ଉଦ୍ୟମ। AAPPL ନିବେଶକମାନଙ୍କୁ ଏକ ସହାୟକ ଶିଳ୍ପ ପରିବେଶ ମଧ୍ୟରେ ଉତ୍ପାଦନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଶିଳ୍ପ ଜମି, ନିର୍ଭରଯୋଗ୍ୟ ବିଦ୍ୟୁତ୍ ଓ ଜଳ ଯୋଗାଣ, ସଡ଼କ ସଂଯୋଗୀକରଣ ଏବଂ R&D ଓ ପରୀକ୍ଷାଗାର ସୁବିଧା ସହିତ ମୁଖ୍ୟ ଭିତ୍ତିଭୂମି ଯୋଗାଇଥାଏ। ​ସମ୍ଭାବ୍ୟ ନିବେଶକମାନଙ୍କ ପାଇଁ ଏକ ପ୍ରମୁଖ ଆକର୍ଷଣ ହେଉଛି ଡାଉନ୍‌ଷ୍ଟ୍ରିମ୍ ଉତ୍ପାଦନ ପାଇଁ କଞ୍ଚାମାଲ ଭାବରେ ନାଲକୋର ତରଳ ଧାତୁ ର ଉପଲବ୍ଧତା। ନାଲକୋ ବାର୍ଷିକ ୫୦,୦୦୦ ଟନ୍ ତରଳ ଧାତୁ ରିହାତି ଦରରେ ଯୋଗାଇଦେବ, ଯାହା ନିବେଶକମାନଙ୍କୁ କଞ୍ଚାମାଲର ନିର୍ଭରଯୋଗ୍ୟ ଉତ୍ସ ସୁନିଶ୍ଚିତ କରିବା ସହ ଡାଉନ୍‌ଷ୍ଟ୍ରିମ୍ ଆଲୁମିନିୟମ୍ ଉତ୍ପାଦନ ୟୁନିଟ୍ ସ୍ଥାପନ କରିବାରେ ଆର୍ଥିକ ସହାୟକ ହେବ।