ଯୁଗ୍ମ ଅଭିଯୋଗ ଶୁଣାଣି: 14ଟି ସମସ୍ୟାର ତ୍ଵରିତ ସମାଧାନ

ଓଡ଼ିଶାବଡ଼ ଖବର

ଏନ୍ଏନ୍ ବ୍ୟୁରୋ l ଜିଲ୍ଲା ପଞ୍ଚାୟତ ସାଧନ କେନ୍ଦ୍ରରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାପାଳ ଗୌରୱ ଶିୱାଜୀ ଇସଲୱାର ଓ ଆରକ୍ଷୀ ଅଧିକ୍ଷକ ଅଭିଳାଷ ଜି. ଉପସ୍ଥିତ ରହି ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଲୋକଙ୍କ ସମସ୍ୟା ଓ ଅଭିଯୋଗ ଶୁଣିଥିଲେ l ବିଭିନ୍ନ ଗାଁରୁ ଆସିଥିବା ଅଭିଯୋଗକାରୀମାନେ ନିଜ ନିଜର ସମସ୍ୟା ଉପସ୍ଥାପନ କରିଥିଲେ। ସମସ୍ତ ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ଦାଖଲ ହୋଇଥିବା ଅଭିଯୋଗପତ୍ରଗୁଡ଼ିକର ତୁରନ୍ତ ସମାଧାନ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଥିଲେ।

ଅଭିଯୋଗ ଶୁଣାଣିରେ ମୋଟ ୧୦୧ଟି ଅଭିଯୋଗପତ୍ର ପଞ୍ଜୀକୃତ ହୋଇଛି। ସେଥିମଧ୍ୟରୁ ବ୍ୟକ୍ତିଗତ ସମସ୍ୟା ସମ୍ବନ୍ଧୀୟ ୮୦ଟି ଏବଂ ସାମୂହିକ ସମସ୍ୟା ସମ୍ବନ୍ଧୀୟ ୨୧ଟି ଅଭିଯୋଗପତ୍ର ଗ୍ରହଣ କରାଯାଇଥିଲା l କିନ୍ତୁ ୧୪ଟି ଅଭିଯୋଗର ତ୍ଵରିତ ସମାଧାନ କରାଯାଇଛି। ଜିଲ୍ଲାପାଳ ସମସ୍ତ ଅଭିଯୋଗ ଶୁଣିବା ପରେ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ସେଗୁଡ଼ିକର ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଏହି ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ତରଣୀ ସୁନା, ଉପଜିଲ୍ଲାପାଳ ଆଲୋକ କୁମାର ପଟେଲ, ଜିଲ୍ଲା ଶିକ୍ଷା ଅଧିକାରୀ ସୁଧାଂଶୁ କୁମାର ମିଶ୍ରଙ୍କ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ।