ବଲାଙ୍ଗିର ଏନ୍ଏନ୍ ବ୍ୟୁରୋ l ବଲାଙ୍ଗିର ଜିଲ୍ଲା ମୁରିବାହାଲରେ
ଜନଶୁଣାଣି କାର୍ଯ୍ୟକ୍ରମ ସାରିବା ପରେ ବିଭିନ୍ନ ସରକାରୀ ପ୍ରତିଷ୍ଠାନ ପରିଦର୍ଶନ କରିଥିଲେ ଜିଲ୍ଲାପାଳ l ମୁରିବାହାଲ ସଦର ମହକୁମାରେ ଥିବା ବିଭିନ୍ନ ସରକାରୀ ପ୍ରତିଷ୍ଠାନର କାର୍ଯ୍ୟକାରିତା ଅନୁଧ୍ୟାନ ପାଇଁ ଆକସ୍ମିକ ଗସ୍ତ କରିଥିଲେ ଜିଲାପାଳ ଗୌରୱ ଶିୱାଜୀ ଇଶଲୱାର l ମୁରିବାହାଲ ସ୍ୱାସ୍ଥ୍ୟ କେନ୍ଦ୍ରର ବହିର୍ବିଭାଗ (OPD) ଓ ଅନ୍ତର୍ବିଭାଗ ପରିଦର୍ଶନ କରି ରୋଗୀଙ୍କ ସ୍ୱାସ୍ଥ୍ୟ ସେବା, ମାଗଣା ଔଷଧ ଯୋଗାଣ ବ୍ୟବସ୍ଥା ଓ ପରିସରର ସ୍ୱଚ୍ଛତାର ସମୀକ୍ଷା କରିଥିଲେ। ତାସହ ରୋଗୀମାନଙ୍କୁ ସର୍ବୋତ୍ତମ ଚିକିତ୍ସା ସେବା ଯୋଗାଇବାକୁ ମେଡିକାଲ ଅଫିସର ଓ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଏହାପରେ ସରକାରୀ ମୁରିବାହାଲ ପଞ୍ଚାୟତି ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରି ଶ୍ରେଣୀଗୃହରେ ଛାତ୍ରଛାତ୍ରୀଙ୍କ ସହ ଶୈକ୍ଷିକ ଆଲୋଚନା କରିଥିଲେ ଜିଲ୍ଲାପାଳ। ସ୍କୁଲର ଭିତ୍ତିଭୂମି, ସ୍ମାର୍ଟ କ୍ଲାସରୁମ୍, ବିଜ୍ଞାନଗାର, ପାଠାଗାର ଓ ଓଡ଼ିଶା ରାଜ୍ୟ ମୁକ୍ତ ବିଦ୍ୟାଳୟର କାର୍ଯ୍ୟକାରିତାର ସମୀକ୍ଷା କରିଥିଲେ। ଶିକ୍ଷା ଗ୍ରହଣ କରିବାର କୌଣସି ନିର୍ଦ୍ଦିଷ୍ଟ ବୟସ ନଥାଏ। ରାଜ୍ୟ ମୁକ୍ତ ବିଦ୍ୟାଳୟର ଏହି ନମନୀୟ ବ୍ୟବସ୍ଥା ମଧ୍ୟବୟସ୍କମାନଙ୍କୁ ଆତ୍ମନିର୍ଭରଶୀଳ ଓ ସାକ୍ଷର କରିବାରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ। ଯେଉଁ ବୟସ୍କ ବ୍ୟକ୍ତିମାନେ କୌଣସି କାରଣବଶତଃ ପିଲାଦିନେ ନିଜର ପାଠପଢ଼ା ସମ୍ପୂର୍ଣ୍ଣ କରିପାରି ନଥିଲେ ସେମାନେ ଏହି ବ୍ୟବସ୍ଥା ଦ୍ୱାରା ମାଟ୍ରିକ ଓ ପରବର୍ତ୍ତୀ ଶିକ୍ଷା ଲାଭ କରିbପାରିବେ। ସାକ୍ଷରତା ହାର ବୃଦ୍ଧି କରିବା ସହିତ ଶିକ୍ଷାରୁ ବଞ୍ଚିତ ବୟସ୍କମାନଙ୍କୁ ପୁଣିଥରେ ମୁଖ୍ୟସ୍ରୋତକୁ ଆଣିବା ପାଇଁ ତୃଣମୂଳ ସ୍ତରରେ ବ୍ୟାପକ ସଚେତନତା ସୃଷ୍ଟି କରିବାକୁ ଜିଲ୍ଲାପାଳ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।
