ବଲାଙ୍ଗିର ଏନ୍ଏନ୍ ବ୍ୟୁରୋ l ଦୁର୍ବୃତ୍ତଙ୍କ ଦ୍ଵାରା ଲୁଟ ୫ ଲକ୍ଷ ଟଙ୍କା ଫେରି ପାଇଲେ ଅସହାୟ ବୃଦ୍ଧା l ଜିଲ୍ଲା ଓ ପୋଲିସ ପ୍ରଶାସନର ମିଳିତ ଉଦ୍ୟମ ଯୋଗୁଁ ବୃଦ୍ଧା ତାଙ୍କ ଟଙ୍କା ଫେରି ପାଇଛନ୍ତି l ସୁକତେଲ ବୁଡ଼ି ଅଞ୍ଚଳର ଜଣେ ଅସହାୟ ବିସ୍ଥାପିତ ବୃଦ୍ଧାଙ୍କ ମୁହଁରେ ହସ ଫେରାଇ ଆଣିବାରେ ସକ୍ଷମ ହୋଇଛି ଜିଲ୍ଲା ପ୍ରଶାସନ l ବଲାଙ୍ଗିର ଜିଲ୍ଲାପାଳ ଗୌରୱ ଶିୱାଜି ଇସଲୱାର ଓ ଆରକ୍ଷୀ ଅଧୀକ୍ଷକ ଅଭିଳାଷ ଜିଙ୍କ ମିଳିତ ଓ ତ୍ୱରାନ୍ୱିତ ଉଦ୍ୟମ ଯୋଗୁଁ ବୃଦ୍ଧାଙ୍କୁ ନ୍ୟାୟ ମିଳିପାରିଛି ।
ଘଟଣା ଅନୁସାରେ, ବଲାଙ୍ଗିର ସଦର ଥାନା ଅନ୍ତର୍ଗତ ବଡ଼ ତେଲେନପାଲି ଗାଁର ବୃଦ୍ଧା ପୁରାଣ ଧରୁଆ l ତାଙ୍କର ସ୍ୱାମୀଙ୍କ ମୃତ୍ୟୁ ହୋଇସାରି ଥିବା ବେଳେ ପୁଅଝିଅ ବି କେହି ନାହାନ୍ତି I ସୁକତେଲ ପ୍ରକଳ୍ପ ବିସ୍ଥାପନ ବାବଦକୁ ମିଳିଥିବା କ୍ଷତିପୂରଣ ଟଙ୍କାକୁ ବାକି ଜୀବନ ବଞ୍ଚିବା ପାଇଁ ସେ ବ୍ୟାଙ୍କରେ ଜମା ରଖିଥିଲେ। ହେଲେ କିଛିଦିନ ପରେ ବୃଦ୍ଧା ଜଣକ ଟଙ୍କା ଉଠାଇବାକୁ ଯାଇଥିବା ବେଳେ ତାଙ୍କ ଆକାଉଣ୍ଟରୁ ଅନ୍ୟ ଏକ ଆକାଉଣ୍ଟକୁ ଟଙ୍କା ସ୍ଥାନାନ୍ତରିତ ହୋଇଥିବା ଜାଣିବାକୁ ପାଇଥିଲେ l ଏଥିପାଇଁ ସେ କୌଣସି ଆବେଦନ କରିନଥିଲେ ମଧ୍ୟ ଚଞ୍ଚକତା କରି କେହି ଦୁର୍ବୃତ୍ତ ତାଙ୍କ ଆକାଉଣ୍ଟରୁ ୫ ଲକ୍ଷ ଟଙ୍କା ଉଠାଇ ନେଇଥିଲେ l
ଏନେଇ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣିରେ ବୃଦ୍ଧା ପୁରାଣ ନିଜ ଦୁଃଖ ଜଣାଇଥିଲେ l ଏହି ଘଟଣାକୁ ଜିଲ୍ଲାପାଳ ଏବଂ ଏସପି ଗମ୍ଭୀରତାର ସହ ନେଇଥିଲେ l ଏହାର ତୁରନ୍ତ ସମାଧାନ ପାଇଁ ବ୍ୟାଙ୍କ କର୍ତ୍ତୃପକ୍ଷ ଓ ପୋଲିସକୁ ନିର୍ଦ୍ଦେଶ ଦିଆଯାଇଥିଲା l ପ୍ରଶାସନର କଡ଼ା ଆଭିମୁଖ୍ୟ ଓ ତ୍ୱରାନ୍ୱିତ ପଦକ୍ଷେପ ଯୋଗୁଁ ବୃଦ୍ଧା ପୁରାଣ ଧରୁଆ ଶେଷରେ ତାଙ୍କର ସମସ୍ତ ଜମା ପୁଞ୍ଜି ଫେରି ପାଇଛନ୍ତି । ଅନ୍ୟପଟେ ଏଭଳି ଜାଲିଆତି ମାମଲାରେ ସଂପୃକ୍ତ ଥିବା ଦୁର୍ବୃତ୍ତମାନଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି । ଟଙ୍କା ଫେରିପାଇବା ପରେ ଅସହାୟ ବୃଦ୍ଧା ଜିଲ୍ଲାପାଳ ଓ ଏସପିଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।
