ଏନ୍ଏନ୍ ବ୍ୟୁରୋ l ଆସନ୍ତାକାଲିଠାରୁ ବଲାଙ୍ଗିରରେ ୬୯ତମ ଓଡିଶା ରାଜ୍ୟ ବିଦ୍ୟାଳୟ ସମୂହ ଫୁଟବଲ, ଫେନସିଂ ଓ ଥାଙ୍ଗଟା ପ୍ରତିଯୋଗିତା ଆରମ୍ଭ ହେବ l ଏନେଇ ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବିସ୍ତୃତ ସୂଚନା ଦିଆଯାଇଛି l ୨୭ରୁ ୩୦ ନଭେମ୍ବର ପର୍ଯ୍ୟନ୍ତ ବଲାଙ୍ଗିରଠାରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଯାଉଛି । ତେବେ ପ୍ରତିଯୋଗିତାରେ ଫୁଟବଲ୍ ପାଇଁ ୫୩୬, ଫେନସିଂ ପାଇଁ ୭୪ ଏବଂ ଥାଙ୍ଗ୍ ଟା ପାଇଁ ୩୭ ଜଣ ଏବଂ ୨୫୦ ଜଣ ବୈଷୟିକ ଅଧିକାରୀ ସମେତ ପ୍ରାୟ ୮୯୭ ଜଣ ଅଂଶଗ୍ରହଣ କରିବେ। ଏହି ପ୍ରତିଯୋଗିତା ବିଭିନ୍ନ ଖେଳ ପଡ଼ିଆରେ ଅନୁଷ୍ଠିତ ହେବ l
ଫୁଟବଲ ପାଇଁ ଗାନ୍ଧୀ ଷ୍ଟାଡିୟମ, ଆର.ଏନ. ସିଂହଦେଓ ସ୍ପୋର୍ଟ୍ସ କମ୍ପ୍ଲେକ୍ସ, ପୃଥିରାଜ ଉଚ୍ଚ ବିଦ୍ୟାଳୟ ଖେଳପଡ଼ିଆ, ଟାଉନ୍ ସରକାରୀ ହାଇସ୍କୁଲ ଖେଳପଡ଼ିଆ, ମିଶନ ଖେଳପଡ଼ିଆ, ସଦାଇପାଲି ସାଇଟ୍ ଖେଳପଡ଼ିଆ, ଖୁଜେନପାଲି ଖେଳପଡ଼ିଆଠାରେ ପ୍ରତିଯୋଗିତା ଗୁଡ଼ିକ ଅନୁଷ୍ଠିତ ହେବ । ସେହିପରି ଫେନସିଂ ଏବଂ ଥାଙ୍ଗ୍ ଟା ପାଇଁ ଟାଉନ୍ ବାଳିକା ଉଚ୍ଚ ବିଦ୍ୟାଳୟରେ ଆୟୋଜନ ହେବ । ଆସନ୍ତାକାଲି ଅପରାହ୍ନ 3ଟାରେ ବଲାଙ୍ଗିରର ଗାନ୍ଧୀ ଷ୍ଟାଡିୟମରେ ଉଦଘାଟନୀ ସମାରୋହ ଅନୁଷ୍ଠିତ ହେବ l ୨୯ ତାରିଖ ଅପରାହ୍ନ ୫ ଟାରେ ବଲାଙ୍ଗିରର ଟାଉନ୍ ବାଳିକା ଉଚ୍ଚ ବିଦ୍ୟାଳୟରେ ଫେନସିଂ ଏବଂ ଥାଙ୍ଗ୍ ଟା ପାଇଁ ସମାପନ ଉତ୍ସବ ଏବଂ ୩୦ ଅପରାହ୍ନ ୧୨.୩୦ ଟାରେ ବଲାଙ୍ଗିରର ଗାନ୍ଧୀ ଷ୍ଟାଡିୟମରେ ଫୁଟବଲ୍ ପାଇଁ ସମାପନ ଉତ୍ସବ ଅନୁଷ୍ଠିତ ହେବ।
ଅତିରିକ୍ତ ଜିଲ୍ଲାପାଳ ଡ଼ଃ ବିଜୟାନନ୍ଦ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ ନାଗ, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ପ୍ରଦୀପ ପାତ୍ର, ପୌର ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ସନ୍ତୋଷ ବେହେରା, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସେବାଶ୍ରୀ ଭୋଇ ତଥା ସମସ୍ତ ଜିଲ୍ଲାସ୍ତରୀୟ ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ l
