ଏନ୍ଏନ୍ ବ୍ୟୁରୋ I ବଲାଙ୍ଗିର ଜିଲ୍ଲାରେ ହ୍ରାସ ପାଉଛି ଫାଇଲେରିଆ ରୋଗୀ ସଂଖ୍ୟା I ଗତ 2022 ରେ ଫାଇଲେରିଆ ରୋଗୀ 293 ଥିବା ବେଳେ 2024 ମସିହାରେ କମି କମି ସଂଖ୍ୟା 51କୁ ଖସିଛି I ଏବଂ ଚଳିତ ବର୍ଷ ଏହା ନିର୍ମୂଳ ହୋଇଯିବ ବୋଲି ସୂଚନା ଦେଇଛନ୍ତି ସିଡିଏମଓ ରମେଶ ଚନ୍ଦ୍ର ସାହୁ I ଏଥିପାଇଁ ବଲାଙ୍ଗିର ଜିଲ୍ଲାରେ ଆସନ୍ତା 10 ତାରିଖରୁ 19 ଯାଏ ଫାଇଲେରିଆ ନିରାକରଣ ଅଭିଯାନ ଚାଲିବ I ଜିଲ୍ଲାର ୧୧ଟି ବ୍ଲକ ଓ ୫ଟି ସହରାଞ୍ଚଳରେ ଫାଇଲେରିଆ ନିରାକରଣ ଅଭିଯାନ ମାଧ୍ୟମରେ ସାମୁହିକ ଔଷଧ ସେବନ କାର୍ଯକ୍ରମ କରାଯିବ ।
ଚଳିତ ବର୍ଷ ଜିଲ୍ଲାର ୧୩ ଲକ୍ଷ ୪୯ ହଜାର ୪୧ ଜଣଙ୍କୁ ଫାଇଲେରିଆ ନିରାକରଣ ଅଭିଯାନ ମାଧ୍ୟମରେ ଔଷଧ ପ୍ରଦାନ କରାଯିବ I ଏଥିପାଇଁ ୪୧୮୩ ଜଣ ଔଷଧ ପ୍ରଦାନକାରୀ, ୨୦୮୭ ସ୍ୱାସ୍ଥ୍ୟକର୍ମୀ, ୪୧୦ ଜଣ ସୁପରଭାଇଜର ଏବଂ ୭୬ ଜଣ ମୋବାଇଲ ଦଳଙ୍କୁ ନିୟୋଜିତ କରାଯାଇଛି। ଔଷଧ ପ୍ରଦାନକାରୀ ଓ ସ୍ୱାସ୍ଥ୍ୟକର୍ମୀମାନେ ଘରକୁ ଘର ଯାଇ ନିଜ ତତ୍ଵାବଧାନରେ ନିଜ ସମ୍ମୁଖରେ ଔଷଧ ଖୁଆଇବେ। ଗର୍ଭବତୀ ମହିଳା, ୨ ବର୍ଷରୁ କମ ବଯସର ଶିଶୁ ଓ ଗୁରୁତର ରୋଗୀଙ୍କୁ ଏହି ବଟିକା ଦିଆଯିବ ନାହିଁ । ଡି॰ ଇ॰ ସି ବଟିକା, ଅଲବେନଡଜୋଲ ଓ ଇଭରମେକଟିନ ବଟିକା ନିୟୋଜିତ ଔଷଧ ପ୍ରଦାନକାରୀ ଓ ସ୍ୱାସ୍ଥ୍ୟକର୍ମୀମାନେ ଘରକୁ ଘର ଯାଇ ପରିବାରର ସଦସ୍ୟ ସଦସ୍ୟାମାନଙ୍କୁ ବୟସ ଅନୁସାରେ ଏହି ବଟିକା ଖୁଆଇବେ। ଔଷଧ ସେବନ ଦ୍ଵାରା ଶରୀର ଭିତରେ ଥିବା ମାଇକ୍ରୋ ଫାଇଲେରିଆ ପରଭୋଜୀ ସମ୍ପୂର୍ଣ ଭାବେ ମରିଯାଆନ୍ତି ଏବଂ ବଡ ପାରାସାଇଟମାନେ ନିସ୍ତେଜ ହୋଇଯାଆନ୍ତି ତଥା ଲୋକମାନେ ଭବିଷ୍ୟତରେ ଫାଇଲେରିଆ ରୋଗରୁ ସମ୍ପୂର୍ଣ ଆରୋଗ୍ୟ ଲାଭ କରନ୍ତି I
ତେବେ ଏହି ଔଷଧ ସମ୍ପୂର୍ଣ ନିରାପଦ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର କୁବେର ଚନ୍ଦ୍ର ମହନ୍ତ । ଫାଇଲେରିଆ ନିରାକରଣ ଅଭିଯାନ ପାଇଁ ଜିଲ୍ଲାରେ ଔଷଧ ପ୍ରଦାନକାରୀ ଓ ସ୍ୱାସ୍ଥ୍ୟକର୍ମୀ ମାନଙ୍କୁ ତାଲିମ ପ୍ରଦାନ, ରାତ୍ରିକାଳୀନ ରକ୍ତ ନମୁନା ସର୍ଭେ, ବ୍ଲକସ୍ତରୀୟ ସମନ୍ଵୟ ବୈଠକ ଏବଂ ମାଇକ୍ରୋପ୍ଲାନ ସମ୍ପୂର୍ଣ ହୋଇଯାଇଛି ବୋଲି ସେ ସୂଚନା ଦେଇଥିଲେ। ସଚେତନତା ପାଇଁ ଲିଫଳେଟ ବଣ୍ଟନ ଓ ବିଦ୍ୟାଳୟ ଗୁଡିକରେ ସଚେତନତା କାର୍ଯକ୍ରମ କରାଯାଇଛି I ସାମ୍ବାଦିକ ସମ୍ମିଳନୀରେ ଭେକ୍ଟର ବାହିତ ରୋଗ ନିୟନ୍ତ୍ରଣ କାର୍ଯକ୍ରମର ଜିଲ୍ଲା ସଂଯୋଜକ ସୁରେଶ ସ୍ଵାଇଁଙ୍କ ସମେତ ପ୍ରିଣ୍ଟ ଏବଂ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ I
