ଏନ୍ଏନ୍ ବ୍ୟୁରୋ I ରୋଗୀ ଚିକିତ୍ସା ନେଇ ପୁଣି ବିବାଦରେ ସ୍ଵରାଜ ହସ୍ପିଟାଲ I ରୋଗୀ ମୃତ୍ୟୁ ନେଇ ହସ୍ପିଟାଲ ମାଲିକ ସୁଜ୍ଞାନୀ ମିଶ୍ରଙ୍କ ବିରୋଧରେ ସଙ୍ଗିନ ଅଭିଯୋଗ ଆସିଛି I ଚିକିତ୍ସାରେ ଅବହେଳା ଯୋଗୁ ରୋଗୀ ମୃତ୍ୟୁ ହୋଇଥିବା ପରିବାର ସମ୍ପର୍କୀୟ ଅଭିଯୋଗ ଆଣିଛନ୍ତି I ମୃତ ରୋଗୀ ଜଣକ ହେଲେ ପାଟଣାଗଡ଼ର ଶ୍ରଦ୍ଧାଞ୍ଜଳି ମହାନନ୍ଦ I ସିଏସ୍ ପରେ ବିଭିନ୍ନ ବାହାନା ଦେଖାଇ ମେଡିକାଲ ପକ୍ଷରୁ ତାଙ୍କର ବହୁ ଟେଷ୍ଟ କରାଯାଇଛି I ବେପରୁଆ ମନୋଭାବ ରଖି 2 ଲକ୍ଷ 40 ହଜାର ଟଙ୍କାର ବିଲ ଦେଇଥିଲେ ହସ୍ପିଟାଲ କର୍ତ୍ତୃପକ୍ଷ I ଏପରିକି ସମୟ ସମୟରେ ଟଙ୍କା ନ ଦେଲେ ରୋଗୀର ମେଡ଼ିସିନ୍ ବନ୍ଦ କରି ଦେବାକୁ ଧମକ ମଧ୍ଯ ଦିଆ ଯାଉଥିଲା I ହେଲେ ଚିକିତ୍ସାରେ ପରିବାର ଲୋକେ ସନ୍ତୋଷ ନଥିବା ବେଳେ ରୋଗୀଙ୍କୁ ଡିସଚାର୍ଜ ପାଇଁ ଅନୁରୋଧ କରିଥିଲେ l କିନ୍ତୁ ମେଡିକାଲ କର୍ତ୍ତୃପକ୍ଷ ରୋଗୀଙ୍କୁ ଡିସଚାର୍ଜ କରି ନ ଥିଲେ I ଏବଂ ଯେତେବେଳେ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଗଲା ସେତେବେଳେ ରୋଗୀଙ୍କୁ ଡିସଚାର୍ଜ କରାଯାଇଥିଲା I ଯଦ୍ୱାରା ମେଡିକାଲ କର୍ତ୍ତୁପକ୍ଷଙ୍କ ଅବହେଳା ଯୋଗୁ ରୋଗୀର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି I
ଅଭିଯୋଗ ଅନୁସାରେ ଗତ 12 ତାରିଖ ରାତିରେ ପ୍ରସବ ଯନ୍ତ୍ରଣା ହେବାରୁ ଶ୍ରଦ୍ଧାଞ୍ଜଳି ମହାନନ୍ଦଙ୍କୁ ସ୍ଵରାଜ ମେଡିକାଲରେ ଭର୍ତ୍ତି କରିଥିଲେ ପରିବାର ଲୋକ I ସ୍ୱାସ୍ଥ୍ୟ ପରୀକ୍ଷା ପରେ ରାତିରେ ଡାକ୍ତର ସୁଜ୍ଞାନୀ ମିଶ୍ର
ସିଏସ୍ କରିବା ପରେ ସେ ଚେତାଶୁନ୍ୟ ହୋଇଥିବା ପରିବାର ଲୋକ କହିଛନ୍ତି I ତା ଆରଦିନ 13 ତାରିଖରେ ତାଙ୍କର ଚେତା ଫେରିଥିଲା I ହେଲେ ସେ ସମୟରେ ମେଡିକାଲ ଷ୍ଟାଫ୍ ଦଳିଆ ଖାଇବାକୁ ଦେଇଥିଲେ l ଏହାପରେ ପ୍ରସୂତିର ଦେହ ବିଗିଡିବା ସହ ରୋଗୀ ଗୁରୁତର ଥିବା କହି ବିଭିନ୍ନ ପରୀକ୍ଷା କରାଯାଇ 2 ଲକ୍ଷ 40 ହଜାର ଟଙ୍କା ବିଲ ଦେଇଥିଲେ ହସ୍ପିଟାଲ କର୍ତ୍ତୃପକ୍ଷ I ଏପରିକି ଦୀର୍ଘ 5 ଦିନ ଧରି ପ୍ରସୂତିଙ୍କୁ ମେଡିକାଲରେ ରଖିବା ପରେ 17 ତାରିଖ ସକାଳେ ଜୋରଜବରଦସ୍ତ ଡିସଚାର୍ଜ କରିଦେଲେ I କିନ୍ତୁ ଯେତେବେଳେ ପରିବାର ଲୋକେ ଡିସଚାର୍ଜ କରିବା ପାଇଁ କହୁଥିଲେ ସେତେବେଳେ ମେଡିକାଲ କିଛି ଶୁଣିନଥିଲେ I ଫଳରେ ନିରୁପାୟ ହୋଇ ତାଙ୍କୁ ବରଗଡ଼ର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ I ହେଲେ ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ I
ଏହାପରେ ପରିବାର ଲୋକେ ମୃତଦେହ ଧରି ବଲାଙ୍ଗିର ସଦର ଥାନାକୁ ଆସିଥିଲେ I ଏବଂ ଚିକିତ୍ସାରେ ଅବହେଳା ଯୋଗୁ ରୋଗୀର ମୃତ୍ୟୁ ହୋଇଥିବା ଅଭିଯୋଗ କରି ସ୍ଵରାଜ ମେଡିକାଲ ବିରୋଧରେ ଏତଲା ଦେଇଥିଲେ l ସଦର ପୋଲିସ କେସ ନମ୍ବର 256 ଓ ଦଫା 304 (ଏ)ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି ପୋଲିସ I ସେପଟେ କିନ୍ତୁ ଅଭିଯୋଗକୁ ଖଣ୍ଡନ କରିଛନ୍ତି ହସ୍ପିଟାଲ ମାଲିକ ସୁଜ୍ଞାନୀ ମିଶ୍ର I ଏଠି ପ୍ରଶ୍ନ ଉଠୁଛି, ସ୍ଵରାଜ ମେଡିକାଲରେ ବାରମ୍ବାର ଏଭଳି ଘଟଣା ଘଟିବା ପରେ ବି କାହିଁକି କାର୍ଯ୍ୟାନୁଷ୍ଠାନ ନିଆଯାଉନି ! ଚିକିତ୍ସାରେ ଅବହେଳା ସହ ରୋଗୀଙ୍କ ଠାରୁ ଟଙ୍କା ଲୁଟ ଅଭିଯୋଗ ହୋଇ ଆସୁଥିଲେ ବି ବିଭାଗୀୟ ଅଧିକାରୀ ଓ ମନ୍ତ୍ରୀ ନୀରବ କାହିଁକି? ଏପରିକି ବିଏସକେୱାଇ ଦୁର୍ନୀତି ଯୋଗୁ ସ୍ଵରାଜ ମେଡିକାଲକୁ ବିଏସକେୱାଇ ସେବାରୁ ବାଦ ଦିଆଯାଇଛି I ଏତେ ବିବାଦରେ ଛନ୍ଦି ହୋଇଥିଲେ ସୁଦ୍ଧା ସ୍ଵରାଜ ମେଡିକାଲ କର୍ତ୍ତୃପକ୍ଷଙ୍କ ବିରୋଧରେ କଡ଼ା ପଦକ୍ଷେପ ନିଆଯାଉ ନି କାହିଁକି? ଦେଖାଯାଉ ନୂଆ ସରକାରର ନୂଆ ସ୍ୱାସ୍ଥ୍ୟ ମନ୍ତ୍ରୀ ଏ ଦିଗରେ କଡା ଆଭିମୁଖ୍ୟ ଗ୍ରହଣ କରୁଛନ୍ତି ନା ଆହୁରି ଅନୁକମ୍ପା ପ୍ରଦର୍ଶନ କରୁଛନ୍ତି ତାହା ଆଗାମୀ ଦିନରେ ସ୍ପଷ୍ଟ ହୋଇଯିବ I
