ଏନ୍ଏନ୍ ବ୍ୟୁରୋ I ତୁଷୁରାରେ ସଚିବଙ୍କୁ ବିରୋଧ କରିବ ଯୁବ କଂଗ୍ରେସ I ରବିବାର ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନଙ୍କ ବଲାଙ୍ଗିର ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ ରହିଛି I ହେଲେ ତୁଷୁରା ପାଣ୍ଡିଆନଙ୍କ ଗସ୍ତ କାର୍ଯ୍ୟକ୍ରମକୁ ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀର ଯୁବ କଂଗ୍ରେସ ପକ୍ଷରୁ ବିରୋଧ କରାଯିବ I ଏନେଇ ଯୁବ କଂଗ୍ରେସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦିଆଯାଇଛି I ଯୁବ କଂଗ୍ରେସର ଦାବି, ତୁଷୁରା ଏନଏସି ଓ ଗୁଡଭେଳା ଅଂଚଳର ଜନସାଧାରଣଙ୍କ ଦାବି ପୂରଣ ନିଷ୍ପତ୍ତି କରି ଗସ୍ତ କରନ୍ତୁ I ନଚେତ ଗସ୍ତଙ୍କୁ ବିରୋଧ କରାଯିବ ବୋଲି ଟିଟିଲାଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀର ଯୁବ କଂଗ୍ରେସ ସଭାପତି ଜ୍ଞାନରଞ୍ଜନ ସରାଫ ଓ ଓଡିଶା ୟୁଥ କଂଗ୍ରେସର ସାଧାରଣ ସମ୍ପାଦକ ସୁବ୍ରତ ବେହେରା ଚେତାବନୀ ଦେଇଛନ୍ତି I
ପ୍ରମୁଖ ଦାବି ମଧ୍ୟରେ ଦୀର୍ଘ ୧୦୧ ବର୍ଷର ତୁଷୁରା ହସ୍ପିଟାଲକୁ ଅପଗ୍ରେଡେସନ କରି ବିଶେଷଜ୍ଞ ଡାକ୍ତର ସାଙ୍ଗକୁ ପାରାମେଡିକାଲ ଷ୍ଟାଫ ପ୍ରଦାନ ରହିଛି। ତାସହ ତୁଷୁରାରେ ସରକାରୀ ମହିଳା କଲେଜ, ବିଜ୍ଞାନ ଓ ବାଣିଜ୍ୟ କଲେଜ ସ୍ଥାପନ, ତୁଷୁରା ସମଲେଶ୍ୱରୀ ମନ୍ଦିରର ଭିତ୍ତିଭୂମି ଓ ଆନୁସଙ୍ଗିକ ବିକାଶ ପାଇଁ ୧୦୦ କୋଟି ଟଙ୍କା ଅନୁଦାନ, ଗୁଡଭେଳା ବ୍ଲକରେ ଥିବା ମନ୍ଦିର ଓ ମଠଗୁଡିକୁ ଅନୁଦାନ ଦିଆଯିବାକୁ ଯୁବ କଂଗ୍ରେସ ପକ୍ଷରୁ କୁହାଯାଇଛି I ହେଲେ ଏ ଅଞ୍ଚଳରେ ଦାଦନ ସମସ୍ୟା ଦିନକୁଦିନ ବଢିବାରେ ଲାଗିଛି I ଗୁଡଭେଳା ବ୍ଲକ ଅଂଚଳରୁ ବାହାର ରାଜ୍ୟକୁ ଦାଦନ ଯାଇ ଅନେକ ଶ୍ରମିକଙ୍କ ଜୀବନ ହାନି ଘଟୁଛି I କିନ୍ତୁ ଦାଦନ ରୋକିବାକୁ ସରକାର ସମ୍ପୂର୍ଣ ବିଫଳ ବୋଲି କହିଛି ଯୁବ କଂଗ୍ରେସ I
ଗୁଡଭେଳା ବ୍ଲକ କଂଗ୍ରେସ ସଭାପତି ମହୁ ନାଗ ତେଲନଦୀରେ ବ୍ୟାରେଜ ନିର୍ମାଣ ପାଇଁ ଦାବି କରିଥିବା ବେଳେ ଜିଲ୍ଲା କଂଗ୍ରେସ ଓବିସି ସେଲର ସଭାପତି ବିଜୟ ସାହୁ କହିଛନ୍ତି ଯେ ଜଣେ ସଚିବଙ୍କ ଗସ୍ତ କାର୍ଯ୍ୟକ୍ରମ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି ବୋଲି ଅଭିଯୋଗ କରିଛନ୍ତି l ଅନ୍ୟପଟେ ୫ଟି ସଚିବଙ୍କ ଗସ୍ତକୁ ଦୃଷ୍ଟିରେ ରଖି ହାଉସିଂ ବୋର୍ଡ ଅଧ୍ୟକ୍ଷ କଲିକେଶ ନାରାୟଣ ସିଂଦେଓ ଜରାସିଂହା ସଭାସ୍ଥଳ ତଦାରଖ କରିଛିନ୍ତି I ମିଟିଂ ଯେମିତି ସଫଳ ହେବ ସେଥିପାଇଁ ନେତା କର୍ମୀ ସମସ୍ତେ କାର୍ଯ୍ୟରେ ବ୍ୟସ୍ତ I ଏପରିକି ବିଜେଡି ନେତା ଲକ୍ଷଣ ମେହେର ଗାଁ ଗାଁ ଯାଇ ବୈଠକ କରୁଥିବା ଜଣାପଡ଼ିଛି I
