ଏନ୍ଏନ୍ ବ୍ୟୁରୋ I ବଲାଙ୍ଗିରରେ ଥମୁନି ଗଞ୍ଜେଇ ଚୋରା ଚାଲାଣ I ବିପୁଳ ପରିମାଣର ଗଞ୍ଜେଇ ସହ ଟ୍ରକ୍ ଜବତ ଓ ଜଣକୁ ଗିରଫ କରିଛି ପୋଲିସ I ବିଶ୍ୱସ୍ତସୂତ୍ରରୁ ଏକ ଟ୍ରକ ଯୋଗେ ବିପୁଳ ପରିମାଣର ଗଞ୍ଜେଇ ବାହାର ରାଜ୍ୟକୁ ଚାଲାଣ ହେଉଥିବା ନେଇ ଟାଉନ୍ ଥାନା ପୋଲିସ ଖବର ପାଇଥିଲା। ଏସପିଙ୍କ ନିର୍ଦ୍ଦେଶ ଅନୁସାରେ ଟାଉନ ଥାନା ଅଧିକାରୀ, ଏସଆଇ କେ.କେ ଜାନୀ ଓ ସାଇବର ସେଲ ମିଶି ସମ୍ପୃକ୍ତ ଟ୍ରକକୁ ବଲାଙ୍ଗିର ସମ୍ବଲପୁର ରୋଡ ଯୁବୋଦୟ ନିକଟରୁ ଧରିଥିଲେ। ହେଲେ ଟ୍ରକ ଯାଞ୍ଚ କରିବା ପରେ ସେଥିରେ ବିପୁଳ ପରିମାଣର ଗଞ୍ଜେଇ ଥିବା ଜଣା ପଡିଥିଲା। ସମ୍ପୃକ୍ତ ଟ୍ରକକୁ ଜବତ କରାଯିବା ସହ ଟ୍ରକ ଡ୍ରାଇଭରକୁ ଗିରଫ କରାଯାଇଛି। ଏବଂ ଟ୍ରକରୁ 9 କୁଇଣ୍ଟାଲ 20 କେଜି ଗଞ୍ଜେଇ ଜବତ କରାଯାଇଛି। ତେବେ ଟ୍ରକଟି ପଶ୍ଚିମବଙ୍ଗର ହୋଇଥିବା ବେଳେ କଣ୍ଟାମାଲ ଅଞ୍ଚଳରୁ ଗଞ୍ଜେଇ ରାୟପୁର ଚାଲାଣ ହେଉଥିଲା। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ 46 ଲକ୍ଷ ଟଙ୍କା ହେବ I ଏହା ବ୍ୟତୀତ ଟ୍ରକ ସହ ଏକ ବୋଲେରୋ ଗାଡ଼ିରେ ଆହୁରି ଚାରି ଜଣ ଯାଉଥିବା ବେଳେ ସେମାନଙ୍କୁ ମଧ୍ଯ ଅଟକ ରଖି ତଦନ୍ତ ଚାଲିଥିବା ପୋଲିସ କହିଛି I
ସୂଚନାଯୋଗ୍ୟ ଯେ, ଗତ ମାସ ମଧ୍ଯ ବଲାଙ୍ଗିର ପେଲେସ ଲାଇନ୍ ନିକଟ ଏକ ଭଡା ଘରୁ 92 କେଜି ଗଞ୍ଜେଇ ଜବତ କରାଯିବା ସହ 3 ଜଣକୁ ଗିରଫ କରିଥିଲା ପୋଲିସ I ମାସକ ମଧ୍ୟରେ 10 କୁଇଣ୍ଟାଲ ରୁ ଅଧିକ ଗଞ୍ଜେଇ ଜବତ ହୋଇ ସାରିଲାଣି I ଅନେକ ଅଭିଯୁକ୍ତ ବି ଗିରଫ କରାଯାଇଛି I କିନ୍ତୁ ଗଞ୍ଜେଇ ଚୋରା ଚାଲାଣ ରୋକି ପାରୁନି ପୋଲିସ I ଗଞ୍ଜେଇ ମାଫିଆ ସକ୍ରିୟ ହୋଇ ପୋଲିସକୁ ନାକେଦମ୍ କରି ପକାଉଛନ୍ତି I ଦେଖାଯାଉ ଆଗାମୀ ଦିନରେ ଗଞ୍ଜେଇ ଚୋରା ଚାଲାଣ ଦିଗରେ ପୋଲିସ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି I
