ମର୍ମନ୍ତୁଦ … ଅକାଳରେ ଚାଲିଗଲା ୫ ଅମୂଲ୍ୟ ଜୀବନ

ଓଡ଼ିଶାବଡ଼ ଖବରସ୍ପେଶାଲ

ଏନ୍ଏନ୍ ବ୍ୟୁରୋ। ବିବାହ ଭୋଜି ହେଲା କାଳ। ଭୋଜି ଖାଇ ଘରକୁ ଫେରୁଥିବା ବେଳେ ଘଟିଲା ଦୁର୍ଘଟଣା। ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଟ୍ରକ୍ ପଛ ପଟେ ପିଟି ହେଲା କାର। ଘଟଣାସ୍ଥଳରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଥିଲେ। ମୃତକ ମଧ୍ୟରେ ଦୁଇ ଶିଶୁ, ଦୁଇ ମହିଳା ଓ ଜଣେ ଯୁବକ ରହିଛନ୍ତି।
ଗାଡ଼ି ଏତେ ଜୋରରେ ପିଟି ଥିଲା ଯେ, କାରର ସାମ୍ନା ପଟ ପୁରା ଚୁରମାର ହୋଇ ଯାଇଛି। ଗତକାଲି ରାତିରେ ବଲାଙ୍ଗିର ସହର ନିକଟ ୨୬ ଜାତୀୟ ରାଜପଥର ଛୁଇବନ୍ଧ ନିକଟରେ ଘଟିଛି ଏଭଳି ଦୁଃଖଦ ଦୁର୍ଘଟଣା। ଘରକୁ ପହଞ୍ଚିବା ଆଗରୁ ଅନତି ଦୂରରେ ଛକି ରହିଥିବା ଯମ ୫ ଜଣଙ୍କ ଜୀବନ ନେଇଛି। ଏହି ଘଟଣା ପରେ ସହରରେ ଶୋକର ଛାୟା ଖେଳି ଯାଇଛି।

ସୂଚନା ଅନୁସାରେ, ବଲାଙ୍ଗିର ରାମଜୀ ପଡ଼ାର ଆୟୁର୍ବେଦ ଡାକ୍ତର ଜୟନ୍ତ ନାଏକଙ୍କ ପୁଅ ଅତ୍ମଜ ପରିବାର ଓ ସମ୍ପର୍କୀୟ ସହ ୭ ଜଣ ବିବାହ ଭୋଜି ପାଇଁ ଡୁଡୁକା ଯାଇଥିଲେ। ବିବାହ ଭୋଜି ଖାଇ ସାରି ରାତିରେ କାର୍ ଯୋଗେ ନିଜ ଘର ରାମଜିପଡାକୁ ଫେରୁଥିଲେ। ହେଲେ ଛୁଇଁବନ୍ଧ ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡରେ ଛିଡା ହୋଇଥିବା ଟ୍ରକକୁ ପଛ ପଟୁ କାର ଜୋରରେ ଧକ୍କା ଦେଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, କାର୍ ସମ୍ପୂର୍ଣ୍ଣ ଚୂରମାର୍ ହୋଇଯାଇଥିବା ବେଳେ ୭ ଜଣଙ୍କ ମଧ୍ୟରୁ ୫ ଜଣଙ୍କ ଜୀବନ ଚାଲି ଯାଇଛି। ଖବର ପାଇ ପୋଲିସ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ମୃତାହତଙ୍କୁ ଉଦ୍ଧାର କରି ଭୀମଭୋଇ ମେଡିକାଲ କଲେଜକୁ ନେଇଥିଲେ । ହେଲେ ସେଠାରେ ଡାକ୍ତର ୫ ଜଣଙ୍କୁ ମୃତ ଘୋଷଣା କରିଥିଲେ। ମୃତକମାନେ ହେଲେ ରାମଜିପଡାର ଜଣାଶୁଣା ଡାକ୍ତର ଜୟନ୍ତ ନାଏକଙ୍କ ୨୫ ବର୍ଷୀୟ ପୁଅ ଆତ୍ମଜ ନାଏକ, ସଦେଇପାଲିର ତାଙ୍କ ସମ୍ପର୍କୀୟ ଦୀପ୍ତି ସାଏ (୩୫), ଦୀପ୍ତିଙ୍କ ୬ ବର୍ଷର ପୁଅ ଅଞ୍ଜି ସାଏ, କନ୍ଧପାଲିପଡାର ଇପ୍ସିତା ସାଏ (୨୬) ଓ ତାଙ୍କର ୬ ବର୍ଷର ଝିଅ ରିୟା ସାଏ ରହିଛନ୍ତି । ଏବଂ ଗୁରୁତର ମାନେ ହେଲେ ଡାକ୍ତର ଜୟନ୍ତଙ୍କ ପତ୍ନୀ ଆରତୀ ନାଏକ ଓ ରଶ୍ମିତା ସାଏ । ଉଭୟଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ବୁର୍ଲା ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। ତେବେ ଗୁରୁତର ଆରତୀଙ୍କ ପୁଅ ଆତ୍ମଜ ହିଁ ଗାଡି ଚଳାଉଥିବା ଜଣା ପଡିଛି। ଖବର ପାଇ ଟାଉନ ପୋଲିସ ଅଧିକାରୀ ଓ ଏସଡ଼ିପିଓ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି।

ତେବେ କାହିଁକି ଓ କିଭଳି ସ୍ଥିତିରେ ଘଟିଲା ଏହି ସଡ଼କ ଦୁର୍ଘଟଣା। ରାତି ୧୨ ଟା ପୂର୍ବରୁ ସହର ମଧ୍ୟରେ ଟ୍ରକ୍ ଯିବା ପାଇଁ ବାରଣ କରାଯାଇଛି। ଯଦ୍ୱାରା ସହର ନିକଟ ରାସ୍ତା କଡ଼ରେ ଶହ ଶହ ଟ୍ରକ୍ ଅଟକି ରହିଛି। ଅନ୍ୟପଟେ ଦୁର୍ଘଟଣାର ମୁଖ୍ୟ କାରଣ ବାଇପାସ ବୋଲି କୁହା ଯାଉଛି। ବାଇପାସ ନିର୍ମାଣ ହୋଇ ପାରୁ ନଥିବାରୁ ଟ୍ରକ୍ ଯାଇ ନପାରି ରାସ୍ତା କଡ଼ରେ ଛିଡ଼ା ହେଉଛି। ତେବେ ରାତିରେ ପରିବାର ସହ କାରରେ ଘରକୁ ଫେରୁଥିବା ବେଳେ ଛୁଇବନ୍ଧ ନିକଟରେ ଦୁର୍ଘଟଣା ଘଟିଥିଲା। ସାମ୍ନା ପଟୁ ଆସୁଥିବା ଗାଡ଼ିର ଅତ୍ୟଧିକ ଲାଇଟ୍ ଯୋଗୁ ଭାରସାମ୍ୟ ହରାଇ ଟ୍ରକ୍ ପଛ ପଟେ କାର ପିଟି ହୋଇଛି। ଯଦ୍ୱାରା କି ଗୋଟିଏ ପରିବାରର ୫ ଜଣଙ୍କ ଅମୂଲ୍ୟ ଜୀବନ ଅକାଳରେ ଝଡି ଯାଇଛି।

Leave a Reply