ରାଜା ଘର ଗୁମର କଥା: ରାଜ ପରିବାର ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଲେ ଅଦ୍ରୀଜା !

ଓଡ଼ିଶାବଡ଼ ଖବରରାଜନୀତି

ଏନ୍ଏନ୍ ବ୍ୟୁରୋ I ପୁଣି ଚର୍ଚ୍ଚାରେ ବଲାଙ୍ଗିର ରାଜ ପରିବାର I ଏଥର ରାଜନୀତି ନୁହେଁ ବୋହୂ ନିର୍ଯାତନା ମାମଲା ନେଇ ଏବେ ଚର୍ଚ୍ଚାର ଜୋର ଧରିଛି I ଘର ଚାରି କାନ୍ଥ ଭିତରେ କୁହୁଳୁଥିବା କଳି ଏବେ ଦାଣ୍ଡରେ ପଡ଼ି ହାଟରେ ପଡୁଛି I ଦୀର୍ଘ ଦିନରୁ ବୈବାହିକ ଜୀବନରେ ବିବାଦ ଲାଗି ରହିଥିବା ଅଦ୍ରୀଜା ଅର୍କେଶ କଳି ମାମଲା ଏବେ ଥାନାରେ ପହଁଞ୍ଚିଛି l ଖୋଦ୍ ସାନ ବୋହୂ ବଲାଙ୍ଗିର ରାଜ ପରିବାର ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତିI ଶ୍ଵଶୁର ଘର ଲୋକେ ତାଙ୍କୁ ଅକଥନୀୟ ନିର୍ଯାତନା ଦେଉଥିବା ନେଇ ଅଭିଯୋଗ କରିଛିନ୍ତି ଅଦ୍ରୀଜା ସିଂହଦେଓ I ଅର୍କେଶ ନାରାୟଣ ସିଂହଦେଓଙ୍କ ପତ୍ନୀ ଅଦ୍ରୀଜା ସିଂହଦେଓ ଏବେ ଶ୍ବଶୁର ଘର ଲୋକଙ୍କ ନାଁରେ ନିର୍ଯାତନା ଅଭିଯୋଗ ଆଣିଛନ୍ତି I ଯାହା ଜାତୀୟ ଗଣମାଧ୍ୟମରେ ଜୋର୍ ଚର୍ଚ୍ଚା ହେଉଥିବା ବେଳେ ଓଡିଶା ମିଡିଆକୁ ମଧ୍ଯ ଖୋରାକ୍ ଯୋଗାଇଛି I

ସୂଚନା ଅନୁସାରେ, 2017 ମସିହା ନଭେମ୍ବର୍ ମାସରେ ଅର୍କେଶ ସିଂହଦେଓ ଅଦ୍ରୀଜାଙ୍କୁ ବିବାହ କରିଥିଲେ I ହେଲେ ବିବାହ ପର ଠାରୁ ତାଙ୍କୁ ଶ୍ବଶୁର ଘର ଲୋକେ ନିର୍ଯାତନା ଦେଇ ଆସୁଥିବା ଅଭିଯୋଗ ହୋଇଛି I ଏପରିକି ନିର୍ଯାତନା ଅସହ୍ୟ ହେବାରୁ ଶେଷରେ ପୋଲିସର ଦ୍ୱାରସ୍ଥ ହୋଇଛନ୍ତି ଅଦ୍ରୀଜା ସିଂହଦେଓ I ତେବେ ନିର୍ଯାତନା ନେଇ ପୋଲିସକୁ ଜଣାଇଥିଲେ ବି କିଛି ସୁଫଳ ମିଳୁନି I ଫଳରେ ଅଦ୍ରୀଜା ଉତ୍ତରାଖଣ୍ଡ ଡିଜିପି ଅଫିସର ଦ୍ୱାରସ୍ଥ ହୋଇଥିବା ଜଣାପଡିଛି I ତାଙ୍କୁ ସୁରକ୍ଷା ଦେବା ପାଇଁ ସେ ଡିଜିପିଙ୍କ ନିକଟରେ ଗୁହାରି କରିଛନ୍ତି I ଅଦ୍ରୀଜା ପୂର୍ବତନ ପ୍ରଧାନମନ୍ତ୍ରୀ ବିଶ୍ଵନାଥ ପ୍ରତାପ ସିଂହଙ୍କ ନାତୁଣୀ ହୋଇଥିବା ବେଳେ ଅର୍କେଶ ନାରାୟଣ ସିଂହଦେଓ ହେଉଛନ୍ତି ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବଲାଙ୍ଗିର ମହାରାଜା ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ନାତି I

ତେବେ ବୈବାହିକ ଜୀବନରେ ଜୁଆର ଉଠିବା ପରେ ଏବେ ଅଡୁଆରେ ଅର୍କେଶ ସିଂହଦେଓ I ବଲାଙ୍ଗିର ରାଜନୀତିରେ ସକ୍ରିୟ ରହିଥିବା ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓଙ୍କ ସାନ ପୁଅ ଅର୍କେଶ ସିଂହଦେଓ ଗତ କିଛି ମାସ ହେଲା ଦେଖା ଦର୍ଶନ ନାହିଁ I ପାରିବାରିକ ବିବାଦ ଯୋଗୁଁ ବଲାଙ୍ଗିରରୁ ଉଭାନ ହୋଇ ଯାଇଛନ୍ତି ଅର୍କେଶ I ହେଲେ ଏ ସମୟରେ ହଠାତ୍ ଅନଙ୍ଗଙ୍କ ମଝିଆ ପୁଅ ଆବିର୍ଭାବ ହୋଇ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ସାମିଲ ହେବା ନୂଆ ସଂକେତ ଦେଉଛି I ବଲାଙ୍ଗିର ବିଜେଡିର ସମୀକରଣ ବଦଳିବା ନେଇ ବି ଖୁବ୍ ଚର୍ଚ୍ଚା ହେଉଛି I କାରଣ ଅର୍କେଶ ପାରିବାରିକ ବିବାଦରେ ଛନ୍ଦି ହୋଇ ପଡିଥିବା ବେଳେ ମନ୍ମଥ ସକ୍ରିୟ ହେବାରେ ଲାଗିଛନ୍ତି I ଏପରିକି ଟିକେଟ ମିଳିଲେ ନିର୍ବାଚନ ଲଢିବେ ବୋଲି ବି କହିଛନ୍ତି ମନ୍ମଥ I ଅନ୍ୟପଟେ ପାରିବାରିକ ବିବାଦ ଯୋଗୁଁ ବଲାଙ୍ଗିର ରାଜନୀତିରୁ ଟିକେ ଦୁରେଇ ଯାଇଛନ୍ତି ଅର୍କେଶ I ହେଲେ ଏବେ ତାଙ୍କ ସ୍ତ୍ରୀ ଅଦ୍ରୀଜା ନିର୍ଯାତନା ଅଭିଯୋଗ ଆଣିବା ପରେ ପୁଣି ଚର୍ଚ୍ଚାରେ ବଲାଙ୍ଗିର ରାଜ ପରିବାର I ସେପଟେ ଏନେଇ ଅଦ୍ରୀଜା କିମ୍ବା ବଲାଙ୍ଗିର ରାଜ ପରିବାର ପକ୍ଷରୁ କାହାରି ପ୍ରତିକ୍ରିୟା ମିଳି ପାରି ନାହିଁ I