ପ୍ରେମ ରାସ୍ତାରେ କଣ୍ଟା ସାଜିବାରୁ… ଶାଶୁକୁ ମାରି ପୋଡ଼ି ଦେଲେ ବୋହୂ ଓ ପ୍ରେମିକ

ଅପରାଧଓଡ଼ିଶାବଡ଼ ଖବର

ଏନ୍ଏନ୍ ବ୍ୟୁରୋ। ବଲାଙ୍ଗିର ସଇଁତଳା ଜଙ୍ଗଲରୁ ମହିଳାଙ୍କ ଦରପୋଡା ଶବ ଉଦ୍ଧାର ଘଟଣାର ପର୍ଦ୍ଦାଫାଶ। ହତ୍ୟାକାରୀ ବୋହୁ ଓ ତା ପ୍ରେମିକକୁ ଗିରଫ କରିଛି ପୋଲିସ। ଅନୈତିକ ସମ୍ପର୍କରେ କଣ୍ଟା ସାଜିବାରୁ ମୃତ ମହିଳାଙ୍କ ନିଜ ବୋହୂ ଓ ତା ପ୍ରେମିକ ମିଶି ହତ୍ୟା କରିଥିଲେ। ପୋଲିସ ସୂଚନା ଅନୁସାରେ, ଗତ ୨୪ ତାରିଖରେ ସଇଁତଳା ବ୍ଲକ ଯୁବାମାଲ ଜଙ୍ଗଲରେ ଜଣେ ମହିଳାଙ୍କ ଦରପୋଡା ଶବ ଉଦ୍ଧାର ହୋଇଥିଲା। ପରେ ଉକ୍ତ ମହିଳା ଖିର୍ଲି ଗ୍ରାମର ରତିନୀ ରଣା ବୋଲି ଜଣା ପଡିଥିଲା। ସେ ଦୁଇ ଦିନ ତଳୁ ନିଖୋଜ ଥିବା ବେଳେ ଏହି ଜଙ୍ଗଲରୁ ତାଙ୍କ ଦରପୋଡା ଶବ ପୋଲିସ୍ ଉଦ୍ଧାର କରିଥିଲା। ତେବେ ପାରିପାର୍ଶ୍ବିକ ପରିସ୍ଥିତିରୁ ପୋଲିସ୍ ଏହାକୁ ଏକ ଯୋଜନା ବଦ୍ଧ ହତ୍ୟାକାଣ୍ଡ ଭାବରେ ତଦନ୍ତ ଆରମ୍ଭ କରିଥିଲା। ଏସପିଙ୍କ ନିର୍ଦ୍ଦେଶରେ ଟିଟିଲାଗଡ ଏସଡିପିଓଙ୍କ ତତ୍ତ୍ଵାବଧାନରେ ଏକ ପୋଲିସ୍ ଟିମ୍ ଏହାର ତଦନ୍ତ ଆରମ୍ଭ କରିଥିଲେ। ଏବଂ ଘଟଣାର ପର୍ଦ୍ଦାଫାଶ କରିବା ସହ ମୃତ ମହିଳାଙ୍କ ବୋହୂ ନିରୁପମା ରଣା ଓ ତାଙ୍କ ପ୍ରେମୀକ ଦୁଲେଶ୍ୱର୍ ରଣାଂକୁ ପୋଲିସ୍ ଗିରଫ କରିଛି।

ହେଲେ ଅଭିଯୁକ୍ତ ନିରୁପମା ରଣା ମୃତ ମହିଳାଙ୍କ ବୋହୂ ହୋଇଥିବା ବେଳେ ବିବାହର ଦୀର୍ଘ ବର୍ଷ ପରେ ମଧ୍ୟ ତାଙ୍କୁ ସନ୍ତାନ ହୋଇ ନ ଥିଲା। ଯେଉଁଥିପାଇଁ ସେ ତୁଷୁରା ସ୍ଥିତ ଜଣେ ପୂଜକ ସହିତ ସଂସ୍ପର୍ଶରେ ଆସିଥିବା ବେଳେ ପୂଜା କଲେ ସନ୍ତାନ ପ୍ରାପ୍ତି ହେବ ବୋଲି ତାଙ୍କୁ କୁହା ଯାଇଥିଲା। ଏଥିପାଇଁ ନିରୁପମା ରଣା ସନ୍ତାନ ପାଇଁ ତାଙ୍କ ପାଖକୁ ବାରମ୍ବାର ଯିବା ଆସିବା କରିଥିଲେ। ହେଲେ ପୂଜକଙ୍କ ପୁଅ ଦୁଲେଶ୍ୱର ରଣାଙ୍କ ସହିତ ତାଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଏହାପରେ ପ୍ରେମିକ ଦୁଲେଶ୍ଵର୍ ରଣା ମଧ୍ୟ ମହିଳାଙ୍କ ଘରକୁ ବାରମ୍ବାର ଯିବା ଆସିବା କରୁଥିଲେ। ସେପଟେ ମହିଳା ନିରୁପମାଙ୍କ ଶାଶୁ ରତିନି ରଣା ଏହି ଅନୈତିକ ସମ୍ପର୍କ ବାବଦରେ ଜାଣି ପାରି ତାକୁ ପ୍ରତିବାଦ କରିଥିଲେ। ଏବଂ ଏନେଇ ସେ ସମସ୍ତଙ୍କୁ କହିଦେବେ ବୋଲି କହିଥିଲେ। ଯାଫଳରେ ବୋହୂ ନିରୁପମା ରଣା ଓ ତାଙ୍କ ପ୍ରେମିକ ଦୁଲେଶ୍ଵର ରଣା ଶାଶୂଙ୍କୁ ପ୍ରେମ ରାସ୍ତାରୁ ହଟାଇବାକୁ ଯୋଜନା କରିଥିଲେ। ଏବଂ ଗତ ୨୪ ତାରିଖରେ ଶାଶୁ ତଥା ମୃତ ମହିଳା ରତିନି ରଣା କ୍ଷେତକୁ ଯାଇଥିବା ବେଳେ ଏ ଦୁଇ ଜଣ ମିଶି ତାଙ୍କୁ ହତ୍ୟା କରିଥିଲେ। ଏବଂ ପରେ ନିକଟ ଜଙ୍ଗଲରେ ତାଙ୍କ ଶବ ପୋଡ଼ିବାର ଉଦ୍ୟମ କରିଥିଲେ। ପରେ ମୃତ ମହିଳା ରତିଣୀ ରଣାଙ୍କ ଦର୍ ପୋଡ଼ା ଶବ ପୋଲିସ୍ ଉଦ୍ଧାର କରିଥିଲା। ଏ ଘଟଣା ନେଇ ଟିଟିଲାଗଡ ଏସଡିପିଓ ଅଙ୍କିତା କୁମ୍ଭାର ସବିଶେଷ ସୂଚନା ଦେଇଛନ୍ତି।

ଗତ ୨୪ ତାରିଖରେ ମହିଳାଙ୍କ ମୃତଦେହ ଉଦ୍ଧାର ହେବା ପରେ ପୋଲିସ୍ କେଶ୍ ନମ୍ବର18 /2023 ରେ 302 ଓ 201 ଦଫାରେ ମାମଲା ରୁଜୁ କରିଥିଲା। ଏବଂ ଏହା ଏକ ଯୋଜନାବଦ୍ଧ ହତ୍ୟା ହୋଇଥିବାର ଜାଣି ଏସପିଙ୍କ ନିର୍ଦ୍ଦେଶରେ ଏକ ସ୍ବତନ୍ତ୍ର ପୋଲିସ୍ ଟିମ୍ ତଦନ୍ତ କରିଥିଲେ। ହେଲେ ଏଥିରେ ମୃତ ମହିଳାଙ୍କ ବୋହୂ ନିରୁପମା ରଣା ଓ ତୁଷୁରାର ତାଙ୍କ ପ୍ରେମିକ ଦୁଲେଶ୍ବର ରଣାକୁ ପୋଲିସ୍ ଗିରଫ କରିଛି। ଏବଂ ପୂର୍ବ ମାମଲାଟି ପରିବର୍ତ୍ତନ ହୋଇ ସେଥିରେ 302, 201, 120ବି ଓ 31 ଆଇପିସିରେ ମାମଲା ପୁଣି ଦର୍ଜ ହୋଇଥିବାର ଏସଡିପିଓ କହିଛନ୍ତି। ହତ୍ୟା ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ଘଟଣାସ୍ଥଳକୁ ନେଇ ହତ୍ୟାକାଣ୍ଡର ସିନ ରିକ୍ରିଏସନ୍ କରାଇଛି ପୋଲିସ୍। ତେବେ ବହୁତ ଅନୈତିକ ପ୍ରେମ ସମ୍ପର୍କ ବିଷୟରେ ଜାଣି ପାରିବାରୁ ସେମାନେ ମହିଳାଙ୍କୁ ହତ୍ୟା କରିଥିବାର ଅଭିଯୁକ୍ତ ସ୍ବୀକାର କରିଛନ୍ତି। ଡାକ୍ତରୀ ମାଇନା ପରେ ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଏସଡିପିଓ ସୂଚନା ଦେଇଛନ୍ତି।