ଏନ୍ଏନ୍ ବ୍ୟୁରୋ। ସରପଞ୍ଚ ସାଜିଲେ ଠିକାଦାର। ମନମାନି କରି ଚଳାଇଛନ୍ତି କାମ। ବିନା ଫାଇଲ ଓ ଏଷ୍ଟିମେଟରେ ଲକ୍ଷାଧିକ ଟଙ୍କାର ମନମୁଖୀ କାର୍ଯ୍ୟକୁ ନେଇ ଅସନ୍ତୋଷ। ବଲାଙ୍ଗିର ଜିଲ୍ଲା ପୁଇଁତଲା ବ୍ଲକ ଖଲିଆପାଲି ପଞ୍ଚାୟତର ସରପଞ୍ଚ ପରକ୍ଷୀତ ଶତପଥୀ ମନମାନି ଚଳାଇଥିବା ଅଭିଯୋଗ କରିଛନ୍ତି ଖୋଦ୍ ୱାର୍ଡ ମେମ୍ବର। ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଉନ୍ନୟନ କାର୍ଯ୍ୟକୁ ନେଇ ପ୍ରଶ୍ନ ଉଠାଇଲେ ୱାର୍ଡ ମେମ୍ବର ମନ୍ଦାକିନୀ ଦରୱାନ। କାର୍ଯ୍ୟ ତାଙ୍କ ଅଜାଣତରେ ଚାଲିବା ସହ ଏଥିପାଇଁ କୌଣସି ପ୍ରସ୍ତାବ କି ଫାଇଲ ବି ନାହିଁ। ବିନା ଏଷ୍ଟିମେଟରେ ମନମୁଖୀ ଭାବେ କାର୍ଯ୍ୟ କରୁଥିବା କହିଛନ୍ତି ମନ୍ଦାକିନୀ। ପଂଚାୟତରେ ଫଣ୍ଡ ନଥାଇ କେମିତି କେମିତି କାମ କରାଗଲା ବୋଲି ପ୍ରଶ୍ନ କରିଛନ୍ତି। ଏଥିରୁ ଦୁର୍ନୀତିର ଗନ୍ଧ ବାରି ହୋଇ ପଡ଼ୁଛି। ଆଗତୁରା କାମ ସାରି ପରେ ଅଧିକ ଟଙ୍କାର ବିଲ ପାସ୍ କରାଇ ହଡ଼ପ ଯୋଜନା ପଦାରେ ପଡ଼ିଯାଇଛି।
ପଞ୍ଚାୟତ ପରିସରରେ ଅତି ନିମ୍ନମାନର କଂକ୍ରିଟ କାର୍ଯ୍ୟକୁ ବିରୋଧ କରିବା ସହ ବନ୍ଦ କରିଥିଲେ ଗ୍ରାମବାସୀ ଓ ୱାର୍ଡ ମେମ୍ବର। ଏନେଇ ମିଛାପାଲିର ଅଶୋକ କୁମାର ନାଏକ ମଧ୍ୟ ସମାନ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, ବିନା ଫାଇଲ, ଏଷ୍ଟିମେଟ ସହ ବିନା ଫଳକରେ କେମିତି କାର୍ଯ୍ୟ ଆରମ୍ଭ କରାଯାଉଛି। ଯେଉଁ କାମ କରାଯାଉଛି ତାହା ଅତି ନିମ୍ନମାନର। କଂକ୍ରିଟ କାର୍ଯ୍ୟରେ ମାଟି ସମତଳ ପାଇଁ ବାଲି ଫିଲିଂ କରିବା ନିୟମ ରହିଥିଲେ ବି ଡଷ୍ଟ ପକାଇ ହାଲକା କାମ କରାଯାଉଥିବା କହିଛନ୍ତି ଅଶୋକ। ସବୁଠୁ ଅଶ୍ଚର୍ଯ୍ୟର କଥା ବିନା ଏଷ୍ଟିମେଟ ଓ ଲେଆଉଟରେ କେମିତି କାମ କରାଗଲା ସେନେଇ ଅନେକ ପ୍ରଶ୍ନ ଉଙ୍କି ମାରୁଛି। ତେବେ ଏହି କଂକ୍ରିଟ କାର୍ଯ୍ୟ ଖୋଦ୍ ସରପଞ୍ଚ କରୁଥିବା କହିଛନ୍ତି ଅମରେଶ ପଣ୍ଡା। ଯେହେତୁ ସେ କାର୍ଯ୍ୟର ଦେଖରେଖ କରୁଛନ୍ତି ତେଣୁ କାର୍ଯ୍ୟ ଠିକ୍ ଚାଲିଥିବା କହିଛନ୍ତି। କିନ୍ତୁ ମାଟିରେ ଡଷ୍ଟ ପକାଯାଇଥିବା କଥାକୁ ମାନିବା ସହ ଏହି କାମ ସରପଞ୍ଚ କରୁଥିବା ସେ କହିଛନ୍ତି।
ସେପଟେ କଂକ୍ରିଟ କାର୍ଯ୍ୟ ନେଇ କୌଣସି ଖବର ନଥିବା କହିଛନ୍ତି ବିଡ଼ିଓ ଯୁଧିଷ୍ଠିର ନାଏକ। କିନ୍ତୁ କାମ ବନ୍ଦ ନେଇ ଅଭିଯୋଗ ଆସିଥିବା ସେ କହିଛନ୍ତି। ଏନେଇ ଜେଇଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଥିବା କହିଛନ୍ତି ବିଡ଼ିଓ। କିଭଳି ଓ କେଉଁ ପରିସ୍ଥିତିରେ କାର୍ଯ୍ୟ କରାଗଲା ସେନେଇ ତଦନ୍ତ କରାଯିବ। ଏବଂ ଜେଇଙ୍କ ତଦନ୍ତ ରିପୋର୍ଟ ଅନୁସାରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ବିଡ଼ିଓ କହିଛନ୍ତି। ଏଠି ପ୍ରଶ୍ନ ଉଠୁଛି, ପଞ୍ଚାୟତର ଉନ୍ନୟନମୂଳକ କାର୍ଯ୍ୟ ବାବଦରେ ବ୍ଲକ୍ ମୁଖିଆଙ୍କ ପାଖରେ କେମିତି ଖବର ନାହିଁ। ଏଥିରୁ ସ୍ପଷ୍ଟ ବାରି ହୋଇ ପଡ଼ୁଛି ଯେ ବ୍ଲକ୍ ଓ ପଞ୍ଚାୟତରେ କେଉଁ ରକମର ଦୁର୍ନୀତି ଚାଲିଛି। ସେପଟେ ସରପଞ୍ଚ ନିଜେ କାର୍ଯ୍ୟ କରୁଥିବା ସ୍ବୀକାର ବି କରିଛନ୍ତି। ନିୟମ ଅନୁଯାୟୀ, ଜଣେ ଲୋକ ପ୍ରତିନିଧି ସିଧାସଳଖ ଭାବରେ ଠିକା କାମ କରି ପାରିବେ ନାହିଁ। କିନ୍ତୁ ଖଲିଆପାଲି ସରପଞ୍ଚ ପରକ୍ଷିତ ଶତପଥୀ ଖୁଲମଖୁଲା ଲୋକଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ଦୂର୍ବଳିଆ କାର୍ଯ୍ୟ କରୁଛନ୍ତି। ନିଜର ମନମାନି ଚଳାଇ କାର୍ଯ୍ୟ କରୁଥିବା ବେଳେ ଏବେ ତାଙ୍କ ଅସଲ ମୁଖା ଖୋଲି ଦେଇଛନ୍ତି ସ୍ଥାନୀୟ ଲୋକ।
