ଗୋଷ୍ଠୀ ସଂଘର୍ଷରୁ ଉଗ୍ରରୂପ, ଧାରୁଆ ଅସ୍ତ୍ରରେ କାଟିଦେଲେ ତଣ୍ଟି

ଅପରାଧଓଡ଼ିଶାବଡ଼ ଖବର

ଏନ୍ଏନ୍ ନ୍ୟୁଜ୍। ସଇଁତଳାରେ ଗୋଷ୍ଠୀ ସଂଘର୍ଷ। ସଂଘର୍ଷ ଉଗ୍ରରୂପ ନେବା ସହ ଧାରୁଆ ଅସ୍ତ୍ରରେ କାଟି ଦେଲେ ତଣ୍ଟି। ଘଟଣାରେ ଉଭୟ ଗୋଷ୍ଠୀର ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ହେଲେ ଅବସ୍ଥା ଆହୁରି ଗୁରୁତର ହେବାରୁ ସେମାନଙ୍କୁ ଭୀମଭୋଇ ମେଡିକାଲକୁ ସ୍ଥାନନ୍ତର କରାଯାଇଛି। ଏଭଳି ଅଭାବନୀୟ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ଟିକ୍ରାପଡ଼ା ଫାଣ୍ଡିର ସାଇମରା ଗାଁରେ।

ଘଟଣା ଅନୁସାରେ, ସାଇମରା ଗାଁର ଅର୍ଜୁନ ଧରୁଆଙ୍କ ଘରକୁ ଖେର୍ସେଲବାଞ୍ଜି ଗାଁର ଯଶୋବନ୍ତ ଧାରୁଆ କୁନୁଆ ଆସିଥିଲେ। ଏ ସମୟରେ ଜୁରାବନ୍ଧର ପ୍ରଦୀପ ଧରୁଆ କେଉମାଲ ରାକେଶ ଭୋଇ ଓ ତାଙ୍କ କିଛି ସହଯୋଗୀ ଆସି ପ୍ରଥମେ ଅର୍ଜୁନ ଧାରୁଆଙ୍କ ଦୋକାନକୁ ଭଙ୍ଗାରୁଜା କରିଥିଲେ। ହେଲେ ଏହାକୁ ଯଶୋବନ୍ତ ବିରୋଧ କରିବାରୁ ରାକେଶ ଭୋଇଙ୍କ ସହ କଥା କଟାକଟି ହୋଇଥିଲା। ପରେ ଏହା ସଂଘର୍ଷର ରୂପ ନେଇ ଉଭୟେ ଧାରୁଆ ଅସ୍ତ୍ରରେ ଆକ୍ରମଣ ପ୍ରତିଆକ୍ରମଣ କରିଥିଲେ। ସଂଘର୍ଷରେ ଯଶୋବନ୍ତର ତଣ୍ଟି କଟି ଯିବାରୁ ତାଙ୍କୁ ଗୁରୁତର ଅବସ୍ଥାରେ ବଲାଙ୍ଗିର ଭୀମଭୋଇ ମେଡିକାଲ ରେ ଭର୍ତ୍ତି କରାଯାଇଥିବା ଜଣା ପଡିଛି।

ଅନ୍ୟପଟେ ଆକ୍ରମଣ କରିଥିବା ରାକେଶକୁ ଏକ ଖୁଣ୍ଟରେ ବାନ୍ଧି ଗ୍ରାମବାସୀ ନିର୍ଦ୍ଧୁମ ମାଡ଼ ମାରିଥିଲେ। ଖବର ପାଇ ଟିକ୍ରାପଡ଼ା ଫାଣ୍ଡି ଅଧିକାରୀ ଗୋପାଳଚନ୍ଦ୍ର ମିଶ୍ର ଘଟଣାସ୍ଥଳକୁ ପହଞ୍ଚି ରକ୍ତାକ୍ତ ଅବସ୍ଥାରେ ରାକେଶ ଭୋଇକୁ ଉଦ୍ଧାର କରିଥିଲେ। ପ୍ରଥମେ ସଇଁତଳା ଡାକ୍ତର ଖାନରେ ଭର୍ତ୍ତି କରିଥିଲେ। ହେଲେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ମଧ୍ୟ ବଲାଙ୍ଗିର ଭୀମଭୋଇ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ପୋଲିସ ଏନେଇ ଅଧିକ ତଦନ୍ତ ଜାରି ରହିଛି।