ଏନ୍ଏନ୍ ବ୍ୟୁରୋ। ପାର୍ବଣ ଆରମ୍ଭରୁ ଗଡ଼ିଲା ମୁଣ୍ଡ। ୧୫ ଦିନ ମଧ୍ୟରେ ଦୁଇ ଜଣଙ୍କୁ ହତ୍ୟା କରାଯାଇଛି। ବଲାଙ୍ଗିର ସହରରେ ଅପରାଧ ବଢ଼ି ଚାଲିଥିବା ବେଳେ ଆଜି ପୁଣି ପୌରପାଳିକାର ଜଣେ ମହିଳା କର୍ମଚାରୀଙ୍କୁ ହତ୍ୟା କରା ଯାଇଥିବାର ଅଭିଯୋଗ ହୋଇଛି। ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କ ମୃତଦେହ ବିଜାଖମନ ଗାଁ ପାଖରୁ ଉଦ୍ଧାର ହୋଇଛି। ପୌରପାଳିକାରେ ଡ୍ରାଇଭର ଭାବରେ କାମ କରୁଥିଲେ ଅଷ୍ଟମୀ ବକୁଳ।
ସୂଚନା ଅନୁସାରେ, ଗତକାଲି ବିଜାଖମନ ସ୍ଥିତ ମଇଳା ଆବର୍ଜନା ମେନେଜମେନ୍ତକୁ ଗାଡ଼ି ଛାଡ଼ିବାକୁ ଯାଇ ନିଖୋଜ ଥିଲେ। ହେଲେ ଆଜି ସକାଳୁ ତାଙ୍କର ରକ୍ତ ଜୁଡୁବୁଡୁ ମୃତଦେହ ଆବର୍ଜନା ପରିଚାଳନା କେନ୍ଦ୍ରର କିଛି ଦୂରରେ ଏକ ବୁଦା ମଧ୍ୟରେ ପଡିଥିବା ଲୋକେ ଦେଖିଥିଲେ। ଏନେଇ ବଲାଙ୍ଗିର ଟାଉନ ପୋଲିସକୁ ଖବର ଦେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ବିଗତ କିଛି ଦିନ ମଧ୍ୟରେ ସହରରେ ଏଭଳି ହତ୍ୟା ଲୁଟ ଆକ୍ରମଣ ଘଟଣା ବଢ଼ି ଥିବା ବେଳେ ଅପରାଧ ନିୟନ୍ତ୍ରଣ ପୋଲିସ ପାଇଁ ମୁଣ୍ଡ ବ୍ୟଥା ସାଜିଛି।
