ବଲାଙ୍ଗିର ପ୍ରତି ବୈମାତୃକ ମନୋଭାବ ନେଇ ରାଜ୍ୟ ସରକାର ଉପରେ ବର୍ଷିଲେ ନରସିଂହ ମିଶ୍ର

ଓଡ଼ିଶାବଡ଼ ଖବରରାଜନୀତି

ଏନ୍ଏନ୍ ବ୍ୟୁରୋ। ରାଜ୍ୟ ସରକାର ଉପରେ ବର୍ଷିଲେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର। ଜିଲ୍ଲା ପ୍ରତି ରାଜ୍ୟ ସରକାର ବୈମାତୃକ ମନୋଭାବ ପୋଷଣ କରୁଥିବା ଅଭିଯୋଗ ଆଣିଛନ୍ତି ବିଧାୟକ ନରସିଂହ। ବଲାଙ୍ଗିରକୁ ଶିକ୍ଷା ସ୍ବାସ୍ଥ୍ୟ ଓ ଅନ୍ୟାନ୍ୟ ବିକାଶମୂଳକ କାମରେ ଅଣଦେଖା କରା ଯାଇଥିବା ସେ ଅଭିଯୋଗ ଆଣିଛନ୍ତି। ସର୍କିଟ ହାଉସରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି। ସେ ବଲାଙ୍ଗିର ଜନତାଙ୍କ ପ୍ରତିନିଧି ହୋଇଥିବା ବେଳେ ତାଙ୍କୁ କୌଣସି ସରକାରୀ କାର୍ଯ୍ୟରେ ସାମିଲ କରା ଯାଉ ନାହିଁ କିମ୍ବା ଖବର ଦିଆ ଯାଉ ନ ଥିବା ଅଭିଯୋଗ ଆଣିଛନ୍ତି।

ଜିଲ୍ଲା ପ୍ରଶାସନ ବେଆଇନ ଭାବରେ ତାଙ୍କୁ ଅଣଦେଖା କରି ଉନ୍ନତିମୂଳକ କାମ କରୁଥିବା ସେ ଅଭିଯୋଗ ଆଣିଛନ୍ତି। ସେହିପରି ରାଜ୍ୟ ସରକାର ଓଡ଼ିଶାର ଉପକୂଳ ଅଞ୍ଚଳ ପାଇଁ ଯେତେ ଦରଦ ଦେଖାଉଛନ୍ତି ସେତେ ବଲାଙ୍ଗିର ପ୍ରତି ଅବହେଳା କରୁଥିବାର ସେ କହିଛନ୍ତି। ଲୋକେ ଏଥିପାଇଁ ସ୍ଵାଭାବିକ ଭାବରେ ଅଲଗା ହେବା ପାଇଁ ଆନ୍ଦୋଳନ କରୁଥିବା ସେ କହିଛନ୍ତି। ତେବେ ରାଜ୍ୟ ସରକାର ବଲାଙ୍ଗିର ଜଳସେଚନ ପାଇଁ ଆଜି ଯାଏ କୌଣସି ଠୋସ କାମ କରି ନ ଥିବା କହିଛନ୍ତି। ଯେଉଁଥିରେ ଲୋୟର ସୁକତେଲ ପ୍ରକଳ୍ପ କଥା ଉଠାଇ ସେ ଏହି କାମ ଆହୁରି ବିଳମ୍ବ ହେବ ବୋଲି କହିଛନ୍ତି। ତେବେ ଏହା ପାଇଁ ମଞ୍ଜୁର ଅର୍ଥରର ମାତ୍ର ତିନି ଭାଗରୁ ଏକ ଭାଗ ଖର୍ଚ୍ଚ ହୋଇଥିବା ବେଳେ କାମ ଆଗକୁ କେମିତି ସରିବ ବୋଲି ସେ ପ୍ରଶ୍ନ କରିଛନ୍ତି।

ଏଥିସହ ବଲାଙ୍ଗିରର ଶିକ୍ଷା ବ୍ୟବସ୍ଥା ଭୁଶୁଡ଼ି ପଡ଼ିଥିବା ବେଳେ ବଲାଙ୍ଗିର ମହିଳା ମହାବିଦ୍ୟାଳୟରେ ଯୁକ୍ତ ଦୁଇ ବିଜ୍ଞାନ ଖୋଲି ଥିଲେ ମଧ୍ୟ ଅଧ୍ୟାପକ ଅଭାବରୁ ପାଠପଢା ହୋଇ ପାରୁ ନ ଥିବାର ସେ କହିଛନ୍ତି। ସମାନ ଭାବରେ ବଲାଙ୍ଗିର ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ମଧ୍ୟ ଅଧ୍ୟାପକ ଅଭାବ ଓ ଭିତ୍ତିଭୂମି ଅଭାବକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛନ୍ତି। ଏହା ଛଡା ଏଠି ସ୍ବାସ୍ଥ୍ୟ ବ୍ୟବସ୍ଥା ଉପରେ ମଧ୍ୟ ସରକାରଙ୍କ ଚରମ ଅବହେଳା ଥିବାର ଦର୍ଶାଇଛନ୍ତି। ଯେଉଁଥିରେ ଗ୍ରାମାଞ୍ଚଳରେ ଡ଼ାକ୍ତର ଅଭାବ ମୁଖ୍ୟ ବୋଲି ସେ କହିଛନ୍ତି। ସମାନ ଭାବରେ ବଲାଙ୍ଗିର ଭୀମଭୋଇ ମେଡିକାଲ୍ କଲେଜରେ ଅଭିଜ୍ଞ ଡ଼ାକ୍ତର ନଥିବାରୁ ଏହା କେବଳ ରେଫରାଲ ସେଣ୍ଟର୍ ଭାବରେ କାର୍ଯ୍ୟ କରୁଥିବାର ସେ କହିଛନ୍ତି।

ଜିଲ୍ଲାର ଅନେକ ସ୍ଥାନରେ ମରୁଡି ସ୍ଥିତି ଥିବା ବେଳେ ସରକାର ଚୁପ୍ ବସିବାକୁ ନିନ୍ଦା କରିଛନ୍ତି। ଏହାଛଡା ଏଠିକାର ଚାଷୀ ଫସଲ ବୀମା ମଧ୍ୟ ଏଯାଏଁ ପାଇ ନ ଥିବା ସେ କହିଛନ୍ତି। ଏତତ ବ୍ୟତୀତ ବଲାଙ୍ଗିର ସହର ସୌନ୍ଦର୍ଯ୍ଯକରଣ ପାଇଁ ସେ ଅନେକ ପ୍ରସ୍ତାବ ଦେବା ସହ ତା ପାଇଁ ଟଙ୍କା ସରକାରଙ୍କଠୁଁ ଆଣି ଥିବା ବେଳେ ସେହି ପ୍ରକଳ୍ପ ଏଯାଏଁ କାମ ଆରମ୍ଭ ହୋଇ ନ ଥିବାର କହିଛନ୍ତି। ଯେଉଁଥିରେ ମହାରାଣୀ ସାଗର, ଲକ୍ଷ୍ମୀଯୋରର ବିକାଶ, ନୂଆ ମିନି ସେକ୍ରେଟରିୟେଟ ତିଆରି ଭଳି ଅନେକ ପ୍ରକଳ୍ପ ଏବେବି ଆରମ୍ଭ ହୋଇ ନ ଥିବାର ସେ ଅଭିଯୋଗ ଆଣିଛନ୍ତି I ଏବଂ ସରକାରଙ୍କ ଏହି ଉଦାସୀନତାକୁ ନେଇ ଆଗକୁ ଏଠି ଆନ୍ଦୋଳନ ନୁହେଁ ବିପ୍ଳବ ହେବ ବୋଲି ସେ ସରକାରଙ୍କୁ ଚେତାବନୀ ଦେଇଛନ୍ତି।