ପାଣିର ପରିଣାମ: ଗରମ ତେଲ ଫୋପାଡ଼ି ଆକ୍ରମଣ, ଦମ୍ପତି ଗୁରୁତର

ଅପରାଧଓଡ଼ିଶାବଡ଼ ଖବର

ଏନ୍ଏନ୍ ବ୍ୟୁରୋ। ପାଣି ସଂଯୋଗକୁ ନେଇ କଳହ ଓ ପରେ ଗରମ ତେଲ ଫୋପାଡି ଆକ୍ରମଣ। ଏଥିରେ ଦମ୍ପତ୍ତି ପୋଡ଼ି ଗୁରୁତର ହୋଇଛନ୍ତି। ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ଅନ୍ତର୍ଗତ ଝରଣିପାଲି ଗାଁରେ ଘଟିଛି ଏଭଳି ଘଟଣା। ଅଭିଯୋଗ ଅନୁସାରେ, ଗାଁର ସୁଶିଲ ପୋଢ଼ର ପରିବାର ସହ ପଡୋଶୀ କବିର ପୋଢ ପରିବାର ସହ ପାଣି ସଂଯୋଗକୁ ନେଇ କଳହ ଲାଗି ରହିଥିଲା। ଗାଁରେ ନୂତନ ଭାବେ ନିର୍ମିତ ପାଣି ଟାଙ୍କିରୁ ପାଇପ ଯୋଗେ ଘର ଘର ପାଣି ଯୋଗାଣ ଚାଲିଥିବା ବେଳେ କବିର ପୋଡ ନିଜ ଘର ସାମନାରୁ ପାଣି ନେବାକୁ ମନା କରିଥିଲା।

ଏହାକୁ କେନ୍ଦ୍ର କରି ଉଭୟ ପରିବାର ମଧ୍ୟରେ କଳହ ହୋଇଥିବା ବେଳେ କବିର ପୋଡ଼ କଢ଼େଇରେ ଗରମ ତେଲ ଆଣି ସୁଶିଲ ପୋଢ଼ ଓ ତାଙ୍କ ସ୍ତ୍ରୀଙ୍କ ଉପରକୁ ଫୋପାଡି ଦେଇଥିଲା। ଫଳରେ ସ୍ବାମୀସ୍ତ୍ରୀ ଗୁରୁତର ଭାବରେ ପୋଡ଼ି ଯାଇଥିଲେ। ଗ୍ରାମବାସୀ ଦମ୍ପତ୍ତିଙ୍କୁ ଉଦ୍ଧାର କରି ବଲାଙ୍ଗିର ଭୀମଭୋଇ ମେଡିକାଲରେ ଭର୍ତ୍ତି କରିଛନ୍ତି। ଅନ୍ୟପଟେ ଏନେଇ ଲୋଇସିଂହା ଥାନାରେ ଲିଖିତ ଅଭିଯୋଗ କରା ଯାଇଥିଲେ ହେଁ ପୋଲିସ୍ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉ ନ ଥିବା ଅଭିଯୋଗ କରିଛନ୍ତି ପୀଡ଼ିତ ସୁଶିଲ ପୋଡ଼। ଏଠି ପ୍ରଶ୍ନ ଉଠୁଛି ପୋଲିସ କାହା ଚାପରେ ଦୋଷୀ ବିରୋଧରେ ପଦକ୍ଷେପ ନନେଇ ଚାପି ହୋଇ ଯାଇଛି।