ମୃତକ ନାଁରେ ଟଙ୍କା ଚଳୁ, ଅଭିଯୋଗକାରୀଙ୍କୁ ୫୦ ହଜାର ଯାଚିଲେ ସରପଂଚ !

ଓଡ଼ିଶାବଡ଼ ଖବରସ୍ପେଶାଲ

ଏନ୍ଏନ୍ ବ୍ୟୁରୋ। ଆବାସ କେଳେଙ୍କେରୀ। ମୃତକଙ୍କୁ ବି ଛାଡ଼ିଲେନି। ଭୂତ ନାଁରେ ଖାଇଗଲେ ଟଙ୍କା। ଏଭଳି ସାଙ୍ଘାତିକ ଅଭିଯୋଗ ଆସିଛି ବଲାଙ୍ଗିର ଜିଲ୍ଲା ପୁଇନ୍ତଳା ବ୍ଲକ୍ ବିଲାଇସର୍ଡ଼ା ଗାଁରୁ। ଗାଁର ଭଗବାନ ବାଗ ଗତ ୨୦୧୯ ମସିହାରୁ ମୃତ୍ୟୁବରଣ କଲେଣି। ହେଲେ ତାଙ୍କରି ନାଁରେ ଆବାସ ଘର ଦେଖାଇ ଟଙ୍କା ହଡ଼ପ କରି ନେଇଛନ୍ତି ପଞ୍ଚାୟତ କର୍ମଚାରୀ।

ଅନ୍ୟପଟେ ଘଟଣାକୁ ଚପାଇ ଦେବାକୁ ଉଦ୍ୟମ ଚାଲିଛି। ଏପରିକି ରଫାଦଫା ପାଇଁ ବର୍ତ୍ତମାନର ସରପଞ୍ଚ ୫୦ ହଜାର ଯାଚିଥିବା ଅଭିଯୋଗ ଆଣିଛନ୍ତି ମୃତ ଭଗବାନଙ୍କ ପୁଅ ସତ୍ୟବାନ ବାଗ। ସରପଞ୍ଚ ସୁଶାନ୍ତ ଛତ୍ରିଆ ତାଙ୍କ ଘରକୁ ଆସି ତାଙ୍କୁ ଟଙ୍କା ଯାଚିଥିବା କହିଛନ୍ତି ସତ୍ୟ। ମୋତେ କହିଥିଲେ ୫୦-୬୦ ହଜାର କରାଇ ଦେଇଥାନ୍ତି, ତମେ ତ ବଡ଼ ବଡ଼ ଲୋକଙ୍କୁ ଧରି ଘଟଣା ପ୍ରଘଟ କଲ ବୋଲି ସରପଞ୍ଚ କହିଥିବା ସେ ଗଣମାଧ୍ୟମକୁ କହିଛନ୍ତି। ଏଠି ପ୍ରଶ୍ନ ଉଠୁଛି ସେତେବେଳେ ସୁଶାନ୍ତ ଛତ୍ରିଆ ସରପଞ୍ଚ ନଥିଲେ। ହେଲେ କାହିଁକି ଅଭିଯୋଗକାରୀଙ୍କ ଘରକୁ ଯାଇ ୫୦ ହଜାର ଟଙ୍କା କରାଇବା କଥା କହିଲେ ତାହା ପଞ୍ଚାୟତବାସୀ ଗ୍ରହଣ କରି ପାରୁ ନାହାଁନ୍ତି।

ଅବଶ୍ୟ ପରେ ଅର୍ଥାତ୍ ଗତ ପଞ୍ଚାୟତ ନିର୍ବାଚନରେ ୪୪ ଲକ୍ଷ ଟଙ୍କାରେ ବିକ୍ରି ହୋଇ ସରପଞ୍ଚ ଆସନ ଅକ୍ତିଆର କରିଛନ୍ତି ସୁଶାନ୍ତ ଛତ୍ରିଆ। ସରପଞ୍ଚ ନିର୍ବାଚନ ହୋଇଥିଲେ ବି ନିଲାମ ଯୋଗୁଁ ଏକପାଖିଆ ଜନମତ ତାଙ୍କ ସପକ୍ଷରେ ଯାଇଥିଲା। ନିଲାମ ଚର୍ଚ୍ଚା ଥମି ନଥିବା ବେଳେ ଏବେ ଅଭିଯୋଗକାରୀଙ୍କୁ ଟଙ୍କା ଯାଚି ପୁଣି ହରଡ଼ଘଣାରେ ପଡିଛନ୍ତି ସରପଞ୍ଚ ସୁଶାନ୍ତ।

ଅଭିଯୋଗ ଅନୁସାରେ, ୨୦୧୯ ମଇ ୨୯ ତାରିଖରେ ବିଲାଇସର୍ଡାର ଭଗବାନ ବାଗଙ୍କ ମୃତ୍ୟୁ ଘଟି ସରିଛି। ହେଲେ ଆଶ୍ଚର୍ଯ୍ୟର କଥା ମୃତ୍ୟୁର ୪ ମାସ ପରେ ତାଙ୍କ ନାଁରେ ଆବାସ ଘର ପାଇଁ ପ୍ରଥମ କିସ୍ତି ୨୦ ହଜାର ଟଙ୍କା କେହି ଉଠାଇ ନେଇଛନ୍ତି। ଏହାପରେ ପୁରା ଚାରି କିସ୍ତିରେ ୧ ଲକ୍ଷ ୩୦ ହଜାର ଟଙ୍କା ଉଠାଇ ନେଇଛନ୍ତି ଦୁର୍ନୀତିଖୋର୍ କର୍ମଚାରୀ। ତାହା ପୁଣି ଅନ୍ୟ ଜଣଙ୍କ ବ୍ୟାଙ୍କ ଆକାଉଣ୍ଟରୁ । ଏନେଇ ତାଙ୍କ ପୁଅ ସତ୍ୟବାନ ବାଗ ଜାଣିବା ପରେ ଅବାଗ ହୋଇ ଯାଇଥିଲେ। ଏବଂ ଏହାର ସତ୍ୟତା ଜାଣିବା ପାଇଁ ପଞ୍ଚାୟତ ଠାରୁ ବ୍ଲକ୍ ଯାଏ ଯାଇଥିଲେ ବି କିଛି ସୁଫଳ ମିଳି ନାହିଁ। ଏପରିକି ତାଙ୍କ ଫାଇଲ ବ୍ଲକ୍ କାର୍ଯ୍ୟାଳୟରେ ମଧ୍ୟ ନଥିବା କହିଛନ୍ତି ପୂର୍ବତନ ବିପିସି ସୀତାକାନ୍ତ ପୋଢ଼। ତେବେ ବିପିସିଙ୍କ ଦାୟିତ୍ଵହୀନତା ଯୋଗୁଁ ଫାଇଲ ଏବେ ଉଭାନ ହୋଇ ଯାଇଛି।

ଅନ୍ୟପଟେ ଆବାସ ଘୋଟାଲା ପଦାକୁ ଆସିବା ପରେ ସରପଞ୍ଚ ସୁଶାନ୍ତ ଛତ୍ରିଆ ଅଭିଯୋଗକାରୀଙ୍କ ଘରକୁ ଯାଇଥିଲେ। ଏବଂ ସରପଞ୍ଚ ତାଙ୍କୁ ୫୦ ହଜାର ଟଙ୍କା ଯାଚି ଥିବା କହିଛନ୍ତି ସତ୍ୟବାନ ବାଗ । ହେଲେ ସେ ଟଙ୍କା ଲୋଭରେ ନ ପଡ଼ି ଘଟଣାର ପର୍ଦ୍ଦାଫାଶ କରିବା ପାଇଁ ଦାବି କରିଛନ୍ତି। ଏବଂ ତାଙ୍କ ବାପାଙ୍କ ନାଁରେ ଟଙ୍କା ଉଠାଇଥିବା ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ସତ୍ୟବାନ।

ସେପଟେ 2019 ଠାରୁ ଜିଲ୍ଲା ପାଇଁ ଏହି ଯୋଜନାରେ କୌଣସି ଘର କିମ୍ବା ଟଙ୍କା ଆଉ ଆସୁ ନାହିଁ। ହେଲେ ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସୁଶାନ୍ତ ସିଂ କହିଛନ୍ତି, ଘର ସଠିକ୍ ଲୋକଙ୍କୁ ଦିଆ ଯାଉଛି। ହେଲେ ମୃତ ବ୍ୟକ୍ତିଙ୍କ ନାମରେ ଆବାସ ଟଙ୍କା ଉଠାଇବା କଥାକୁ ଗୁରୁତର ସହ ନେଇଛନ୍ତି। ଏବଂ ଏନେଇ ଆଗକୁ ତଦନ୍ତ ହେବା ସହ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନଷ୍ଠାନ ନିଆଯିବ ବୋଲି କହିଛନ୍ତି ପ୍ରକଳ୍ପ ନିର୍ଦ୍ଦେଶକ ସୁଶାନ୍ତ ସିଂ। ଅନ୍ୟପଟେ ହିତାଧିକାରୀଙ୍କୁ ଟଙ୍କା ଯାଚିବା ଘଟଣା ନେଇ ପ୍ରତିକ୍ରିୟା ଦେବାକୁ ମନା କରି ଦେଇଛନ୍ତି ସରପଞ୍ଚ ସୁଶାନ୍ତ ଛତ୍ରିଆ।

ଏଠି ପ୍ରଶ୍ନ ଉଠୁଛି ଯଦି ଜିଲ୍ଲାରେ ସଠିକ ଲୋକଙ୍କୁ ଆବାସ ଘର ଦିଆଯାଉଛି ତାହେଲେ ମୃତ ବ୍ୟକ୍ତିଙ୍କ ନାଁରେ ଆବାସ ଟଙ୍କା ଉଠିଲା କେମିତି? ହାତ ଗୁଞ୍ଜା ନ ଦେଲେ ଆବାସ ଘର ମିଳୁନଥିବା ବେଳେ ହିତାଧିକାରୀଙ୍କୁ ବୋନସ କି ଲେବର ପେମେଣ୍ଟ ମଧ୍ୟ ଦିଆ ଯାଉନି। ଏପରିକି ଆବାସ ଦୁର୍ନୀତି ଘଟଣା ନେଇ ପ୍ରଘଟ କଲେ ହିତାଧିକାରୀଙ୍କୁ ଟଙ୍କା ଯଚା ଯାଉଛି। ଏଭଳି ସ୍ଥିତିରେ ଜିଲ୍ଲାରେ କିଭଳି ଭାବରେ ଆବାସ ଯୋଜନା ଚାଲିଥିବ ତାହା ଏଥିରୁ ସ୍ପଷ୍ଟ ବାରି ହୋଇ ପଡୁଛି।