ଏନ୍ଏନ୍ ବ୍ୟୁରୋ। ବିଜେଡ଼ି ନେତାଙ୍କ ଦାଦାଗିରି। ଜଣେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ। ଲାତ ଗୋଇଠା ସହ ଅଶ୍ଳୀଳ ଗାଳି ଗୁଲଜ କରୁଛନ୍ତି ଖୋଦ୍ ବେଳପଡ଼ା ବ୍ଲକ୍ ଉପାଧ୍ୟକ୍ଷ ତଥା ବିଜେଡ଼ି ନେତା ଦୁର୍ଯ୍ୟୋଧନ କୁମ୍ଭାର। ଏତେ ଅଭଦ୍ର ଭାଷାରେ ଗାଳିଗୁଲଜ କରୁଛନ୍ତି ଯେ, ମିଡିଆରେ ପ୍ରସାରଣ କରିବା ସମ୍ଭବ ନୁହେଁ। ସାମାନ୍ୟ ଲାଇଟ୍ ଲିଭାକୁ କେନ୍ଦ୍ର କରି ଉପାଧ୍ୟକ୍ଷ ଦୁର୍ଯ୍ୟୋଧନ ଉତ୍ତେଜିତ ହୋଇ ଜଣେ ଯୁବକଙ୍କୁ ନିସ୍ତୁକ ମାଡ଼ ମାରୁଛନ୍ତି। ଯାହାର ଭିଡିଓ ଏବେ ଭାଇରାଳ ହେବାରେ ଲାଗିଛି।
ନୀଳ ରଙ୍ଗର ସାର୍ଟ ପିନ୍ଧି ଯୁବକଙ୍କୁ ନିସ୍ତୁକ ମାଡ଼ ମାରୁ ଥିବା ବ୍ୟକ୍ତି ଜଣକ ହେଲେ ବଲାଙ୍ଗିର ଜିଲ୍ଲା ବେଳପଡା ବ୍ଲକ୍ ଉପାଧ୍ୟକ୍ଷ ଦୁର୍ଯ୍ୟୋଧନ କୁମ୍ଭାର। ରାତ୍ରୀ ସମୟରେ ପଡ଼ାର ଲାଇଟ୍ ଲିଭି ଯାଇଥିଲା। ଏତିକି ବେଳେ ଦୁର୍ଯୋଧନ କୁମ୍ଭାର ସେଠାରେ ପହଞ୍ଚି ଲାଇଟ୍ କିଏ ଲିଭାଇଲା ବୋଲି ଉତ୍ତେଜିତ ହେବା ସହ ଜଣେ ଯୁବକଙ୍କୁ ନିସ୍ତୁକ ପିଟାମରା କରିଥିଲେ। ଏତିକିରେ ତାଙ୍କ ମନ ଶାନ୍ତ ହୋଇ ନଥିଲା। ତାଙ୍କୁ ଟାଣି ବିଧା ଗୋଇଠା ମାରିଥିବା ଭିଡିଓ ଭାଇରାଲ ହେଉଛି।
ସେପଟେ ନେତା ଓ କର୍ମୀଙ୍କୁ ଉତ୍ତମ ଆଚରଣ ପ୍ରଦର୍ଶନ ନେଇ ମୁଖ୍ୟମନ୍ତ୍ରୀ ପାଠ ପଢ଼ାଉଥିବା ବେଳେ ବାସ୍ତବରେ ତାର ଉଲଟା ଘଟୁଛି। ଯାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ବେଳପଡାରେ। ଏଠିକାର ଖୋଦ୍ ବ୍ଲକ ଉପାଧ୍ୟକ୍ଷ ଦୁର୍ଯ୍ୟୋଧନ କୁମ୍ଭାର ଦାଦାଗିରି କରିବା ସହ ମାଡ଼ ମାରୁଛନ୍ତି। ଗତ ପଞ୍ଚାୟତ ନିର୍ବାଚନରେ ତାଙ୍କ ପରିବାରର ଅଧିକ ଲୋକ ସମିତି ସଭ୍ୟ ପଦରେ ଜିଣି ଚର୍ଚ୍ଚାର ବିଷୟ ହୋଇଥିଲା। ଏବଂ ଏବେ ଦୁର୍ଯ୍ୟୋଧନ କୁମ୍ଭାରଙ୍କ ଏଭଳି ଦବଙ୍ଗଗିରିକୁ ଲୋକେ ନାପସନ୍ଦ କରିଛନ୍ତି। ବ୍ଲକର ବିକାଶ ଓ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଜନପ୍ରତିନିଧିଙ୍କୁ ବାଛିଛନ୍ତି ସାଧାରଣ ଜନତା। ହେଲେ ସେହି ଜନ ପ୍ରତିନିଧି ସାମାନ୍ୟ କଥାକୁ ନେଇ ଯୁବକଙ୍କୁ ମାଡ଼ ମାରିବା କେତେ ଯୁକ୍ତିଯୁକ୍ତ।
ଦୁର୍ଯ୍ୟୋଧନ ସ୍ଥାନୀୟ ବିଧାୟକଙ୍କ ଅତି ଘନିଷ୍ଠ ହୋଇଥିବା ବେଳେ ଏଥର ପରିବାର ହାତରେ ପୁରା ବ୍ଲକ୍ ଦାୟିତ୍ଵ ରହିଛି। ପାୱାର ମୋହରେ ଅନ୍ଧ ଦୁର୍ଯ୍ୟୋଧନଙ୍କ ଅହଂ ଏବେ କାହିଁରେ କେତେ ବଢ଼ି ଯାଇଛି। ବେଳପଡା ବ୍ଲକରେ ବିଧାୟକଙ୍କ ସମସ୍ତ କାର୍ଯ୍ୟ ବୁଝିଥିବା ଦୁର୍ଯ୍ୟୋଧନଙ୍କ ଅସଲ ଚେହେରା ଏବେ ପଦାରେ ପଡିଛି। ସେପଟେ ମାଡ଼ମରା ଘଟଣାକୁ ସ୍ବୀକାର କରିବା ସହ ଏହା ପଞ୍ଚାୟତ ସମୟର ପୁରୁଣା ଭିଡିଓ ବୋଲି କହିଛନ୍ତି। ତେବେ ଭିଡିଓ ଯେତେବେଳର ହେଉନା କାହିଁକି ସର୍ବସମ୍ମୁଖରେ ଜଣେ ଯୁବକଙ୍କୁ ନିସ୍ତୁକ ମାଡ ମାରିବା ସହ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ନେତାଙ୍କ କିଭଳି ଆଚରଣ ଓ ଉଚ୍ଚାରଣ ତାହା ଏଥିରୁ ସ୍ପଷ୍ଟ ବାରି ହୋଇ ପଡୁଛି।
