୫ ଜାଲି କମ୍ପାନୀରେ ୨୫ କୋଟି ଠକେଇ

ବଡ଼ ଖବରସ୍ପେଶାଲ

ଏନ୍ଏନ୍ ବ୍ୟୁରୋ। ବଲାଙ୍ଗିର ଜିଲ୍ଲାରେ କୋଟି କୋଟି ଟଙ୍କାର ଜିଏସଟି ଠକେଇ ମାମଲାର ଗୁମର ଫିଟୁଛି। ଘଟଣାର ମାଷ୍ଟର ମାଇଣ୍ଡ ଗାୟତ୍ରୀ ଜୟସ୍ବାଲ୍ ଓ ତାଙ୍କ ପୁଅ ବିରେନ୍ଦ୍ର କୁମାର ଜୟସ୍ୱାଲକୁ ଗିରଫ ପରେ ଆଉ ଜଣକୁ ଗିରଫ କରିଛି ବଲାଙ୍ଗିର ଆଦର୍ଶ ଟାଉନ୍ ଥାନା ପୋଲିସ। ଗିରଫ ବ୍ୟକ୍ତି ଜଣକ ହେଲେ ଗାଏସିଲଟର ଅଶୋକ କଲେତ୍। ଥାନାରେ ତିନି ଦିନ ଧରି ମାରାଥନ ଜେରା ପରେ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଠକେଇ ମାମଲା ନେଇ ପୋଲିସକୁ ଅନେକ ତଥ୍ୟ ଦେବା ସହ ବହୁ ସତ ଉଗାଳିଛି। ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ପୋଲିସ ହାତରେ ଲାଗିଛି। ଏଥିରେ ଆହୁରି ଅନେକ ଛନ୍ଦି ହେବାର ଆଶଙ୍କା କରାଯାଉଛି।

ଜିଏସଟି ଓ ପୋଲିସ ଅଧିକାରୀଙ୍କ ମିଳିତ ଖୋଳତାଡ଼ ପରେ କୋଟି କୋଟି ଟଙ୍କାର ଠକେଇ ହୋଇଥିବା ଜଣା ପଡ଼ିଛି। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ୫ ଫେକ୍ କମ୍ପାନୀ ନାଁରେ ୨୫ କୋଟିରୁ ଅଧିକ ଟଙ୍କା ଠକେଇ ହୋଇଥିବା ଜଣା ପଡ଼ିଛି। ଏଥିରେ ରାଜ୍ୟ ଓ ରାଜ୍ୟ ବାହାରର ଲିଙ୍କ ଥିବାରୁ ଏହି ପରିମାଣ ୫୦ କୋଟି ଟପିଯିବା ସମ୍ଭାବନା ରହିଛି।
ଜିଏସଟି ଠକେଇ ମାମଲାରେ ବଲାଙ୍ଗିର ସହର ଟିକ୍ରାପଡାର ମାପୁଅ ଗାୟତ୍ରୀ ଜୟସ୍ୱାଲ୍ ଓ ବିରେନ୍ଦ୍ର କୁମାର ଜୟସ୍ଵାଲ୍ ଗିରଫ ହେବା ପରେ ବରଗଡ଼ ଜିଲ୍ଲା ଲିଙ୍କ୍ ସାମ୍ନାକୁ ଆସିଥିଲା। ଗାଏସିଲଟର ଅଶୋକ କଲେତକୁ ଜେରା କରିବା ପରେ ଆହୁରି ସାଙ୍ଘାତିକ ତଥ୍ୟ ସାମ୍ନାକୁ ଆସିଛି। ଜିଏସଟି ଠକେଇ ମାମଲା କେବଳ ବଲାଙ୍ଗିର କି ବରଗଡ ନୁହଁ, ଏହାର ଚେର ଭାୟା ସମ୍ବଲପୁର ଦେଇ ରାଜଧାନୀ ଭୁବନେଶ୍ୱର ଯାଏ ଲମ୍ବିଥିବା ଜଣା ପଡ଼ିଛି। ଅଭିଯୁକ୍ତ ଅଶୋକ କଲେତଙ୍କ କହିବା ଅନୁସାରେ ବଲାଙ୍ଗିରର ସାମାଜିକ କର୍ମୀ ଶଙ୍କର ପାଣିଗ୍ରାହୀଙ୍କ ତାଙ୍କୁ ଭୁବନେଶ୍ୱରର କ୍ରସ ନାମକ ସଂସ୍ଥା ସହ ପରିଚୟ କରାଇଥିଲେ। ଏହାପରେ ସମ୍ବଲପୁର ମିଶନ ଶକ୍ତିର ଜିଲ୍ଲା ଦାୟିତ୍ୱରେ ଥିବା ଅକ୍ଷୟ ବାରିକଙ୍କ ସଂସ୍ପର୍ଶରେ ଆସିଥିଲେ। ଏବଂ ତାଙ୍କୁ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଦେଇଥିଲେ। ଏଥିସହ ବଲାଙ୍ଗିରର ଗାୟତ୍ରୀ ଜୟସ୍ୱାଲଙ୍କୁ ମଧ୍ୟ ଅନେକ ଦରକାରୀ କାଗଜପତ୍ର ପ୍ରଦାନ କରିଥିଲେ। ତେବେ ଅକ୍ଷୟ ବାରିକଙ୍କୁ ଜେରା କଲେ ଆହୁରି ତଥ୍ୟ ସାମ୍ନାକୁ ଆସିବା ସହ ଘଟଣାରେ ଆଉ ଯେଉଁମାନେ ଜଡ଼ିତ ଅଛନ୍ତି ତାହା ସ୍ପଷ୍ଟ ହୋଇଯିବ।
ଅନ୍ୟପଟେ ବଲାଙ୍ଗିର ଜିଲ୍ଲାରେ ୨୫ କୋଟିରୁ ଅଧିକ ଟଙ୍କାର ଜିଏସଟି ଠକେଇ ମାମଲା ସାମ୍ନାକୁ ଆସିବା ପରେ ଆହୁରି ସକ୍ରିୟ ହୋଇ ଉଠିଛି ଜିଏସଟି ବିଭାଗ। ପ୍ରାରମ୍ଭିକ ଭାବରେ ୫ ଜାଲି କମ୍ପାନୀ ନାଁରେ ୨୫ କୋଟିରୁ ଅଧିକ ଟଙ୍କାର ଠକେଇ ହୋଇଥିବା ଜଣାପଡିଛି। ଘଟଣାରେ ରାଜ୍ୟ ଓ ରାଜ୍ୟ ବାହାରର ଲିଙ୍କ୍ ସହ ବହୁ ବଡ଼ ବଡ଼ ହସ୍ତୀ ଏଥିରେ ସାମିଲ ଥିବା ସନ୍ଦେହ କରାଯାଉଛି। ତେଣୁ ଏହି ଜିଏସଟି ଠକେଇ ପରିମାଣ ୫୦ କୋଟିରୁ ଉର୍ଦ୍ଧ୍ବ ହେବ ବୋଲି ବିଶ୍ବସ୍ତ ସୂତ୍ରରୁ ଜଣାପଡିଛି।

କେମିତି ଧରାପଡିଲା ଜାଲିଆତି

ବାଣିଜ୍ୟ କର ଓ ଜିଏସଟି ଡେପୁଟି କମିଶନର ଫକୀର ମୋହନ ଶତପଥୀଙ୍କ କହିବା ଅନୁସାରେ, ଗୋଟିଏ ଗାଡି ନମ୍ବରରେ ଏକାଥରକେ ଦୁଇଟି ସ୍ଥାନକୁ ଲୁହା ପଥର ପରିବହନ ହେଉଥିଲା। ରାଉରକେଲାରୁ ରାୟପୁର ଓ ବଲାଙ୍ଗିର ସାରସମାଲରୁ ଘଣ୍ଟପଡାକୁ ଲୁହା ପରିବହନ ନେଇ ସନ୍ଦେହ ହୋଇଥିଲା। ଏହାର ତଦନ୍ତ ପାଇଁ ଜିଏସଟି ବିଭାଗ ଅଧିକାରୀ ପ୍ରଥମେ ସାରସମାଲ ଗାଁକୁ ଯାଇଥିଲେ। ଗାଁର ସବିତା ରଣା ନାମକ ଜଣେ ମହିଳାଙ୍କ ସହ ବୀରେନ୍ଦ୍ର କୁମାର ଜୟସ୍ୱାଲ୍ ରେଣ୍ଟ ଅଗ୍ରିମେଣ୍ଟ କରି ମା ଘଟଗାଁବାସିନୀ ଟ୍ରାନ୍ସପୋର୍ଟ କମ୍ପାନୀ ଖୋଲିଥିଲେ। ହେଲେ ଏନେଇ ସବିତା ରଣା କିଛି ଜାଣିନଥିବା ଜିଏସଟି ଅଧିକାରୀଙ୍କୁ କହିଥିଲେ। ଏପରିକି ସବିତା ଓଡ଼ିଆରେ ଠିକରେ ଦସ୍ତଖତ ଦେଇ ଜାଣିନଥିବା ବେଳେ ତାଙ୍କ ନାମରେ ଇଂରାଜୀ ଭାଷାରେ ଦସ୍ତଖତ ଦିଆଯାଇଥିଲା। ଏଥିରୁ ଠକେଇର ଗନ୍ଧ ବାରି ଖୋଳତାଡ଼ ଆରମ୍ଭ କରିଥିଲା ଜିଏସଟି ବିଭାଗ।

ପରେ ଜଣା ପଡିଥିଲା ଯେ, କେବଳ ଏହି ମହିଳା ନୁହେଁ, ଚାଷୀ ଓ ନିରୀହ ଲୋକଙ୍କୁ ଢାଲ କରି ଅନେକଙ୍କ ନାଁରେ ନକଲି କମ୍ପାନୀ ଖୋଲି କୋଟି କୋଟି ଟଙ୍କାର ଜିଏସଟି ଠକେଇ ହୋଇଥିବା ବିଭାଗ ଜାଣିବାକୁ ପାଇଥିଲା। ଏହାପରେ ଠକେଇର ଶିକାର ଲୋକେ ସଇଁତଳା, ଦେଓଗାଁ ଓ ବଲାଙ୍ଗିର ଟାଉନ୍ ଥାନାରେ ପୃଥକ୍ ପୃଥକ୍ ଭାବରେ ଏତଲା ଦେବା ପରେ ପୋଲିସ୍ ଓ ଜିଏସଟି ବିଭାଗ ମିଳିତ ଭାବେ ତଦନ୍ତ ଆରମ୍ଭ କରିଥିଲା। ଘଟଣାର ମାଷ୍ଟର ମାଇଣ୍ଡ ତଥା ସିଲେଇ ଦିଦି ନାମରେ ପରିଚିତ ଟିକ୍ରାପଡାର ଗାୟତ୍ରୀ ଜୟସ୍ଵାଲ ଓ ତାଙ୍କ ପୁଅ ବିରେନ୍ଦ୍ର କୁମାର ଜୟସ୍ବାଲଙ୍କୁ ଘରୁ ଉଠାଇ ଆଣିଥିଲା ପୋଲିସ୍। ଥାନାରେ ଅଟକ ରଖି ତିନି ଦିନ ଧରି ମାରାଥନ ଜେରା କରିବା ପରେ ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଏ ଲିଙ୍କରେ ଗାଏସିଲଟର ଅଶୋକ କଲେତକୁ ମଧ୍ୟ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ତେବେ ଏହି ଘଟଣାର ଅଧିକ ଖୋଳତାଡ କରାଗଲେ ଆହୁରି ବଡ଼ ବଡ଼ ମାଛ ଜାଲରେ ପଡିବେ ବୋଲି ଚର୍ଚ୍ଚା ହେଉଛି।